Unknown

 

 

 

 

 

 

 

 

 

 

 

ଅସ୍ଥିର ଆକାଶ

ଶ୍ରୀମତୀ କିରଣବାଳା ମିଶ୍ର

 

-ଏକ-

 

ଶୀତାର୍ତ୍ତ ରାଜନୀର ଉପକଣ୍ଠରେ ଏବେ ବି ଅନେକ ତାରକାର ସ୍ମୃତିଚିତ୍ର !

 

କିନ୍ତୁ ସେ ସ୍ମୃତିରେ ଆଜି ଅନେକ ଗ୍ରୀଷ୍ମର ଜ୍ଵାଳା । ସେ ରାତ୍ରିର ଅନ୍ଧକାରରେ ନିର୍ଝରିଣୀର ଅଶ୍ରୁ…ଉଚ୍ଛ୍ୱାସମୟ ଗଭୀର ନିସ୍ତବ୍‌ଧତା ଭିତରେ ମଣିଷ କଣ୍ଠର ଅସହାୟ ଆର୍ତ୍ତନାଦ ।

 

ପୁଣି ସ୍ମୃତିର ନୂପୁର ନିକ୍ଵଣ ଶୁଭୁଛି । ସ୍ମୃତି ଆସୁଛି ଏକ ସମ୍ମୋହିନୀ ଅଭିସାରିକାର ଛନ୍ଦତୋଳି, ତା’ର ଆବାହନୀ-ସଙ୍ଗୀତର ମୂର୍ଚ୍ଛନା ମୁଗ୍‌ଧ କରୁଛି ଅନ୍ତଃସ୍କରଣ । ନବ କଳିକାର ପ୍ରଷ୍ଫୁଟନ ଭିତରେ ସେ ଆତ୍ମପ୍ରକାଶ କରୁଛି ।

 

ସ୍ମୃତି ମାଗୁଛି ଭିକ୍ଷା । ସ୍ମୃତି ଖୋଜୁଛି ଆଶ୍ରୟ । ବ୍ୟର୍ଥ ଜୀବନର ଅବସାନରେ ସେ ବ୍ୟଥିତା । ସେଥିରେ ଅଛି କାରୁଣ୍ୟ, ସେଥିରେ ଅଛି ଅସହାୟତା ।

 

ନିକଟସ୍ଥ ତରୁଶାଖାରେ ପକ୍ଷୀଦମ୍ପତିର ଅବସ୍ଥାନ; ଅସ୍ପଷ୍ଟ ସେମାନଙ୍କର ବେଦନା ।

 

ଶଚୀକାନ୍ତ ଲକ୍ଷ୍ୟ କଲେ–ଦୂର ଦିଗ୍‌ବଳୟ ଭିତରେ ସେ ଦୁହିଁଙ୍କ ଭିତରୁ କାହାର ଏକ ମୃତ ଦେହ । ଶୀତାର୍ତ୍ତ ରଜନୀର ବୁକୁ ଭେଦକରି ତାଙ୍କର ସ୍ମୃତିର କବର ମୁଣ୍ଡ ଟେକୁଥିଲା ।

 

ସେ ସ୍ମୃତିଗୁଡ଼ାକୁ ଛାତିରେ ଚାପିଧରିଲେ ଶଚୀକାନ୍ତ ।

 

ଜୀବନର ସଂଜ୍ଞା କ’ଣ ବୋଲି ସେଦିନ ମୋତେ ପ୍ରଶ୍ନ କରିଥିଲେ ନିବେଦିତା । ସତେ ଯେପରି ଜୀବନକୁ ଖୋଜି ଖୋଜି ତାଙ୍କ ଆଖିରେ ବ୍ୟଥିତ ପ୍ରାଣର କରୁଣତା ପୂରିରହିଛି । ଭରିଯାଇଛି କେଉଁ ଆଦିମ ଯୁଗର ଅନ୍ତହୀନ ପ୍ରତୀକ୍ଷା । ପରାଜୟର ଗ୍ଳାନି ସେ କଣ୍ଠରେ ।

 

ମୁଁ ନୀରବ ହେଲି ଜାଣି ଜାଣି ।

 

କ’ଣ ବୋଲି ବୁଝେଇବି ନିବେଦିତାଙ୍କୁ ? କିନ୍ତୁ ନିରବତାକୁ ସହ୍ୟ ନ କରିପାରି ପୁଣି ଥରେ ସେ ପ୍ରଶ୍ନ କଲେ–କୁହ ତୁମେ, ଜୀବନର ସଂଜ୍ଞା ମାନେ କ’ଣ ବୁଝ ?

 

ଉପଭୋଗ ଓ ବିଳାସର ପ୍ରାଚୁର୍ଯ୍ୟ ଭିତରେ ଯିଏ ନିମଗ୍ନ ରହିଛି, ତା’ ଦୃଷ୍ଟିରେ ଜୀବନର ଅର୍ଥ ସ୍ୱତନ୍ତ୍ର । ଚରିତ୍ର ଓ ମନ ନେଇ ତା’ର ସଂଜ୍ଞା ସବୁବେଳେ ପରିବର୍ତ୍ତିତ । ତେବେ ଆଉ ଯାହା ଦୃଷ୍ଟିରେ ଜୀବନର ମାନେ ଯାହା ହେଉନା କାହିଁକି, ମୁଁ ଦେଖିଛି ଜୀବନ ଏକ ଜ୍ଵାଳା ଏବଂ ଯନ୍ତ୍ରଣାର ବଳୟ । ତା’ର ଅବିରତ ଘୂର୍ଣ୍ଣନରେ ଅସହାୟ ମଣିଷର ସୂକ୍ଷ୍ମ ମନର କୋଣ ଅନୁକୋଣ ଚିର ଜ୍ଵଳମାନ । ବେଦନା, ହତାଶା, ଅଶ୍ରୁ, ଉଦ୍ବେଗର ଚରମ ସୀମାରେ ସେ ଘୂର୍ଣ୍ଣନର ପରିସମାପ୍ତି ।

 

ପୃଥିବୀର ତିନିଭାଗ ଜଳ, ଭାଗେ ସ୍ଥଳଭାଗ ପରି ଜୀବନର ତିନିଭାଗ କେବଳ ଅଶ୍ରୁ…ସୀମାହୀନ ଅଶ୍ରୁ…ଭାଗେ କେବଳ ହସ ଓ ଆନନ୍ଦ । ଏଇ କଥା ବୁଝିବାକୁ ଆଉ ବାକି ନ ଥିଲା ନିବେଦିତାଙ୍କର ।

 

ଦୁଇ ହାତ ମୁଠାରେ ମୁଣ୍ଡଟାକୁ ଖୁବ୍ ଜୋରରେ ଚାପି ଧରିଲେ ସେ । ବୋଧହୁଏ ବର୍ତ୍ତମାନ ଫାଟିଯିବ । ବ୍ୟସ୍ତ ବିବ୍ରତ ନିବେଦିତା ବେଳକୁ ବେଳ ଅଧିକ ଅସ୍ଥିର ହୋଇଉଠୁଥିଲେ ।

 

ଆଜକୁ ଛଅମାସ ହେଲା ସେ ଶଯ୍ୟାଶାୟୀ । ରୋଗ ହେଲେ କ’ଣ ମଣିଷ ଏଇଭଳି ନିରାଶବାଦୀ ହୋଇଉଠେ ? ଜୀବନ ଓ ମୃତ୍ୟୁର ଲୁଚକାଳି ଖେଳରେ ସେ କ’ଣ ତା’ର ଅସ୍ତିତ୍ଵ ହଜେଇ ବସେ ? ଏକ ସଂଶୟାଚ୍ଛନ୍ନ ଅନାଗତ ଭବିଷ୍ୟତର ଆଶଙ୍କାରେ ସେ କ’ଣ ଏମିତି ଭୀତତ୍ରସ୍ତ ହୁଏ ?

 

ପାଖରେ ଡାକ୍ତର–ପରମ ଶୁଭାକାଂକ୍ଷୀ ଡାକ୍ତର ମଳୟ ଦାସ । ଆଉ ତାଙ୍କର ପ୍ରାଣପ୍ରିୟ ସ୍ୱାମୀ ଶଚୀକାନ୍ତ–ସନ୍ତାନ, ପରିବାର–ମମତା–ସବୁକିଛି ଅଛି । ତଥାପି ପ୍ରତିମୁହୂର୍ତ୍ତରେ ସେ ଏମିତି ଅସ୍ଥିର ହୋଇଉଠୁଛନ୍ତି କାହିଁକି ? ଏଇ ପ୍ରଶ୍ନ ଯେତେ ଚେଷ୍ଟା କଲେ ବି ତାଙ୍କ ମନରୁ ସେ ଦୂରେଇ ପାରିନାହାନ୍ତି ।

 

ଆସ୍ତେ ଆସ୍ତେ ପାଗଳୀ ହୋଇଯିବେ ସେ ।

 

ଦୂରରେ ଶୁଭୁଛି ସତ୍ୟସାଇ ବାବାଙ୍କର ସମବେତ ଭଜନ । କେଉଁ ଏକ ଶିଶୁ କଣ୍ଠ ସେ ଭଜନ ମଧ୍ୟରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତରଙ୍ଗାୟିତ ସେ ସଙ୍ଗୀତର ସ୍ୱର ମାନବର ଦରଦୀ ପ୍ରାଣରେ ଦେଉଛି ପରମ ଆଶ୍ଵାସନାର ବାଣୀ–ମମତା ମିଶ୍ରିତ ସାନ୍ତ୍ଵନାର ପରଶରେ ଆର୍ଦ୍ର ହୋଇଉଠୁଛି ଆଖିପତା ।

 

ଭଗବତ ସତ୍ତାର କି ଆକର୍ଷଣ ସତରେ ! କି ସମ୍ମୋହନ ସେ ଅନୁଭବର ! ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ ନିବେଦିତା । ଆଖି ବନ୍ଦ କଲେ ସେ । ଏଥର ନିବେଦିତା ବିଶ୍ରାମ ନେବେ । ରାତି ଯଥେଷ୍ଟ ହେଲାଣି ।

 

ତାଙ୍କ କୋଠରୀର ଆଲୋକ ନିର୍ବାପିତ କଲେ ନିବେଦିତା ।

 

ନୀରବ, ନିସ୍ତବ୍‌ଧ ଧରଣୀର ବୁକୁ ଗଭୀର ଅନ୍ଧକାର ମଧ୍ୟରେ ଥରି ଉଠିଲା । କୁହୁକିନୀ ରାତ୍ରିର ମାୟା ଯେପରି ତାକୁ ବିଦ୍ରୂପ କଲା । ଆରେ, ଏ କ’ଣ ? ସେ ଏପରି ଭୟରେ ଥରୁଛନ୍ତି କାହିଁକି ? ନା, ସେ ଅନ୍ଧକାର ସହ୍ୟକରି ପାରିବେନି ।

 

ତାଙ୍କ ଅନାଗତ ଅନ୍ଧକାର ଭବିଷ୍ୟତର ପ୍ରତି ପରିଚ୍ଛେଦ, ପ୍ରତି ପୃଷ୍ଠା ଯେପରି ତାଙ୍କ ଆଖି ଆଗରେ ଦେଖା ଯାଉଛି । ସ୍ଵପ୍ନର କଳାଛାଇ ଧୀରେ ଧୀରେ ଗାଢ଼ କଳା ହୋଇ ଏକ ବିକୃତ ଓ ବୀଭତ୍ସ ରୂପ ଧାରଣ କରୁଛି । ଚତୁର୍ଦ୍ଦିଗରେ ଏକ ଅସହ୍ୟ ଜ୍ଵାଳା । ମନେ ମନେ ଭାବୁଥିଲେ ନିବେଦିତା, ଏ ରାତ୍ରୀ ପାହିବ କେତେବେଳେ ?

 

ଦୁଃଖ ରାତିର ସମୟ ସବୁବେଳେ ଦୀର୍ଘ । ମନେହୁଏ ସତେ ଯେପରି ପ୍ରତି ଘଣ୍ଟା, ପ୍ରତି ମିନିଟ୍ ଗୋଟାଏ ଗୋଟାଏ ଯୁଗ ହୋଇଯାଏ । ସେଥିରୁ ମୁକ୍ତିଲାଭ କରିବାର ଆଶା ଧୀରେ ଧୀରେ କ୍ଷୀଣ ହୋଇ ଆସେ । ସେମିତି ନିବେଦିତାଙ୍କର ଆଶା ଧୀରେ ଧୀରେ ନିଷ୍ପ୍ରଭ ବଳିତାର ଶିଖାଭଳି ଜଳୁଛି । ସେ ସିମୀତ ଦୀପାଲୋକରେ ଅସ୍ପଷ୍ଟ ଦିଶୁଛି ନିବେଦିତାଙ୍କ ଭବିଷ୍ୟତ । ଆଧୁନିକ ଚିତ୍ରକଳାର ଲ୍ୟାଣ୍ଡସ୍କାପ୍‍ର ଚିତ୍ରଭଳି ଅସ୍ପଷ୍ଟ ଦିଶୁଛି ତାଙ୍କର ସ୍ଥିତି । ଅସ୍ପଷ୍ଟ ତାଙ୍କର ମାନସିକ ସ୍ଥାୟୀତ୍ୱ ସବୁ ଅସ୍ପଷ୍ଟତାର ସମାହାର ନିଜେ ନିବେଦିତା କେବଳ ସ୍ଥାଣୁ ପାଲଟି ଯାଇଥିଲେ ।

 

ଆର ଘରୁ ଟୁକୁନିର କାଶ ଶୁଭୁଛି । ତାଙ୍କ ପ୍ରଣୟର ପ୍ରଥମ ସ୍ମାରକୀ ଟୁକୁନି ! ଆଃ, ତା’ର ଜନ୍ମବେଳା ! ସେ ମୁହୂର୍ତ୍ତ ମନେପଡ଼ିଲେ ଏବେ ବି ନିବେଦିତା ଶିହରି ଉଠନ୍ତି ପୁଲକରେ । ରୋଗଶଯ୍ୟାର ଧାରରେ ଧାରରେ ଯେପରି ଖାଲି ସ୍ଵପ୍ନର ଫୁଲ ବିଞ୍ଚି ହୋଇଯାଏ । ସ୍ଵର୍ଗୀୟ ସୁଷମା ଝରିପଡ଼େ ତାଙ୍କର ହସ ଟିକକରୁ । ସବୁ ଯନ୍ତ୍ରଣା ଭିତରେ ସେଇ ତାଙ୍କର ସାନ୍ତ୍ଵନା, ସେଇ ତାଙ୍କର ଆଶ୍ୱାସନା । ରୋଗ ଦେଖି ଡାକ୍ତର ମନା କରିଛନ୍ତି ଟୁକୁନିକୁ ପାଖକୁ ଆସିବାକୁ ! ଆଜିକୁ ପ୍ରାୟ ଦେଢ଼ମାସ ହେଲା ଟୁକୁନି ଶୋଉଛି ଆଗଘରେ । ସପ୍ତାହ ଭିତରେ ଥରେ ଅଧେ କେବେ ତାକୁ ଜବରଦସ୍ତି ଆଣନ୍ତି ନିବେଦିତା ପାଖକୁ । ତାକୁ ସେ ଛୁଇଁ ପାରୁନାହାନ୍ତି, ତା’ର ଖାଇବା, ପିଇବା, ସୁବିଧା, ଅସୁବିଧା କିଛି ବୁଝିପାରୁନାହାନ୍ତି । ତା’ର ଅବୁଝା ଲୁହବୋଳା ନରମ ଗାଲରେ ବୋକ ଦେଇ ପାରୁନାହାନ୍ତି । ଗଭୀର ଉତ୍କଣ୍ଠାରେ ପ୍ରାଣର ଆବେଗରେ ସେ ତାକୁ ଚାପି ଧରି ଲକ୍ଷଯୁଗର କ୍ଳାନ୍ତି ଭୁଲି ପାରୁନାହାନ୍ତି ।

 

ଆଃ !! ତାଙ୍କର ପ୍ରାଣର ଟୁକୁନି !

 

ଦରବୁଜା ଆଖିପତା ଭିତରୁ ଲୁହ ଦୁଇଟୋପା ବାହାରି ଆସିଲା ନିବେଦିତାଙ୍କର ।

 

ପାହାନ୍ତା ହେବାକୁ ଆହୁରି ବହୁତ ବେଳ ବାକି !

 

ବିଳମ୍ବିତ ଶୀତ ରାତ୍ରିର ପରିଧି ତାଙ୍କୁ ଯେପରି ଘେରି ରହିଛି ଲୁହାର ନିଗଡ଼ିରେ । ନିକଟ କୃଷ୍ଣଚୂଡ଼ା ଗଛରୁ ପକ୍ଷୀଟିଏ ଫଡ଼୍‍ ଫଡ଼୍‍ ଶବ୍ଦ କରି ଉଡ଼ି ଯାଉଛି । ମଝିରେ ମଝିରେ ସଶବ୍ଦରେ ଲକ୍ଷ ଲକ୍ଷ କ୍ଳାନ୍ତ ଆଖିକୁ ସତେଜ କରି ଆସୁଛି ରେଲଗାଡ଼ି; ପ୍ଲାଟ୍‌ଫର୍ମର ଛାତି ଦୋହଲାଇ ଯେପରି ଯମଦୂତ ପରି ଠିଆ ହେଇଯାଉଛି ।

 

କେତେ ଯାତ୍ରୀର ସମାବେଶ ହୋଇଥିବ ଯେ ପ୍ଲାଟଫର୍ମରେ । କାହାର ଗନ୍ତବ୍ୟ ପଥ କୁଆଡ଼େ–କାହାର ଲକ୍ଷ୍ୟ କୁଆଡ଼େ ? –ଯିଏ ଯାହାର ଗନ୍ତବ୍ୟ ସ୍ଥଳ ବାଛିନେଇ ଗାଡ଼ିରେ ବସିବେ ।

 

କିଏ ଜାଣେ, କାହାପାଇଁ କେତେ ବର୍ଷ, କେତେ ବିଷାଦର ସ୍ୱାକ୍ଷର ସେ ବହନ କରିବ ।

 

ଜୀବନଯାତ୍ରୀ ଦିଗ କେଡ଼େ ରହସ୍ୟମୟ !

 

ତାଙ୍କ ଜୀବନର ଶେଷଯାତ୍ରା କେବେ ? କେବେ ତାଙ୍କର ବ୍ୟାକୁଳତାର ସମାପ୍ତି ?

 

ଜୀବନ ବହିର ସ୍ମୃତି-ପୃଷ୍ଠା ପଢ଼ୁଥିଲେ ନିବେଦିତା ।

 

ଚତୁର୍ଥୀ ରାତ୍ରିର କଥା । କୃଷ୍ଣଚତୁର୍ଦ୍ଦଶୀର ନିରନ୍ଦ୍ର ଅନ୍ଧକାର ମଧ୍ୟରେ ସେ କୋଠରୀଟିରେ ଜଳୁଥିଲା କୁଳଦୀପ । କୁମାରୀତ୍ଵକୁ ହୋମଶିଖାରେ ଆହୁତି ଦେଇ ସୃଜନର ମହାବେଦୀରେ ଯେଉଁଦିନ ପ୍ରଥମ କରି ତାଙ୍କର ନାରୀତ୍ଵକୁ ସେ ସମର୍ପି ଦେଇଥିଲେ ତାଙ୍କ ଅନନ୍ୟ ପୁରୁଷର ଚରଣ ତଳେ, ସେଇ ଦିନର ସେ କୁଳଦୀପ କଥା ମନେପଡ଼ୁଥିଲା ନିବେଦିତାଙ୍କର । ସେଇ ମହାଲଗ୍ନରେ ଦୀପାଳିର ସ୍ଥିର ଉଜ୍ଜ୍ୱଳ ଶିଖା ତାଙ୍କ ଅବିଚଳିତ ଦାମ୍ପତ୍ୟ ଜୀବନର ସସ°ଭ୍ରମତାର ଦୃଢ଼ ପ୍ରତ୍ୟୟ ସୃଷ୍ଟି କରିଥିଲା ।

 

କେବଳ କ’ଣ କାମନା ଥିଲା ସେଇ ବେପଥୁରେ ?

 

କେବଳ କ’ଣ ପାର୍ଥିବତା ଥିଲା ସେଇ ଉର୍ତ୍ସଗରେ ।

 

ନା ।

 

ହାତଧରି ଡାକିଥିଲା ଶଚୀକାନ୍ତ । ଆସ ! ଆମେ ଯୁଗ୍ମଭାବରେ ପ୍ରଥମେ ପ୍ରଣାମ କରିବା ଏଇ କୁଳଦୀପକୁ । ପ୍ରଣାମ କରିବା ବେଳେ କଳସ ଉପରେ ଦିଆ ହୋଇଥିବା ଫୁଲଟିଏ ଆଶୀର୍ବାଦର ଇଙ୍ଗିତ ଦେଇ ଖସି ପଡ଼ିଥିଲା ସେମାନଙ୍କର ଉଦ୍ଦେଶ୍ୟରେ ।

 

ମଧୁମୟ ହେବ ସତେ ନିବେଦିତାଙ୍କର ଯୁଗ୍ମଜୀବନ । ନାରୀ ଜୀବନର ସବୁ ସାର୍ଥକତାର ଇଙ୍ଗିତ ପାଇ ନିବେଦିତା ସେଦିନ ପାର୍ଥିବ ପରିଧି ଭିତରେ ଅପାର୍ଥିବ ଆନନ୍ଦରେ ବିହ୍ଵଳିତ ହୋଇ ଉଠିଥିଲେ ।

 

ସେଇ ଦୀପାଲୋକରେ ଅଳତାବୋଳା ପାଦ ଦୁଇଟିକୁ ଖୁବ୍ ଆବେଗରେ ଛାତିରେ ଚାପି ଧରିଥିଲେ ଶଚୀଇକାନ୍ତ । ଥରି ଉଠିଥିଲା ନିବେଦିତାଙ୍କର ସମସ୍ତ ଅବୟବ । ଆରେ, ଶଚୀକାନ୍ତ ଏ କ’ଣ କରୁଛନ୍ତି ? ଭୀତତ୍ରସ୍ତା କୁଣ୍ଠିତା ପ୍ରିୟତମାକୁ ନିବିଡ଼ ଆଶ୍ଳେଷରେ ରଖି ସେଦିନ ବୁଝେଇଥିଲେ ଶଚୀକାନ୍ତ । ପ୍ରେମିକାକୁ ଯିଏ ପ୍ରାଣ ଭରି ଯେତେ ଭଲ ପାଇପାରେ, ସେ ତା’ର ପାଦକୁ ବୁକୁର ସ୍ପର୍ଶ ଦିଏ ।

 

ଦେଖୁନ, ରାଧାଙ୍କର ପାଦ ସ୍ପର୍ଶ ଲାଗି କୃଷ୍ଣ କ’ଣ ଦେହି-ପଦ-ପଲ୍ଲବ ମୁଦାରଂ କହିଥାନ୍ତେ ? ତୁମେ କେବଳ ଉପଭୋଗର ସାମଗ୍ରୀ ନୁହେଁ ନିବେଦିତା–ରିର°ସୁ ମନର ଉଷ୍ଣତାକୁ ଶାନ୍ତ କରିବାର ସ୍ରୋତସ୍ୱିନୀ ତମେ କେବଳ ନୁହଁ–ତୁମେ ମୋର ପବିତ୍ର ପ୍ରଣୟର ଦେବୀ ।

 

କି ଉଚ୍ଛଳ ଭାବାବେଗରେ ଏକଥା ସବୁ ସେଦିନ କହୁଥିଲେ ଶଚୀକାନ୍ତ । ଆଜିବି ମନେଅଛି ନିବେଦିତାଙ୍କର ସେସବୁ ।

 

ମଣିଷ ମନର ଅଭ୍ୟନ୍ତର ସତରେ ସବୁବେଳେ ରହସ୍ୟମୟ । କେତେବେଳେ ଇନ୍ଦ୍ରଧନୁର ରଙ୍ଗ ନେଇ ସେ ସମଗ୍ର ଆକାଶର ବୁକୁ ଅନୁରଞ୍ଜିତ କରେ ତ ଆଉ କେତେବେଳେ ଘନକୃଷ୍ଣ ମେଘ ନେଇ ଅନେକ ଅଶୁଭ ସମ୍ଭାବ୍ୟର ଭୀତି ସଞ୍ଚାର କରେ । ଆଶଙ୍କା, ହତାଶା ଓ ଉଦ୍ବେଗର ଉଦ୍ବେଳନରେ ହତାଶ ମଣିଷ କେବଳ ବ୍ୟସ୍ତ ହୁଏ । ରାହା ଖୋଜେ, ପାଏନା; ସାହସ ଖୋଜେ-ସବୁ ହରେଇ ବସେ ।

 

ନିବେଦିତାଙ୍କର ଦୃଷ୍ଟି ଦିଗନ୍ତ ସ୍ପର୍ଶ କରୁଥିଲା । ଯେଉଁଦିନ ତାଙ୍କର ଚତୁର୍ଥୀ, ଅବଶ୍ୟ ନିବେଦିତା ଜୀବନର ଏଇ ଦିଗଟାକୁ ସେଦିନ ଭାବିପାରି ନ ଥିଲେ–ସୃଷ୍ଟିର ସବୁ ସବୁଜିମା ଯେଉଁଠି ପୁଞ୍ଜିଭୂତ ଆନନ୍ଦର ଆକାର ହୋଇ ତାଙ୍କୁ ଉପହାର ଦେଇଛି, ଯେଉଁଠି ମିଶିଛି ଅନନ୍ତ ସାଗରର ବୁଭୁକ୍ଷୁ, ଯେଉଁଠି ହଜିଛି ଅସୀମ ଆକାଶର ନୀଳିମା, ସେଠାରେ ଏ ନିରାଶାବାଦର ପ୍ରଶ୍ନ ବା ଉଠିଥାନ୍ତା କାହିଁକି ?

 

ସେଇ ଦିନର ସେଇ ଗୋଟିଏ ପ୍ରଶ୍ନ–ସେଇ ଗୋଟିଏ ଲକ୍ଷ୍ୟ । ଶଚୀକାନ୍ତ କହିଥିଲେ–

 

“ପ୍ରେମ ଏତେ ସହଜ ନୁହେଁ ନିବେଦିତା, ଅଜସ୍ର ଚାବୁକର କ୍ଷତ ବିକ୍ଷତ ଯନ୍ତ୍ରଣା ତମକୁ ସହିବାକୁ ହେବ । ସେଇ ଆଘାତରେ ତମେ ହସିବ, ସେଇ ଦାଗର ଲହୁ ପୋଛି ତମେ ପୁଣି ସତେଜ ହେବ–ଗୋଟିଏ ଆଖିରେ ଲୁହ ରଖି ଅନ୍ୟ ଆଖିରେ ହସି ପାରିବତ ନିବେଦିତା ?”

 

ନିବେଦିତା ଏଇ ପ୍ରଶ୍ନର ଉତ୍ତର ଦେଇଥିଲେ ଆନତ ନୟନରେ–ନୀରବ ପ୍ରତିଶ୍ରୁତିରେ ।

 

କେତେଦୂର ସେ ତାଙ୍କର ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ତା’ର ହିସାବ ଆଜି କରିପାରୁନାହାନ୍ତି ନିବେଦିତା ।

 

ସତରେ କ’ଣ ଶଚୀକାନ୍ତ ତାଙ୍କୁ ବିବାହ କରି ସୁଖୀ ହେଲେ ? ଦାମ୍ପତ୍ୟ ପ୍ରଣୟର ପ୍ରଗାଢ଼ ବିଶ୍ଵାସ ଉପରେ ଭରସା ରଖିଥିଲେ ଶଚୀକାନ୍ତ । ସେ ଭରସା କ’ଣ ତାଙ୍କର ପ୍ରକୃତରେ ରୂପ ପରିଗ୍ରହ କରିପାରିଲା ? ଦେହ ଓ ମନର ବିଭିନ୍ନ ରୂପ ନେଇ ସେ ଶଚୀକାନ୍ତଙ୍କ ଆଗରେ ଦେଖା ଦେଇଛନ୍ତି । ନୂପୁର ନିକ୍ୱଣାୟିତା ସମ୍ମୋହିନୀ ଅଭିସାରିକାର ଛନ୍ଦ ତୋଳି ମଧୁଗନ୍ଧା ନାୟିକାର କୁଣ୍ଠିତ କଟାକ୍ଷ ଘେନି ଶଚୀକାନ୍ତଙ୍କ ପ୍ରାଣରେ ଦେଇଛନ୍ତି ଅସୀମ ଆନନ୍ଦ–ସ୍ଵର୍ଗର ପାରିଜାତକୁ ଦୁଇ ହାତ ମୁଠାରେ ତୋଳିଧରି ସେ ଦେଇଛନ୍ତି ଉପହାର–ଚପଳ ହାସ୍ୟର ରଙ୍ଗଛଟା ଭିତରେ ସେ କିଣି ନେଇଛନ୍ତି ଶଚୀକାନ୍ତଙ୍କୁ ।

 

ଆଉ ବେଳେବେଳେ କୁହୁକିନୀ ରାତ୍ରିର ମାୟାଭଳି ସେ ହେଇଛନ୍ତି ରହସ୍ୟମୟୀ ।

 

ଅସହିଷ୍ଣୁ ନାରୀର ଭୂମିକାରେ ରହି ସତେ ଯେପରି ନିଜ ରୂପକୁ କିଛି ସମୟ ପାଇଁ ବାଦଲର କଳା ଛାଇରେ ଲୁଚାଇ ଦେଇଛନ୍ତି ।

 

ରାଗିଛନ୍ତି ନିବେଦିତା । ଅଭିମାନ କରିଛନ୍ତି ସେ । ସବୁ ପାଣିର ଫୋଟକା ପରି କ୍ଷଣକ ମଧ୍ୟରେ ଉଭେଇ ଯାଇଛି ।

 

ନିବେଦିତା ସବୁଦିନେ ଏମିତି ।

 

କାଶୁଥିଲେ ନିବେଦିତା ।

 

ବହୁତ କର୍କଶ ଶୁଭୁଛି କାଶଟା । କିଛି ରକ୍ତ ମଧ୍ୟ ପଡ଼ୁଛି କାଶିଲା ବେଳେ ।

 

ଆଃ ! ଊର୍ଦ୍ଧ୍ଵଶ୍ଵାସ ନେଲେ ନିବେଦିତା ।

 

ଆଜିକାଲି ଶଚୀକାନ୍ତ କ’ଣ ପ୍ରକୃତରେ ଭଲପାଉନାହାନ୍ତି ନିବେଦିତାଙ୍କୁ ? ଆକର୍ଷଣର ଆଧାର ଯେଉଁ ନାରୀ, ତା’ର ରୂପକାନ୍ତିର ଉଜ୍ଜ୍ଵଳତା କମିଆସିଲେ କ’ଣ ତା’ପ୍ରତି ପୁରୁଷର ଆକର୍ଷଣ କମିଯାଏ ? ଦେହର ଉଷ୍ଣତାକୁ କେବଳ କ’ଣ ବଞ୍ଚିବାର ଉପାଦାନ ବୋଲି ଗ୍ରହଣ କରିବାକୁ ହୁଏ ? ମନହୁଏ ନିବେଦିତାଙ୍କର–ଶଚୀକାନ୍ତ ଆସନ୍ତେ, ଏଇଠି ଏମିତି ତା’ର ଶଯ୍ୟାଧାରରେ ଘଣ୍ଟା ଘଣ୍ଟା ବସନ୍ତେ, ତା’ର ଲୁହବୋଳା ଆଖିରୁ ଲୁହ ପୋଛି ନେଇ ଯୁଗ ଯୁଗର ଆଶ୍ଵାସନା ଦିଅନ୍ତେ, ପ୍ରାଣରେ ପ୍ରାଣ ମିଶାଇ ସେ ଗେଲ କରନ୍ତେ ନିବେଦିତାଙ୍କୁ । କମ୍ପିତ ଅଧରରେ ଅଧର ମିଶାଇ ସେ ଦିଅନ୍ତେ ବଳିଷ୍ଠ ପ୍ରଣୟର ସୂଚନା…ତାଙ୍କ ମନଭିତର କହନ୍ତା–ନା, ନିବେଦିତାଙ୍କ ପାଇଁ ଏବେ ବି ରହିଛି ଶଚୀକାନ୍ତଙ୍କ ମନରେ ଅନନ୍ତ ବ୍ୟାକୁଳତା । ନିବେଦିତା ତାଙ୍କର ଚିରଦିନ ପ୍ରିୟତମା–ଜନ୍ମଜନ୍ମର ସାଥୀ ସେ । ତାଙ୍କୁ ଅବହେଳା କରିବାର ନୁହେଁ ।

 

ନିବେଦିତା ଆଜିକାଲି ଭୀରୁ ହୋଇ ଉଠିଲେଣି । ଅଭିମାନର ରଙ୍ଗ ଆଉ ତାଙ୍କର ଆରକ୍ତ ଗଣ୍ଡସ୍ଥଳକୁ ଲୋଭନୀୟ ନକରି ତାଙ୍କ ପିଞ୍ଜରା ଥରାଇ ଏକ ଦୀର୍ଘଶ୍ଵାସ ସୃଷ୍ଟି କରୁଛି । ଅଭିମାନର ଆଘାତରେ ଥରିଉଠୁଛି ତାଙ୍କର ଦୁର୍ବଳ ଛାତି । ଏ ସୃଷ୍ଟି ପ୍ରତି ତାଙ୍କର ଏକ ତୀବ୍ର ଅଭିମାନ ।

 

ସୃଷ୍ଟିକୁ ଅଭିମାନ କରି ବଞ୍ଚିବେ କିପରି ସେ ? ଏ ସୃଷ୍ଟି ସ୍ଵାର୍ଥପର–ତାକୁ ସ୍ନେହ କଲେ, ପ୍ରତିଦାନରେ ସେ ସ୍ନେହ ଦିଏ ସିନା, କିନ୍ତୁ ତାକୁ ଅବିଶ୍ଵାସ କଲେ ଅମୃତର ମଧୁମୟ ପରିବେଶ ବଦଳରେ ଯେଉଁ ଉତ୍କଟ ବିଷ ମିଳେ, ସେ ଜ୍ଵାଳାରେ ଜଳିଯାଏ ମଣିଷର ମନ, ଜଳିଯାଏ ତା’ର ଆଶା ଆକାଂକ୍ଷାର ଜଉଘର–ଜଳିଯାଏ ତା’ର ସୀମାହୀନ ଭବିଷ୍ୟତ ।

 

ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ ନିବେଦିତା ।

 

ଦେହ ସାରା ଝିମ୍ ଝିମ୍ ହୋଇଯାଉଛି । କଣ୍ଠ ଶୁଖି ଆସୁଛି । ନିଷ୍ପ୍ରଭ ଶିଖା ମେଲି ଜଳୁଛି ଟେବୁଲ୍ ଲ୍ୟାମ୍ପ । ଇଚ୍ଛାହେଲା ନିବେଦିତାଙ୍କର ବତୀଟାକୁ ଆହୁରି କମେଇ ଦେବେ–ଅସ୍ପଷ୍ଟ ଆଲୋକରେ ସେ ଦେଖିବେ ତାଙ୍କ ଭବିଷ୍ୟତର କଳାଛାଇ, ତା’ର ପ୍ରଚ୍ଛାୟା, ଉପଚ୍ଛାୟା ସବୁ କିଛି ।

 

ଆଲୋକ–ଅନ୍ଧାର–ଆଲୋକ–ଅନ୍ଧାର !!

 

ଜୀବନରେ ଏଇ ଛାଇ-ଆଲୁଅର ଲୁଚକାଳି ଖେଳ ଭିତରେ ନିବେଦିତା ନିଜକୁ ଖୋଜୁଥିଲେ ।

 

ଗବାକ୍ଷ ନିକଟରେ ସୁସଜ୍ଜିତ ଅଜନ୍ତାର ଏକ ଚିତ୍ରକଳାଭଳି । ଚାହିଁଥିଲେ ପୂର୍ଣ୍ଣପ୍ରଭା । ସ୍ଥିର ଆଖି ଦୁଇଟିରେ ଯେପରି ଲକ୍ଷ ଯୁଗର ପ୍ରତୀକ୍ଷା । କାମନାର ଉତ୍ତାପରେ ଆରକ୍ତ ହୋଇ ଉଠିଥାଏ ନୀଳ ଆଖି ଦୁଇଟି–ଆଃ ! କି ଦହନର ଜ୍ଵାଳା ଏ ଅଙ୍ଗରେ ! ପତଙ୍ଗ ପରି ଜଳିଯିବ ପୁରୁଷର ପୌରୁଷତ୍ଵ ।

 

ରହି ରହି ଶିହରି ଉଠୁଥିଲେ ପୂର୍ଣ୍ଣପ୍ରଭା ।

 

କାହାଲାଗି ଏ ମଧୁଚନ୍ଦ୍ରିକାର ରୋଷଣୀ ? କାହାଲାଗି ଏ ମଳୟର ଆବାହନୀ ? କାହା ପାଇଁ ଏ ନୀଡ଼ ରଚନାର କ୍ରମ ଅଭିସାର ?

 

ଟେବୁଲ୍ ଉପରେ ଥୁଆ ହୋଇଥିବା ଫୁଲଦାନୀରୁ ଦାମୀ ସୁରଭିର ମଧୁଗନ୍ଧ କୋଠରୀଟିର ବାୟୁମଣ୍ଡଳକୁ ସୁରଭିତ କରୁଛି, ଆହୁରି ସୁରଭିତ କରୁଛି ପୂର୍ଣ୍ଣପ୍ରଭାଙ୍କ କବରୀର ଚାରୁକଳା; ବାରମ୍ବାର ଖସିପଡ଼ୁଥିବା ଶାଢ଼ିର ପଣତକୁ ପୁଣିଥରେ ସଜାଡ଼ି ଆଣିଲେ ପୂର୍ଣ୍ଣପ୍ରଭା ।

 

ଆରେ, ଏ କ’ଣ ? ହଠାତ୍‍ କାନ୍ଥରେ ଝୁଲୁଥିବା ଫଟୋଟା ଖସିପଡ଼ିଲା କାହିଁକି ? ଅସ୍ଥିର ଚିତ୍ତରେ ପୂର୍ଣ୍ଣପ୍ରଭା ଭାଙ୍ଗି ଯାଇଥିବା ଫଟୋର କାଚଗୁଡ଼ିକୁ ଗୋଟାଇ ଆଣିଲେ । ଖଣ୍ଡିଆ କାଚର ଆଘାତରେ ତାଙ୍କ ହାତ ପାପୁଲିରୁ ରକ୍ତ କେତେ ବୁନ୍ଦା ଫଟୋଟି ଉପରେ ଖସିପଡ଼ିଲା ।

 

ପୁଣି ଥରେ ପୂର୍ଣ୍ଣପ୍ରଭା ଚାହିଁଲେ ତାଙ୍କର ଫଟୋଆଡ଼େ । ରକ୍ତଟୋପା ତାଙ୍କର ଉଜ୍ଵଳ ଆଖିଡୋଳା ଉପରେ ପଡ଼ି ଡୋଳାଟାକୁ ଏକବାରେ ବନ୍ଦକରି ଦେଇଛି ।

 

ହଠାତ୍ ଏ ଅଘଟଣର ସୂଚନା କାହିଁକି ?

 

ବହୁଦିନ ତଳର କଥା ତାଙ୍କର ମନେପଡ଼ୁଥିଲା । କେତେ ଯନ୍ତ୍ରରେ ସ୍ମୃତି ସାଉଁଟା ଫୁଲଗୁଡ଼ିକୁ ଏକାଠି କରି ସେ ଯେଉଁ ପୁଷ୍ପହାର ରଚନା କରିଥିଲେ ସମୟ ବ୍ୟଥିତ ପବନ ଆଘାତରେ ସବୁ ଫୁଲ ଯେପରି ଇତଃସ୍ତତଃ ହୋଇ ପଡ଼ିଛି । ଆଉ ଚେଷ୍ଟା କଲେ ମଧ୍ୟ ଗୋଟାଇ ପାରିବେନି ପୂର୍ଣ୍ଣପ୍ରଭା ।

 

କବାଟରେ କାହାର ମୃଦୁ ଆଘାତ ଶୁଭିଲା ।

 

ଥରିଉଠିଲା ପୂର୍ଣ୍ଣପ୍ରଭାଙ୍କ ସମସ୍ତ ଅବୟବ । କମ୍ପିତ ହୃଦୟରେ ସେ ଦ୍ଵାର ନିକଟକୁ ଅଗ୍ରସର ହେଲେ । ଯାହାଲାଗି ସେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରି ମନଭିତରେ ଏକ ନୂତନ ଇନ୍ଦ୍ରଧନୁର ସ୍ଵପ୍ନ ଦେଖିଛନ୍ତି, ଯାହାଲାଗି ସାମାଜିକ ପ୍ରତିଷ୍ଠାକୁ ଜଳାଞ୍ଜଳି ଦେଇ ବହୁତ ଦୂରକୁ ଚାଲି ଆସିଛନ୍ତି, ବିବେକର ଅନ୍ତରାଳରେ ସଞ୍ଚିତ ମଳୟର ଗୋପନ ଆଳାପନୀ ଯାହା ପାଇଁ ସୃଷ୍ଟିକରିଛି ଅପୂର୍ବ ସ୍ଵରର ଝଙ୍କାର, ତାଙ୍କ ଆଗମନରେ ଭୀତତ୍ରସ୍ତ କାହିଁକି ପୂର୍ଣ୍ଣପ୍ରଭା ?

 

ପୁଣିଥରେ ଦ୍ଵାର ଦେଶରେ ଆଘାତ ଶୁଭିଲା ।

 

କବାଟ ଖୋଲିଲେ ପୂର୍ଣ୍ଣପ୍ରଭା ।

 

ଦ୍ଵିଧାହୀନ ଭାବରେ ଘର ଭିତରକୁ ପଶିଆସିଲେ ଡାକ୍ତର ମଳୟ ଦାସ । ଷ୍ଟେଥୋଟାକୁ ସବୁଦିନର ଅଭ୍ୟାସଭଳି ଟେବୁଲ୍ ଉପରେ ଥୋଇଦେଇ ସେ ସୋଫା ଉପରେ ବସିପଡ଼ିଲେ ।

 

ସବୁଦିନଭଳି ସହଜ ହୋଇପାରୁନଥିଲେ ପୂର୍ଣ୍ଣପ୍ରଭା । ସତେ ଯେପରି ବାକ୍ୟାଳାପ ପାଇଁ କିଏ ଯେପରି ତାଙ୍କ କଣ୍ଠନଳୀକୁ ଚାପି ଧରିଛି ।

 

ଯେଉଁ ଦହନର ଜ୍ଵାଳା, କାମନାର ରିରଂସୁ ମନ ନେଇ ଓ ଯେଉଁ ନିଧୁବନର ସ୍ଵପ୍ନ ସେ ସୃଷ୍ଟିକରି ବିଭୋର ହେଉଥିଲେ, ସେ ସ୍ଵପ୍ନ ହଠାତ୍ ଧୂସର ମରୁଭୂମୀର ଝଡ଼ ସୃଷ୍ଟି କରୁଛି କାହିଁକି ? ଦିଗହଜା ପାନ୍ଥର ବ୍ୟାକୁଳତା ନେଇ ହଠାତ୍ କାନ୍ଦିଉଠିଲେ ପୂର୍ଣ୍ଣପ୍ରଭା ।

 

ଆରେ ! ଆପଣ କାନ୍ଦୁଛନ୍ତି କାହିଁକି ପୂର୍ଣ୍ଣପ୍ରଭାଦେବୀ ? ମଳୟ ଦାସଙ୍କ କଣ୍ଠରେ ସ୍ଵାଭାବିକ ଦରଦ ।

 

ନିଜକୁ ସଞ୍ଜତ କରିନେଲେ ପୂର୍ଣ୍ଣପ୍ରଭା । ତାଙ୍କ ଆଖିରେ ଲୁହ ଶୋଭନୀୟ ନୁହେଁ । ଏ ଦୁନିଆଁରେ ଲୁହ ଢାଳି ପଥରପରି ସେ ବଞ୍ଚିପାରିବେନି ବୋଲି ସେ ଏଇ ପରିବେଶ ସୃଷ୍ଟି କରିଛନ୍ତି । ଯେଉଁ ଜୀବନକୁ ତାଙ୍କର ଏତେ ଲୋଭ, ଏତେ ମମତା, ତାକୁ ଅବହେଳା କରି ଲୁହ ଢାଳି ଢାଳି କ୍ଷତବିକ୍ଷତ କରିବେ କାହିଁକି ?

 

ଶୁଷ୍କ ହସ ହସିଲେ ପୂର୍ଣ୍ଣପ୍ରଭାଦେବୀ ।

 

ଆରେ ! ହଠାତ୍ ଆପଣଙ୍କର ହାତ ଏତେ କଟିଲା କେମିତି ? ବହୁତ ରକ୍ତସ୍ରାବ ହୋଇଛି ବୋଧହୁଏ ! ଆସନ୍ତୁ, ଭଲକରି ବ୍ୟାଣ୍ଡେଜ୍ କରିଦେବା ।

 

ଟିକେ ଧୀର ଗଳାରେ ମଳୟ ଦାସ ପୂର୍ଣ୍ଣପ୍ରଭାଙ୍କ ହାତ ପାପୁଲିକୁ ଧରି ନିର୍ଲିପ୍ତଭାବରେ ମୁହଁକୁ ଚାହିଁ ଆରମ୍ଭ କଲେ–ଏତେ ଇମୋସନାଲ ଆପଣ ପୂର୍ଣ୍ଣପ୍ରଭାଦେବୀ !!

 

ଇମୋସନ ନ ନେଇ କ’ଣ ବଞ୍ଚିହୁଏ ଜୀବନ ସାରା ? ସେଇ ଗୋଟିଏ ଖିଆଲ ନେଇ ଜୀବନ ପଥରେ ଅଗ୍ରସର ହୋଇନଥିଲେ ଆଜି କ’ଣ ସୁଦୂର କଟକ ଆସି ପାରିଥାନ୍ତେ ସେ ? ଭିଟାମାଟି ଛାଡ଼ିବାର ଦିନ ଦିନ ହୋଇ କେତେ ବର୍ଷ ବିତି ଗଲାଣି–କେତେ ସ୍ମୃତିର ସମାବେଶର ସ୍ମାରକୀ ନେଇ ଜନ୍ମମାଟିର ଅତୁଟ ମମତାକୁ ଭୁଲିପାରିଲେ ପୂର୍ଣ୍ଣପ୍ରଭା–ଅଥଚ ତାଙ୍କ ଆଖିରୁ ଲୁହ ତ ବୋହିନି ! ଅସମ୍ଭବ ଧୈର୍ଯ୍ୟଧରି ସେ ନୀରବ ରହିପାରିଛନ୍ତି ତ !

 

ସେଇଦିନ… ଏକ ନିରନ୍ଧ୍ର ଅନ୍ଧକାର ଭିତରେ ଗୋଧୂଳି ଆତ୍ମଗୋପନ କରୁଥିଲା…

 

କେଉଁ ଏକ ଅଦୃଷ୍ଟ ଇଙ୍ଗିତ ଥିଲା କେଜାଣି, ଲଗାମ ଛଡ଼ା ବିବେକ ଆଉ କୌଣସି ସାମାଜିକ ପରିସ୍ଥିତି ପ୍ରତି ସଚେତନ ନ ଥିଲା । ସେ ମୁହୂର୍ତ୍ତର ଖିଆଲ ମନେପଡ଼ିଲେ ଏବେବି ଲୋମ ମୂଳରେ କମ୍ପନ ଜାଗେ, ଶିହରିତ ହୁଏ ଗୋପନ ଅନ୍ତରର କାହାଣୀ ।

 

ଗୁଣନିଧିବାବୁଙ୍କ ହାତରେ ନବଜାତ ଶିଶୁକୁ ତୋଳି ଦେଇଥିଲେ ସେ ସାମାଜିକ ପ୍ରତିଷ୍ଠା ନେଇ ଟିକେ ବଞ୍ଚିଯିବେ ବୋଲି ??

 

ବଞ୍ଚିବାର ନିଶା କେଡ଼େ ତୀବ୍ର ସତେ ଏ ମଣିଷର !!!

 

ଅନେକ ସମୟରେ ସ୍ମୃତି ଏକ ଶିଖାଭଳି ଜଳେ…ତା’ର ଦହନରେ ପୂର୍ଣ୍ଣପ୍ରଭାଙ୍କ ସବୁଜ ମନ ଜଳିପୋଡ଼ି ପାଉଁଶ ହୋଇଯାଏ । ସେଇ ପାଉଁଶ ଭିତରୁ ବ୍ୟାକୁଳ ହୋଇ ପୂର୍ଣ୍ଣପ୍ରଭା ଖୋଜି ଚାଲନ୍ତି ସଜଫୁଟା କଳିକାର ପ୍ରକାଶୋନ୍ମୁଖୀ ଆକାଂକ୍ଷା–ବିକଶିତ ହେବାର ଦୁର୍ବାର ବାସନା…ଦୁନିଆଁର ଆଲୋକ ଦେଖିବା ପୂର୍ବରୁ ବୃନ୍ତଚ୍ୟୁତା ମନର କଳିକା ପାଇଁ ତାଙ୍କ ଆଖିରୁ ଅଶ୍ରୁ ଝରେ ।

 

ଲୋକଲୋଚନ ଅଜ୍ଞାତରେ ସେ ଅଶ୍ରୁ ପୋଛି ଦିଅନ୍ତି ପୂର୍ଣ୍ଣପ୍ରଭା । ତାଙ୍କୁ ଲୁହ ସବୁ ପୋଛିବାକୁ ହେବ । ସେଥିପାଇଁ ସେ ପ୍ରତିଜ୍ଞା କରିଛନ୍ତି ।

 

ନା–ସେ ସବୁ ସ୍ମୃତି କେବଳ ଅନ୍ଧକାର ହେଉ । ଅତୀତ ତାଙ୍କ ପାଇଁ ମୃତ କବରର ସ୍ଥିର ପାଷାଣ ହେଉ । ଭୁଲରେ କେବେ ତାକୁ ଆଉ ମନେପକାଇବାକୁ ଚେଷ୍ଟା କରିବେନି ସେ ।

 

ଭାବପ୍ରବଣ ହୋଇ ପୂର୍ଣ୍ଣପ୍ରଭାଙ୍କ ଆଖିରେ କେତେବେଳୁ ଅଶ୍ରୁ ଜମାଟ ବାନ୍ଧି ସାରିଥିଲା-। ଅନେକବେଳୁ ପୂର୍ଣ୍ଣପ୍ରଭାଙ୍କ ଏ ମନୋଭାବ ଲକ୍ଷ୍ୟ କରୁଥିଲେ ମଳୟ ଦାସ ।

 

ଧୀର ସ୍ପର୍ଶ ଦେଲେ ଡାକ୍ତର–“ପୂର୍ଣ୍ଣପ୍ରଭାଦେବୀ ।” ଆପଣଙ୍କ ଆଖିରେ ଆଜି ଏତେ ଲୁହ କାହିଁକି ? ଆପଣଙ୍କ ଲୁହ ଦେଖିଲେ ମୋର ମନେହେଉଛି ମୁଁ ନିଜକୁ ମୋ ନିଜ ଭିତରେ ହଜେଇ ଦେଇ ଖୋଜୁଛି, ଅଥଚ ପାଉନି ।”

 

ପ୍ରକୃତରେ ହଜିଛି କିଏ ?

 

କାହାକୁ କାହାଭିତରେ ହଜେଇ ଦେଇଛି ? ଭାବୁଥିଲେ ପୂର୍ଣ୍ଣପ୍ରଭା । ସହରର ଚାକଚକ୍ୟ ଭିତରେ ପୁଣି ଥରେ ସାମାଜିକ ପ୍ରତିଷ୍ଠା ନେଇ କୁମାରୀ ବୋଲି ନିଜକୁ ପରିଚୟ ଦେଇ ପ୍ରଣୟର ନୂଆ ରଙ୍ଗ ମାଖି ପୂର୍ଣ୍ଣପ୍ରଭା ଅତୀତକୁ ହଜାଇ ଦେଇଛନ୍ତି–ଦେବାପାଇଁ ଚେଷ୍ଟା କରିଛନ୍ତି ।

 

ଆଉ ! ଡାକ୍ତର ମଳୟ !!

 

ଜଣେ ଉଚ୍ଚଶିକ୍ଷିତା ନାରୀ ନିକଟରେ ହଜେଇ ଦେଇଛନ୍ତି ତାଙ୍କର ଅଖଣ୍ଡ ସମ୍ମାନ, ପ୍ରତିପତ୍ତି, ପୌରୁଷତ୍ଵ, ଗାମ୍ଭୀର୍ଯ୍ୟ ଓ ସବୁକିଛି ।

 

ପ୍ରାପ୍ତି କାହାର କେତେ ?

 

ହଜାଇବାର ହତାଶା କାହାର କେତେ ?

 

ଦୁହେଁ ଦୁହିଁଙ୍କୁ ଚାହୁଁଥିଲେ ସ୍ଥିର ଅଥଚ ନିଷ୍ପଲକ ଆଖିରେ । ନିବିଡ଼ ସାନ୍ନିଧ୍ୟ ମଧ୍ୟରେ ରହି ପୂର୍ଣ୍ଣପ୍ରଭାଙ୍କ ଚିନ୍ତାଧାରା ଦ୍ଵିମୁଖୀ ହେଉଥିଲା–ଗୋଟିଏ ନଦୀର ଦୁଇଟି ଉପଧାରାଭଳି ।

 

ଭାଓଲିନ୍ ବାଜୁଥିଲା । … ଜୀବନର ବେଦନା–ଗୀତିକାକୁ ଆହୁରି ଆର୍ଦ୍ରକରି ଶାନ୍ତ ଏବଂ ସଂଗୋପନରେ ।

 

ଦୀପଶିଖା ଜଳୁଥିଲା ଥରି ଥରି … ନିର୍ବାଣର ଅନାଗତ ଆଶଙ୍କାରେ ।

 

ନିକଟ ଆମ୍ବଗଛରେ ଦୁଇଟି ପକ୍ଷୀର କୂଜନ ଶୁଭୁଥିଲା ସ୍ପଷ୍ଟ ଭାବରେ । ବୁଝି ନ ପାରୁଥିଲେ ମଧ୍ୟ ମନହେଉଥିଲା ସେମାନଙ୍କ ଅଭିବ୍ୟକ୍ତି ଭିତରେ ଅଜସ୍ର କରୁଣତାର ସ୍ପର୍ଶ ଭରି ରହିଛି । ମଝିରେ ମଝିରେ କୌଣସି ଯାନବାହାନର ଶବ୍ଦ ବାୟୁମଣ୍ଡଳରେ ଖେଳାଇ ହୋଇ ପୁଣି ସୃଷ୍ଟି କରୁଥିଲା ମର୍ମନ୍ତୁଦ ନୀରବତା ।

 

କାନ୍ଥ କଣ୍ଟା ଟିକ୍ ଟିକ୍ ଶବ୍ଦ କରି ଚାଲିଛି କର୍ମରତ ସୈନିକଭଳି । ଦୁନିଆଁର କୌଣସି ପରିବର୍ତ୍ତନ ଯେପରି ତାକୁ ପ୍ରଭାବିତ କରିପାରିନାହାନ୍ତି । ହସ–କାନ୍ଦ, ଆଶା–ନିରାଶା, ଜନ୍ମ–ମୃତ୍ୟୁର ହିସାବ ନରଖି ସେ ଚାଲିଛି । ନିତିଦିନିଆ ଘଟଣାଗୁଡ଼ାକ ଏସବୁ ! ଧରି ବସିଲେ କ’ଣ ଚଳିପାରିବେ ଡାକ୍ତର ?

 

କାନ୍ଥ ଘଣ୍ଟାକୁ ଚାହିଁଲେ ଡାକ୍ତର–ରାତି ଦୁଇଟା ।

 

ସଂଜ୍ଞାହୀନଭଳି ଶୋଇପଡ଼ିଛନ୍ତି ନିବେଦିତା । ଆରଘରୁ ପ୍ଲେଟ୍‌ଚାମଚ୍‌ର ଟୁଣଟାଣ ଶବ୍ଦ ଶୁଭୁଛି । ଶଚୀକାନ୍ତ ବୋଧହୁଏ ପାଣି ଗରମ କରୁଛନ୍ତି ଷ୍ଟୋଭରେ ।

 

ତରୁଣ ଡାକ୍ତର ଏଇ ମଳୟ ଦାସଙ୍କ ଉପରେ ଶଚୀକାନ୍ତଙ୍କର ଗଭୀର ବିଶ୍ଵାସ । ଯେତେ ପ୍ରବୀଣ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ସେ ଗ୍ରହଣ କଲେ ସୁଦ୍ଧା ମଳୟ ଦାସଙ୍କୁ ଶଚୀକାନ୍ତ ପ୍ରଥମରୁ ହିଁ ବିଶ୍ଵାସ କରିଥିଲେ ।

 

ନିବେଦିତା ଭଲ ହୋଇଯିବେ ।

 

ଆଜି କି ଦୀର୍ଘ ଛଅ ମାସ ହେଲା ଶଯ୍ୟାଶାୟୀ ସେ । ପ୍ରକୃତ ରୋଗ ଚିହ୍ନିବା ଡାକ୍ତରମାନଙ୍କ ପକ୍ଷେ ଏପର୍ଯ୍ୟନ୍ତ ମଧ୍ୟ ସମ୍ଭବ ହେଇନି । ବିଭିନ୍ନ ଆଡ଼ୁ ବିଭିନ୍ନ ସନ୍ଦେହ କରି ଡାକ୍ତରମାନେ ପରୀକ୍ଷା ଚଳେଇ ଔଷଧ ଦେବାରେ ଲାଗିଛନ୍ତି । ସତେ ଯେମିତି ନିବେଦିତାଙ୍କର ଦେହଟା ଏକ ବିଜ୍ଞାନଗାର ହେଇଗଲାଣି ।

 

ନିବେଦିତା ଆଜି ବହୁତ ସିରିଅସ୍ ହୋଇ ପଡ଼ିଛନ୍ତି । ସକାଳୁ ଦେହରେ ଜ୍ଵର ବହୁତ । ପ୍ରବଳ କାଶ । ମଝିରେ ମଝିରେ ରକ୍ତ ପଡ଼ୁଛି ସେଥିରୁ । ଦେହ ହାତ ମଧ୍ୟ ଅସମ୍ଭବ ଭାବରେ ଫୁଲି ଉଠିଛି । ଆଖି ଖୋଲି ଚାହୁଁ ନାହାନ୍ତି ସେ । ସେଇଥିପାଇଁ ଶଚୀକାନ୍ତ ଡାକ୍ତର ମଳୟଙ୍କୁ ବାଧ୍ୟ କରିଛନ୍ତି ରହିବାକୁ ।

 

ପାଣି ଆଣିଲେ ଶଚୀକାନ୍ତ । ଟେବୁଲ୍ ଉପରେ ଥୋଇଦେଇ ନିବେଦିତାଙ୍କୁ ଚାହିଁଲେ । ଯନ୍ତ୍ରଣାର ନାଗଫାଶରୁ ମୁକ୍ତି ପାଇଁ ସତେ ଯେପରି ସଂଗ୍ରାମ କରି ଚାଲିଛନ୍ତି ନିବେଦିତା । କ୍ଳାନ୍ତ ଅବୟବ, ଝରାଫୁଲର ପାଖୁଡ଼ାଭଳି ଶୁଖିଯାଇଛି । ଆଃ ! ଦୀର୍ଘଶ୍ୱାସ ନେଲେ ଶଚୀକାନ୍ତ ।

 

ଏଇ ନିବେଦିତା ହିଁ ତାଙ୍କର ଜୀବନ । ତାଙ୍କର ଅତୀତ ସେ । ତାଙ୍କର ଇତିହାସ ମଧ୍ୟ । ଗୋଟାଏ ଅଙ୍ଗ ହଠାତ୍ ଅକାମୀ ହେଇଗଲାପରି ଅନୁଭବ କରୁଥିଲେ ଶଚୀକାନ୍ତ ।

 

ମଳୟ ଦାସ ଦେଖୁଥିଲେ ଶଚୀକାନ୍ତଙ୍କୁ ।

 

“ଶଚୀକାନ୍ତ”–ଡାକିଲେ ମଳୟ ।

 

ସୀମାହୀନ ଦରଦ ଭରିଯାଇଥିଲା ତାଙ୍କ ସସ୍ନେହ ଡାକରେ ।

 

ସାମାନ୍ୟ ଭିଜି ଯାଇଥିବା ଅନୁଭବଗୁଡ଼ାକ ଯେପରି ପୂରା ଓଦା ହୋଇଗଲା ସେ ଡାକରେ । ସମବେଦନାର ସ୍ପର୍ଶ ଏତେ ନରମ !

 

“ତୁମେ ସବୁବେଳେ ଏତେ ବ୍ୟସ୍ତହୁଅନି ଶଚୀକାନ୍ତ ! ନିବେଦିତାଙ୍କ ଦେହ ନିଶ୍ଚୟ ଭଲ ହୋଇଯିବ । ଏଇଟା ଜୀବନର ଗୋଟାଏ ଗୋଟାଏ ସମୟ । ଭାଗ୍ୟବାଦୀ ମଣିଷ ଏଇ ମୁହୂର୍ତ୍ତଗୁଡ଼ାକୁ ବିଶ୍ୱାସ କରେ–ଭଗବାନଙ୍କୁ ସ୍ମରଣ କରେ । କିନ୍ତୁ ତା’ର ସେ ଯନ୍ତ୍ରଣା ଯେତିକିଦିନ ପାଇଁ ଉଦ୍ଦିଷ୍ଟ ସେତିକି ଦିନ ନ ହେଲେ ସେ ଘୁଞ୍ଚିବ କେମିତି ?” ଅନୁଭୂତିହୀନ ସରଳ ବାଳକକୁ ବୁଝାଇଲାଭଳି ମଳୟ ଦାସ ଶଚୀକାନ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ନିଜ ଭିତରେ ତାଙ୍କ ଛାତି ଭିତରୁ ଯେପରି କିଏ ତାଙ୍କ କଣ୍ଠନଳୀକୁ ଚାପି ଧରୁଥିଲା ।

 

ଘନ ଘନ ବିଜୁଳି ମାରୁଛି ଆକାଶରେ ।

 

ଅଦିନ ବର୍ଷାର ସୂଚନା ମିଳୁଛି । ଖୁବ୍ ଜୋରରେ ପବନ ପିଟୁଛି । ଝରକା ପାଖ ଟେବୁଲରେ ଥୁଆ ହୋଇଥିବା କାଚ ଗିଲାସଟିରେ ଝରକାର ପର୍ଦ୍ଦା ବାଜି ସେଇଟା ଖସିପଡ଼ିଲା ତଳକୁ–ଭାଙ୍ଗି ଚୁର୍‌ମାର୍ ହୋଇଗଲା ।

 

ଚମକି ଉଠିଲା ଟୁକୁନି । କାନ୍ଦି କାନ୍ଦି ନିବେଦିତାଙ୍କ ଶେଯାଆଡ଼କୁ ମାଡ଼ି ଆସିଲା ସେ । କୌଣସି ବାରଣ ସେ ମାନିବନି । ଦୁଇ ବର୍ଷର ଅବୁଝା ଶିଶୁ ସେ–ମା’ ପାଖରୁ ଦୂରେଇ ରଖାଯାଇଛି କେବଳ ନିବେଦିତାଙ୍କର ଦେହର ଅସୁସ୍ଥତା ଯୋଗୁ ।

 

ବାରଣ କଲେ ମଳୟ । ତର ତର ହୋଇ ଟୁକୁନିକୁ କୋଳକୁ ନେଇ ବୁଝେଇବାର ଚେଷ୍ଟାକଲେ; ମାତ୍ର ଟୁକୁନି ଅବୁଝା । ହୁଏତ ମା’ ସମ୍ପର୍କରେ ସେ କିଛି ଦୁଃସ୍ଵପ୍ନ ଦେଖିଛି । ମା’ କୋଳ ଖୋଜୁଛି ସେଥିପାଇଁ ।

 

ଶଚୀକାନ୍ତ ମଳୟ ଦାସଙ୍କ ପାଖରୁ ଟୁକୁନିକୁ ଆଣିଲେ ।

 

“ତାକୁ ବାରଣ କରନ୍ତୁନି ଡାକ୍ତର । ତାକୁ ତା’ର ମାଆ ପାଖକୁ ଯିବାକୁ ଦିଅନ୍ତୁ । ମମତାର ନୌସର୍ଗିକ ଆକର୍ଷଣ ପାଖରେ ସଂକ୍ରାମକତ୍ୱଟା ହାରିଯାଏ ମଳୟବାବୁ ! ମୋର ବିଶ୍ଵାସ ନିବେଦିତାଙ୍କର ଯେତେ ନିକଟ ସଂସ୍ପର୍ଶରେ ଆସିଲେ ମଧ୍ୟ ଟୁକୁନି ସବୁ ସଂକ୍ରାମକତ୍ୱଠାରୁ ଦୂରରେ ରହିବ । କୌଣସି ପ୍ରଭାବ ତା’ର ଦେହରେ ପଡ଼ିବନି ।

 

ଟୁକୁନିକୁ ନେଇ ନିବେଦିତାଙ୍କର ପାଖରେ ବସେଇଦେଲେ ଶଚୀକାନ୍ତ ।

 

କାନ୍ଦି କାନ୍ଦି ମାଆ ମାଆ ଡାକି ନିବେଦିତାଙ୍କ କୋଳରେ ଲୋଟିପଡ଼ୁଛି ଟୁକୁନି । ଅସହାୟ ଶିଶୁ ଖୋଜୁଛି ଆଶ୍ଵାସନା । ସୃଷ୍ଟି ଚାହୁଁଛି ତା’ର ସ୍ରଷ୍ଟାକୁ–ରକ୍ତ ଡାକୁଛି ରକ୍ତକୁ–ଉଠିବେ ନିଶ୍ଚୟ ନିବେଦିତା ।

 

ଶିଶୁ ଡାକରେ ଥରିଉଠିଛି ଧରିତ୍ରୀ–ନିଷ୍କପଟ ମମତାର ରୂପ ସେ । ସତ୍ୟ ଓ ଶାଶ୍ଵତର ଅପରୂପ ପ୍ରକାଶର ଦୀପ୍ତି ସେ ।

 

ପୁଣି ଥରେ ଡାକିଲା ଟୁକୁନି…

 

କଅଁଳ ହାତପାପୁଲି ଦୁଇଟାରେ ନିବେଦିତାଙ୍କର ମୁହଁକୁ ଆଉଁସି ଲାଗିଲା । ମୃତ୍ୟୁସଞ୍ଜିବନୀର ସ୍ପର୍ଶରେ ହଠାତ୍ ଜାଗରିତ ହେଲେ ନିବେଦିତା ।

 

ଦୁଇ ଆଖି ମେଲି ଚାହିଁଲେ ନିବେଦିତା । ଓଠ ତାଙ୍କର ଥରୁଛି । କେତେ କହିବାର ବ୍ୟାକୁଳତା ସେଥିରେ ସୁସ୍ପଷ୍ଟ । ଆଖିରେ ତାଙ୍କର ବ୍ୟଥାଭରା ଚାହାଣି । ଟୁକୁନିକୁ କୋଳକୁ ନେବାକୁ ବହୁ କଷ୍ଟରେ ଦୁଇ ହାତ ଉପରକୁ ଟେକିଲେ ସେ ।

 

ଲକ୍ଷ ସାଧନାର ରୂପାୟନ ତାଙ୍କର ଟୁକୁନି… !!!

 

ଥରିଲା ଓଠରେ ବୋକ ଦେଲେ ନିବେଦିତା । ଆଖିରୁ ତାତିଲା ଲୁହ ଦୁଇଧାର ବହି ଆସିଲା ।

 

ସେ ଲୁହ ମା’ ଅନ୍ତରର ପରିତୃପ୍ତ ମମତାର ! ସେ ଲୁହ ପୂର୍ଣ୍ଣତାର ।

 

ଆଶ୍ଚର୍ଯ୍ୟ ହେଲେ ମଳୟ । ଦେଖୁଥିଲେ କେବଳ ସେ ନେବିଦିତାଙ୍କୁ ନିଷ୍ପଲକ ଆଖିରେ-

 

ଅଦ୍ଭୁତ ସତେ ଏଇ ନିବେଦିତା !! ଅଦ୍ଭୁତ ତାଙ୍କର ଚରିତ୍ର !! ଆହୁରି ଅଦ୍ଭୁତ ଏଇ ନାରୀ ମନର ସାନ୍ଦ୍ରଗୋପନତା !!

 

ମଣିଷ ଜାଣେ, ଦୁଃଖର ଆଘାତ କେତେ ! ତଥାପି ସେ ଦୁଃଖର ମାଳା ପିନ୍ଧେ । ତାକୁ ହିଁ ଆଶ୍ଳେଷ କରି ସେ ନିଜ ଭିତରେ ନିଜେ ହଜିଥାଏ । ତା’ ସହିତ ଏକାକାର ହୋଇଯାଏ ।

 

ଦୁଃଖ ଯଦି ଏକ ଫୁଲ ହୁଏ–ସେ ଚାହେଁ ତା’ର ସୁଗନ୍ଧ ହୋଇ ଝରି ଯିବାକୁ । ଦୁଃଖ ଯଦି ଏକ ନଈ ହୁଏ–ସେ ଚାହେଁ ତା’ର ସ୍ରୋତର ଧାରେ ଧାରେ ବହିଯିବାକୁ–ଦୁଃଖ ଯଦି ଏକ ପକ୍ଷୀ ହୁଏ–ଚାହେଁ ସେ ଏଇ ଜୀବନର ସଙ୍ଗୀତ ଗାଇ ପଥହରା ପାନ୍ଥଲାଗି ସମବେଦନାର ସଂଳାପ ଦେବାକୁ । କବି, କଳାକାର, ଭାବୁକ, ଦର୍ଶକ ସମସ୍ତେ କାହିଁକି ଦୁଃଖଟାକୁ “ଜୀବନ” ବୋଲି ଗ୍ରହଣ କରନ୍ତି ?

 

କାହିଁକି ସବୁବେଳେ ଦୁଃଖାନ୍ତକ ପରିଣତି କଳାରେ ସୃଷ୍ଟିକରିଛି ଜୀବନ୍ତଭାଷା, ଦେଇଛି ତାକୁ ବଞ୍ଚିବାର ଉପାଦାନ !! ନିର୍ଜୀବ ପ୍ରସ୍ତରର ନିଷ୍ଠୁର ନିହାଣ ଭିତରୁ ଫୁଟିଉଠିଛି ଦରଦୀ କଣ୍ଠର ଭାଷାହୀନ ଆକୁଳତା–କବିତାର ଦରଦୀ ଛାତିରୁ ଝରିଛି ଅସଂଖ୍ୟ ସାଗରର ଅଶ୍ରୁ…ନ ହେଲେ କ’ଣ Shelley ଲେଖିଥାନ୍ତେ, Our sweetest songs are those that tell us saddest thoughts…ଦୁଃଖଟା ଯେମିତି ଜୀବନର ଏକମାତ୍ର ସତ୍ୟ । ସେଇ କବି ବଞ୍ଚିପାରିଛି ଯିଏ ବୋଲି ହୋଇଛି ଜ୍ଵାଳାର ଚନ୍ଦନ । ଯିଏ ଜାଳିଛି ଜୀବନକୁ ତିଳ ତିଳ କରି, ସେଇ ହୋଇଛି ବଡ଼ । ସେଇ ହୋଇଛି ମହାନ୍ ।

 

ହଠାତ୍ ଭାବନା ବାଧାପ୍ରାପ୍ତ ହେଲା ନିବେଦିତାଙ୍କର ।

 

ଜୀବନ ବୀଣାର କାରୁଣ୍ୟ–ତା’ର ଝଙ୍କାର ତୋଳୁଥିଲା ଏକ ଅଧୀର ତରଙ୍ଗ ସୃଷ୍ଟିକରି ।

 

ସେଦିନର ଏକ ବାସନ୍ତୀ ସନ୍ଧ୍ୟା ।

 

ରାତି ପ୍ରାୟ ଦଶଟା ହେବ । ଗୌରୀଶଙ୍କର ପାର୍କରେ ବସିଥିଲେ ନିବେଦିତା ଶଚୀକାନ୍ତଙ୍କ ସହିତ । ଏତେ ରାତିରେ କୌଣସି ସମ୍ଭ୍ରାନ୍ତ ପରିବାରର କୁଳବଧୁ ପାର୍କରେ ବସିବା ଆଦୌ ସମୀଚୀନ ନୁହେଁ । କିନ୍ତୁ କୌଣସି ସମୀଚୀନତାକୁ ମାନିନେବାକୁ ନିବେଦିତାଙ୍କ ମନଟା ଯେମିତି ଏକରକମ ଅବାଧ୍ୟ ହୋଇ ଉଠିଥିଲା ।

 

ତାଙ୍କର ଆଖି–ଦର୍ପଣରେ ବାରମ୍ବାର ପ୍ରତିଫଳିତ ହେଉଥିଲା ପୂର୍ଣ୍ଣପ୍ରଭାଦେବୀଙ୍କର ସେ ଚିଠିଟା । ଯେଉଁ ଚିଠିରେ ପୂର୍ଣ୍ଣପ୍ରଭା ସ୍ପଷ୍ଟ ଲେଖିଥିଲେ ତାଙ୍କ ଜୀବନର ଗୋପନ ଅଭିବ୍ୟକ୍ତ ! ସେଥିରେ ଥିଲା ଏକ ସଂକେତ, ଏକ ପ୍ରଚ୍ଛନ୍ନ ଆଦେଶ, ଅନୁରୋଧ… । ପୂର୍ଣ୍ଣପ୍ରଭା ଲେଖିଥିଲେ–

 

ହୋଟେଲ ‘ସୀମା’

 

ସମୟ–ରାତ୍ରି ବାରଟା

 

ନବରାତ୍ରି–ଜାନୁୟାରୀ ୧

 

ନିବେଦିତା !

 

ଶୁଭେଚ୍ଛା ନେବେ ନବବର୍ଷର ।

 

ଆଜି ନବବର୍ଷର ପ୍ରଥମ ରାତ୍ରିରେ ତୁମ ପାଖକୁ ଚିଠି ଲେଖିବା ପାଇଁ ମୋ ଭିତରେ ଏକ ବ୍ୟାକୁଳତା ମୁଁ ଅନୁଭବ କରୁଛି । ଯୁଗ ଯୁଗର ସଞ୍ଚିତ କାହାଣୀ ଏବଂ ଗୋପନତାକୁ ତୁମ ପାଖରେ ଖୋଲି ଦେବାପାଇଁ ମୋତେ ଅଧିର ଲାଗୁଛି । ଏ ଅଧୀରତା ଆଜି କାହିଁକି ମୁଁ ଅନୁଭବ କରୁଛି ତା’ ହୁଏତ ମୁଁ ନିଜେ ବି ଜାଣେନି । ତୁମେ ହିଁ ମୋର ଦରଦୀ ବାନ୍ଧବୀ–ତୁମେ ହିଁ ଦେଇପାରିବ ମୋ ଆତ୍ମା ଦହନର ଉପଶମ ଲାଗି ସମବେଦନାର ମନ୍ଦାକିନୀ ।

 

ଜୀବନଟାକୁ ଖିନ୍‌ଭିନ୍ କରି ତୁମେ ଦେଖିବ ନିବେଦିତା, ଜୀବନର ଅନୁଭୂତିର ଡାଏରୀ ଖାତାରେ ଚିହ୍ନା ଅଚିହ୍ନା କେତେ ସ୍ମୃତିର ପରିଭାଷା । ସବୁ କ’ଣ ପଢ଼ିହୁଏ ? କେତେ ଅସ୍ପଷ୍ଟ ରେଖା ଅଙ୍କିତ ହୋଇଯାଇଥାଏ ସେଥିରେ । ସେଇ କେତୋଟି ଅସ୍ପଷ୍ଟ ଲିପି ଭିତରୁ ସେତିକି ମୁଁ ଉଦ୍ଧାର କରିଛି, ଯାହାକୁ କି ମୁଁ ମୋ ଜୀବନର ସମ୍ପଦ ବୋଲି ସାଇତି ରଖିବାକୁ ଚେଷ୍ଟା କରୁଛି । ତୁମେ ତା’ର ଉପଯୁକ୍ତ ମୂଲ୍ୟ ଦେବ ନିବେଦିତା !

 

ମୋର ଅତୀତକୁ ତୁମ ଆଗରେ ଟିକିନିଖି କରି ଖୋଲି କହିଲେ ତୁମେ ମୋତେ କେବଳ ସହାନୁଭୂତି ନ ଦେଖାଇ ଦୟା କରନ୍ତ । କିନ୍ତୁ ଆତ୍ମାଗାରିମାର ଯେଉଁ ମୁଖା ଆମ୍ଭେମାନେ ପିନ୍ଧିଛୁ,ସେ ମୁଖାର କଠୋର ଆବରଣ ଭେଦ କରି ଅତୀତ ମୋର ମୁଣ୍ଡଟେକି ପାରୁନି । ତେବେ ଏତିକି ତମେ ଜାଣ ନିବେଦିତା, ଆଜି ଯେଉଁ ପୂର୍ଣ୍ଣପ୍ରଭାକୁ ଦେଖୁଛ, ଏ ପୂର୍ଣ୍ଣପ୍ରଭାର ଆଉ ସ୍ଵତନ୍ତ୍ର ସତ୍ତା କିଛି ନାହିଁ ନିବେଦିତା ! ସବୁକିଛି ଉତ୍ସର୍ଗୀକୃତ…ଆଉ ତା’ର ଏ ଦେହଟା କେବଳ ଅତୀତର ପ୍ରସ୍ତରରେ ଖୋଦିତ ଏକ ସ୍ମୃତିରେ ଶିଳାଲିପି ।

 

ମୁଁ ବି ଦିନେ ଦ୍ରାକ୍ଷାବର ସ୍ଵପ୍ନ ଦେଖିଥିଲି–ବୟସର ନିଶା ମୋତେ ମଧ୍ୟ ପାଗଳ କରିଥିଲା….ସେଇ କେତେଟା ମୁହୂର୍ତ୍ତର ଖିଆଲରେ ମୋର ସର୍ବସ୍ଵ ମୁଁ ଅର୍ପଣ କରି ସାରିଛି । ମୁଁ ମା’ ହୋଇ ସାରିଛି ନିବେଦିତା ! ଲାଞ୍ଛିତ ପ୍ରଣୟର ସ୍ୱାକ୍ଷରକୁ ସାହସର ସହ ପାଖରେ ରଖି ଜୀବନର ଦୀର୍ଘପଥ ଚାଲିପାରିବାର ଦମ୍ଭ ମୋର ହେଲାନି । ସେଥିପାଇଁ ନବଜାତ ଶିଶୁଟିର ଦାୟିତ୍ଵ ଜଣେ ପରିଚିତଙ୍କୁ ଦେଇ ଯେଉଁଦିନ ଅଧରାତିରେ ମୁଁ କଳଙ୍କର ଦାଗ ପୋଛି କଟକ ପଳେଇ ଆସିଥିଲି, ସେଦିନର ଅନୁଭୂତି ତୁମେ ବୁଝିପାରିବନି ନିବେଦିତା, ଏବେ ବି ମନେପଡ଼ିଲେ ଲୋମମୂଳ ଟାଙ୍କୁରି ଉଠେ ।

 

ସନ୍ତାନର ଜନକ ପ୍ରଣୟୀ ଚନ୍ଦ୍ରଶେଖର ଆଜି ବହୁ ଦୂରରେ... !

 

ମୁଁ ସାହସ ବାନ୍ଧିଲି । ଆଖିରୁ ଲୁହ ପୋଛିଲି–ମୋତେ ବଞ୍ଚିବାକୁ ହେବ । ସୃଷ୍ଟି ଆଗରେ ନୂଆ ରୂପନେଇ ମୋତେ ସଂଗ୍ରାମ କରିବାକୁ ହେବ । ଅବାଞ୍ଛିତ ଭାବରେ ଯେଉଁ ଅନାଗତ ଏ ସୃଷ୍ଟିକୁ ଆସିଛି ତା’ପାଇଁ କିଛି କରିବାକୁ ହେବ ।

 

ନିବେଦିତା !

 

ତୁମ ନିକଟରେ ଯେଉଁ କେତେଥର ମୋର ସାକ୍ଷତ ହୋଇଛି, ସେ ଆଳାପ ଆଲୋଚନା ମୋତେ ଆଜି ଏ ପ୍ରେରଣା ଦେଇଛି ତୁମ ପାଖକୁ ପତ୍ର ଲେଖିବା ପାଇଁ । ମୋ ଜୀବନର ଏଇ ନିଭୃତ, ନିଷ୍ଠୁର ଏବଂ ଗୋପନ ସତ୍ୟକୁ ତୁମ ଆଗରେ ଖୋଲି ଦେବାରେ ତ ମୋର ତିଳେ ହେଲେ କୁଣ୍ଠା ନାହିଁ–ତୁମେ ଏ ଚିଠିର ଆରମ୍ଭ ଓ ଶେଷ ପଢ଼ିସାରିବା ପରେ ମୋ’ପ୍ରତି ଯେ ନିଶ୍ଚୟ ସହାନୁଭୂତିଶୀଳ ହେବ, ସେ ଗଭୀର ବିଶ୍ୱାସ ମୋର ଅଛି ନିବେତିତା ! ମୁଁ ଜାଣେ, ତୁମେ ପଥର ନୁହେଁ–ତୁମେ ନାରୀ–ତୁମେ ସ୍ନେହମୟୀ… ।

ମମତା କ’ଣ ତୁମେ ଜାଣିଛ–ବଞ୍ଚିବାର ଉପାଦାନ ତମେ ଦେଇପାରିବ ମୋତେ ।

ନିବେଦିତା !

ଶୁଣିବ !! ଏମ୍.ଏ. ପରୀକ୍ଷା ଦେଇସାରି ଏଠି ଅଧ୍ୟାପିକା ଭାବରେ ନିଯୁକ୍ତିପତ୍ର ମୁଁ ପାଇଛି । ପରିସର ମୋର ସ୍ୱତନ୍ତ୍ର ହୋଇ ଉଠିଛି, ଭଦ୍ରତାର ଘୋଡ଼ଣି ଭିତରେ ସବୁକିଛି ମୁଁ ଢାଙ୍କି ରଖିଛି । ଡାକ୍ତର ମଳୟ ଦାସ ଆପେ ଆପେ ମୋ ପାଖରେ ଧରା ଦେଇଛନ୍ତି । ତାଙ୍କ ସହ ବନ୍ଧୁତା କ୍ରମାଗତ ଭାବରେ ଏକ ଦୁର୍ବଳତାରେ ପହଞ୍ଚି ଯାଇଛି । ଏ ଦୁର୍ବଳତାର ବାସନା ଦୁର୍ବାର; ତା’ର ପରିଣତି କେଉଁଠି ମୁଁ ଜାଣେନି ନିବେଦିତା ! ହେଲେ ମୁଁ ଅନୁଭବ କରୁଛି, ମଳୟ ଦାସଙ୍କ ବ୍ୟତୀତ ମୁଁ ବଞ୍ଚି ପାରିବିନି ।

ଶୁଣିଲି, ତୁମକୁ ପ୍ରାଣମୂର୍ଚ୍ଛା ଚିକିତ୍ସା କରିବା ପଛରେ ତାଙ୍କର ସ୍ୱାର୍ଥ ଅଛି । ତୁମପାଇଁ ତାଙ୍କର ସେ ସ୍ୱାର୍ଥ କ’ଣ ହୋଇପାରେ ନିବେଦିତା ? ତୁମେ ବିବାହିତା, ସନ୍ତାନବତୀ । ତୁମ ସ୍ୱାମୀ ସୁନ୍ଦର, ସୁପୁରୁଷ । ତଥାପି ତୁମ ପ୍ରତି ତାଙ୍କର ଦୁର୍ବଳତା କାହିଁକି ?

ମୋର ସ୍ଵପ୍ନ-ସାଉଁଟା ଫୁଲଦାନୀରେ ଯେଉଁ ଆଲ୍‌ପନା ମୁଁ ରଚନା କରିଛି, ତାକୁ ତୁମେ ଭାଙ୍ଗିଦିଅନି ନିବେଦିତା । ଯଦି ଏ ଶ୍ରୁତି ସତ୍ୟ ହୋଇଥାଏ, ତୁମକୁ ମୁଁ ଗୋଟିଏ ଅନୁରୋଧ କରିବି, ତୁମେ ମୋତେ ବଞ୍ଚିବାକୁ ଦିଅ । ମୋ ସ୍ୱପ୍ନକୁ ଜୀବନ୍ତ ହେବାକୁ ଦିଅ । ମୋତେ ସାମାଜିକ ହେବାକୁ ଦିଅ । ଗୋଟିଏ ପରେ ଗୋଟିଏ ବ୍ୟର୍ଥ ପ୍ରଣୟର ସ୍ମାରକୀ ଦେଇ ମୁଁ ନିଜକୁ ଆଉ ତିଳ ତିଳ କରି ଜାଳିପାରିବିନି ନିବେଦିତା, ମୋର ମୂଲ୍ୟ ରଖ । ତୁମେ ରୁଗ୍‌ଣ, ଅସୁସ୍ଥ । ତୁମର ମାନସିକ ବିଶ୍ରାମ ଦରକାର । ମୋର ଏ ପତ୍ର ପାଇଲେ ତୁମେ ଆଘାତ ପାଇବ ମୁଁ ଜାଣେ, କିନ୍ତୁ ଜନଶ୍ରୁତି କେବେ ମିଥ୍ୟା ହୋଇନପାରେ ନିବେଦିତା, ନିଆଁ ଥିଲେ ଧୂଆଁର ସ୍ତିତିଭଳି ତାହା ସତ୍ୟ । ଆଶାକରେ ମୋ ଆଶା ତୁମେ ପୂର୍ଣ୍ଣ କରିବ ।

ତୁମ ସ୍ୱାସ୍ଥ୍ୟର ଶୁଭକାମନା ସହ

ପୂର୍ଣ୍ଣପ୍ରଭାଦେବୀ–

ଚିଠିର ଶେଷ କେତେଟା ଧାଡ଼ି ମନେପଡ଼ି ନିବେଦିତାଙ୍କ ଦେହରୁ ଝାଳ ବହୁଥିଲା । ସମାଜଟା ବାସ୍ତବରେ କି ଅସ୍ଵାଭାବିକ ଭାବରେ ସନ୍ଦେହୀ ! ଯୁଗର ପରିସ୍ଥିତି ଏବଂ ତା’ର ବାତାବରଣ କୌଣସି ପରିସ୍ଥିତିକୁ ଆଉ ସହଜ, ସୁନ୍ଦର ବୋଲି ଗ୍ରହଣ କରିନେବାକୁ ପ୍ରସ୍ତୁତ ନୁହେଁ ।

କ’ଣ ଭାବିଥିବେ ଶଚୀକାନ୍ତ !

ଆଉ ସେ କ’ଣ ମଳୟ ଦାସଙ୍କୁ ବିଶ୍ୱାସ କରିପାରିବେ ? ତାଙ୍କୁ ରାତି ରାତି ଏକାକୀ ଛାଡ଼ି ଯେଉଁ ଗାମ୍ଭୀର୍ଯ୍ୟ ରକ୍ଷାକରି ବିଶ୍ଵାସର ସହ ସେ ନିଶ୍ଚିନ୍ତ ରହୁଥିଲେ, ଆଉ କ’ଣ ପାରିବେ ସେ-? ନିଜ ସ୍ତ୍ରୀ ପ୍ରତି ଗଭୀର ବିଶ୍ୱାସ ଅଛି ଶଚୀକାନ୍ତଙ୍କର ! ତଥାପି ପୁରୁଷ ସେ, ରକ୍ତମାଂସର ଏଇ ମଣିଷ ମନରେ କେତେ ଭାବନା, କେତେ ସନ୍ଦେହ । ମନର ଗଭୀରତା ମାପିବାକୁ ଚେଷ୍ଟା କରୁଥିଲେ ନିବେଦିତା !

ଶଚୀକାନ୍ତ କହିଲେ–ନିବେଦିତା, ଉଠ ଯିବା !

ନିବେଦିତା… !

 

ଶଚୀକାନ୍ତଙ୍କ କଣ୍ଠର ଅନୁରାଗଜଡ଼ିତ ଏଇ ଡାକଟା ବାୟୁମଣ୍ଡଳରେ ତରଙ୍ଗ କେଇଟା ସୃଷ୍ଟିକରି ମିଲାଇଗଲା ।

 

ଅନ୍ୟମନସ୍କ ଥିଲେ ନିବେଦିତା ।

 

ପୁଣିଥରେ ଡାକିଲେ ଶଚୀକାନ୍ତ ।

 

ଦୁଇ ହାତ ପାପୁଲିରେ ନିବେଦିତାଙ୍କର ମୁହଁକୁ ତୋଳିଧରି ଶଚୀକାନ୍ତ ଯେପରି ତାଙ୍କ ମୁହଁରେ ଦେଖୁଥିଲେ ଯୁଗ ଯୁଗର କାହାଣୀ । ଆଃ ! କେତେ ସୁନ୍ଦର ଏଇ ନିବେଦିତା ! କବି ଚାହାଣିରେ ଉପମା ଦେବାଭଳି ନିବେଦିତାଙ୍କର ସମସ୍ତ ଅବୟବ । ଏବେବି ଶୁଖିଲା ଓଠରୁ ଝରୁଛି ସେଇ ମଧୁ–ତା’ର ସ୍ପର୍ଶରେ ଏବେବି ନୂତନତା ଅଛି । ସତ୍ୟ-ସିକ୍ତ ଶେଫାଳୀର ନମନୀୟତା ଆଉ କମନୀୟତାରେ ତାଙ୍କର ଓଠର ପାଖୁଡ଼ା ଏବେବି ଦେଖୁଛି ସାୟନ୍ତନୀ ସୂର୍ଯ୍ୟର ରକ୍ତିମା ! କି ଉନ୍ମାଦନା, କି ଆକର୍ଷଣ ସେ ତନୁରେ ! ସତେଯେମିତି ପ୍ରଚଣ୍ଡ ଗ୍ରୀଷ୍ମର ଆଘାତରେ ରକ୍ତ ଗୋଲାପଟି ଝାଉଁଳି ପଡ଼ିଛି ମାତ୍ର !

 

ଭାବପ୍ରବଣ ଶଚୀକାନ୍ତ ନିବେଦିତାଙ୍କୁ ହଲେଇଦେଇ ପ୍ରଶ୍ନକଲେ–‘ନିବେଦିତା’ ! କ’ଣ ଏତେ ଭାବୁଛ ତୁମେ ? କେତେ ସାଧନା ପରେ, କେତେ କଷ୍ଟରେ ତୁମେ ଟିକିଏ ଆରୋଗ୍ୟ ହୋଇଛ, ସେଇତକ ମୋ’ପାଇଁ ସ୍ଵର୍ଗ ନିବେଦିତା ! ଆଜି କେତେ ଆନନ୍ଦ, କେତେ ଖୁସୀରେ ମୋ ଅନ୍ତର ଉଦ୍ବେଳିତ ହେଇଛି ତୁମେ ସେଇଟା ବୁଝିପାରିବନି ।

 

ମୋର ମନେହେଉଛି, ଭାଙ୍ଗିଯାଇଥିବା କଣ୍ଢେଇଟି ଯୋଡ଼ି ସେଥିରେ ମୁଁ ପ୍ରାଣ ପ୍ରତିଷ୍ଠା କରିପାରିଛି । ପୁଣି ସେ ହସିବ, ଖେଳିବ, ମୋ ଘରର ଶ୍ରୀ ସମ୍ପଦକୁ ଫେରାଇ ଆଣିବ । ଟୁକୁନିର ଆହତ-ମନରେ ଜାଗିବ ନୂଆ କିଶଳୟ । ଏସବୁ କ’ଣ କମ୍ ଗୌରବର କଥା ନିବେଦିତା ? ଏଇଥି ପାଇଁ ମୁଁ ଧନ୍ୟବାଦ ଦିଏ ମଳୟକୁ । ଏତେ କମ୍ ବୟସରେ ଡାକ୍ତରୀ ବିଦ୍ୟାରେ ଦଖଲ ଆଣିବା କ’ଣ ସହଜ ! ବାସ୍ତବରେ ଏଭଳି ଲୋକ ବିରଳ । ନୁହେଁ ନିବେଦିତା ?

 

ନିବେଦିତା କେବଳ ନୀରବରେ ମୁଣ୍ଡ ହଲାଇଲେ ।

 

ପୂର୍ଣ୍ଣପ୍ରଭାଙ୍କ ଚିଠିଟା ପଢ଼ିସାରିବା ପରେ ହୁଏତ ଶଚୀକାନ୍ତଙ୍କର ମଳୟ ଦାସଙ୍କ ପ୍ରତି ଏ ବିଶ୍ୱାସ ଆଉ ରହିବନି ।

 

ଜୀବନର ସ୍ରୋତ କେଉଁ ଦିଗରେ ପୁଣି ଗତି କରିବ ଭାବିପାରୁନଥିଲେ ନିବେଦିତା । ଜୁଆର ପରେ ଭଟ୍ଟା ଆସିବ । ପୁଣି ସେ ନିଶ୍ଚିହ୍ନ ହେବ । ପୁଣି ଆସିବ ଅସଂଖ୍ୟ ଜୁଆର ।

 

ନିବେଦିତାଙ୍କ ଭାବନା ଗତି କରୁଥିଲା ଅନିର୍ଦ୍ଦିଷ୍ଟ ଜୀବନ ରେଖାର ଧାରେ ଧାରେ ।

 

ଶଚୀକାନ୍ତ ନିବିଡ଼ କଲେ ତାଙ୍କର ଆଶ୍ଳେଷ ।

 

ଏତେ କ’ଣ ଜୀବନ ସମ୍ପର୍କରେ ସେ ଭାବୁଛନ୍ତି–ଭାବି ଭାବି ପାଗଳ ହୋଇଯିବେନି ତ ନିବେଦିତା !

 

କପାଳରେ ଓଠର ସ୍ପର୍ଶ ଦେଲେ ଶଚୀକାନ୍ତ ।

 

ଉଷୁମ ଉଷୁମ ଲାଗୁଛି–ଏତେ ସମୟ ଥଣ୍ଡାରେ ବସିବାଟା ତାଙ୍କ ସ୍ଵାସ୍ଥ୍ୟ ପାଇଁ ଶୁଭପ୍ରଦ ନୁହେଁ ।

 

ଘରକୁ ଚାଲ ନିବେଦିତା ! ରାତି ବହୁତ ହେଲାଣି ।

 

ସେଦିନ ରାତ୍ରିର ଅନ୍ଧକାର ଭିତରେ ନିବେଦିତା ଖାଲି ଶଚୀକାନ୍ତଙ୍କ ଛାତିରେ ମଥାରଖି ଶୋଇଥିଲେ–ମଝିରେ ମଝିରେ ଭୟାର୍ତ୍ତ ହରିଣୀପରି ନିବିଡ଼ ଭାବରେ ଜଡ଼ିଯାଉଥିଲେ ତାଙ୍କ ଦେହରେ । ଯେପରି ଏକ ସର୍ବଗ୍ରାସୀ ଭୟ ତାଙ୍କୁ ସବୁବେଳେ ଅନୁସରଣ କରୁଛି ।

 

ଶଚୀକାନ୍ତଙ୍କ ଛାତିର ସ୍ପନ୍ଦନ ଦ୍ରୁତ ହେଉଥିଲା ।

 

ସାନ୍ଧ୍ୟ ପ୍ରାର୍ଥନା ସାରି ନିବେଦିତା ଆସି ଡ୍ରଇଂ ରୁମ୍‍ର ସୁଇଚ୍ ଅନ୍ କଲେ । ଦେଖିଲେ, ଟୁକୁନି ଅରବିନ୍ଦଙ୍କର ଫଟକୁ ସାମ୍ନାରେ ରଖି ଯୋଗାସନରେ ବସିଛି । ସୁବାସିତ ଧୂପ କାଠିର ସୁରଭି ସମଗ୍ର କୋଠରୀଟିକୁ ସୁରଭିସିକ୍ତ କରୁଛି । ଅରବିନ୍ଦଙ୍କ ଫଟରେ ଏକ ଫୁଲମାଳ । ଦରବୁଜା କୁନି କୁନି ଆଖିପତାରେ କେତେ କୌତୂହଳ, କେତେ ଆନନ୍ଦର ଫୁଆରା ! ଓଠରେ ସ୍ମିତ ହସ–ଅପୂର୍ବ ଦିଶୁଥିଲା ଟୁକୁନି ।

 

ସ୍ତବ୍‌ଧ ହୋଇ ନିବେଦିତା ଦେଖୁଥିଲେ ଟୁକୁନିକୁ । ଆଶ୍ଚର୍ଯ୍ୟ ଆଉ ଆନନ୍ଦରେ ତାଙ୍କ ଅନ୍ତର ଉଦ୍ବେଳିତ ହେଇ ଉଠୁଥିଲା । ଅଢ଼େଇବରଷର ଶିଶୁ ସେ । ତା’ ମନରେ ଏତେ ପ୍ରଭାବ !! ଅରବିନ୍ଦଙ୍କର ଯୋଗାସନ ଚିତ୍ର ତା’ ମନରେ ଏତେ ପ୍ରତିକ୍ରିୟା !! ତା’ର ଅଭିରୁଚିରେ ଏତେ ସମ୍ଭ୍ରାନ୍ତ ଶୈଳୀ !!

 

ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ ନିବେଦିତା ! ଭଗବାନ ! ନୀତିହୀନତା ଯେଉଁଠି ସମାଜର ଭୂଷଣ, ଏ ପଥଭ୍ରଷ୍ଟ ସମାଜର ପ୍ରତି ପଦକ୍ଷେପରେ ତୁମେ ଟୁକୁନିକୁ ଆଦର୍ଶ କରି ଗଢ଼ ଭଗବାନ ! ମଣିଷ ପରି ମଣିଷ ହୋଇ ସେ ଠିଆହେଉ ।

 

ଭଗବାନ ବୋଲି ଉଚ୍ଚାରଣ କଲାବେଳେ ପ୍ରତିଥର ନିବେଦିତାଙ୍କ ଚକ୍ଷୁ ମୁଦ୍ରିତ ହୋଇଆସେ । ଦେହରେ ପୁଲକ ସୃଷ୍ଟି ହୁଏ । ଅଜଣା ଶିହରଣରେ ଶିହରିତ ହୁଏ ନିବେଦିତାଙ୍କ ମନର କୋଣ, ଅନୁକୋଣ ! ଶାଶ୍ଵତ ନିର୍ଝରିଣୀ ଝରି ଝରି ଆସେ ନିବେଦିତାଙ୍କ ଗୋପନ ଅନ୍ତରର ନିଭୃତ କନ୍ଦରରୁ । ତାକୁ ନିବେଦିତା ପ୍ରକାଶ କରି ପାରନ୍ତିନି ।

 

ଅନେକଥର ଭାବନ୍ତି ସେ, କାହିଁକି ସେ ଏଇ ଅଦୃଷ୍ଟ ଉପରେ ବିଶ୍ୱାସ କରନ୍ତି ? କାହିଁକି ସେ ସମଗ୍ର ସତ୍ତାକୁ ସେଇ ଅଦେଖା ଦେବତାର ଚରଣ ତଳେ ଉତ୍ସର୍ଗ କରନ୍ତି ? କାହିଁକି ଏକ ନିର୍ମମ, ପାଷାଣ ନିକଟରେ ମଥାପିଟି ନିଜକୁ ଭୂ-ଲୁଣ୍ଠିତ କରନ୍ତି ? କିଏ ଶୁଣୁ ବା ନ ଶୁଣୁ, ପାଷାଣ ଦେହରେ ମଥାପିଟି ତା’ର ପ୍ରତିଧ୍ଵନି ହେଉ ବା ନ ହେଉ, ସେଥିରେ ସମବେଦନାର ସ୍ପର୍ଶ ମିଳୁ ବା ନ ମିଳୁ, ତଥାପି ସେଇଥିରେ ଶାନ୍ତି ମିଳେ ।

 

ଅଜସ୍ର ବର୍ଷା ପରେ ଆକାଶ ପରିଷ୍କାର ହେଲାପରି ଅନେକ ଲୁହ ଢାଳି ସାରିବା ପରେ ଭାରାକ୍ରାନ୍ତ ମନ ଉଶ୍ୱାସ ହୋଇଯାଏ ।

 

ଡ୍ରଇଁ ରୁମ୍‍ର କାନ୍ଥକୁ ଚାହିଁଲେ ସେ ।

 

ସତ୍ୟସାଇ ବାବାଙ୍କର ବଡ଼ ଫଟଟା ଉପରେ ଥିବା ଫୁଲମାଳ ଚିକ୍ ଚିକ୍ କରୁଛି । ନିଜ ରୁଚି ଅନୁସାରେ ନିବେଦିତା ଏଇ ଡ୍ରଇଂ ରୁମରେ ନେହେରୁ, ଗାନ୍ଧୀ, ଗୋପବନ୍ଧୁ ଓ ଗଙ୍ଗାଧରଙ୍କର ତୈଳଚିତ୍ରମାନ ଆଣି ସଜେଇଛନ୍ତି । ଫ୍ଳାୱାରଭେସରେ ଅଜସ୍ର ଦାମୀ ଫୁଲର ସମ୍ଭାର ଆଣି ଅରବିନ୍ଦଙ୍କ ଫଟ ପାଖରେ ସୁସଜ୍ଜିତ କରି ରଖିଛନ୍ତି । କାଚ ଆଲମାରୀରେ ମହାପୁରୁଷଙ୍କ ଜୀବନୀ ବହିଗୁଡ଼ାକ ବାହାରକୁ ଅତି ଚମତ୍କାର ମାନୁଛି ।

 

ସମ୍ଭ୍ରାନ୍ତ ରୁଚି ନିବେଦିତାଙ୍କର !

 

ଏଇ ପରିବେଶରେ ଆସିଲେ ଟୁକୁନି ତାଙ୍କର ବଡ଼ ହେବ, ମହାପୁରୁଷମାନଙ୍କ ଦର୍ଶନର ପ୍ରଭାବ ଜୀବନ ଓ ଚରିତ୍ର ଗଠନ ପାଇଁ ସାହାଯ୍ୟ କରିବ । ଅସତ୍‌ଚରିତ୍ର ସେ ହେବନି । ଅବିଶ୍ୱାସୀ, କାମୁକ ହେବନି । ଉନ୍ନତ ଓ ମାର୍ଜିତ ରୁଚିସମ୍ପନ୍ନ ସୁପୁରୁଷ କରି ଗଢ଼ିବା ପାଇଁ ନିବେଦିତାଙ୍କର କେତେ ଚେଷ୍ଟା, କେତେ ସାଧନା !

 

ସତେ କ’ଣ ସେ ସାଧନା ସଫଳ ହେବ ?

 

ଆଖି ଆଗରେ ସୀମାହୀନ ମରୁଭୂମୀ–ଅଜସ୍ର ଦୂରରେ ଦିଶୁଛି ଜଳ–ମରୀଚିକା ନୁହେଁ ତ ? ମରୁଦ୍ୟାନର ସନ୍ଧାନରେ ଯାଉ ଯାଉ କ୍ଳାନ୍ତ ମନ ପରିଶେଷରେ ନିରାଶ ହେବନାହିଁ ତ ?

 

ଆକାଶରେ ଚନ୍ଦ୍ର ଉଇଁ ସାରିଥିଲେ ।

 

ଚତୁର୍ଦ୍ଦଶୀର ଚନ୍ଦ୍ର !

 

ପୂର୍ଣ୍ଣମୀର ଆଗମନରେ ରଜତସ୍ନାତ ଧରଣୀ ବୁକୁରେ ମମତାର କେତେ ସାନ୍ଦ୍ର ଆଲିମ୍ପନ ! ବିକଶିତ କୁମୁଦିନୀର ପ୍ରାଣସ୍ପର୍ଶୀ ଆବେଦନ ମନରେ ଆଣୁଛି ନୈସର୍ଗିକ ସମ୍ମୋହନ !

 

ଆଃ ! ଶଚୀକାନ୍ତ ପାଖରେ ଥାଆନ୍ତେ କି !

 

ମୃଦୁମନ୍ଦ ମଳୟର ତାଳେ ତାଳେ ବାସନ୍ତୀ ଉପବନର ସ୍ଵପ୍ନସମ୍ଭାର ନେଇ କାମନାର କମ୍ରକୁଞ୍ଜ ସେ ନିର୍ମାଣ କରନ୍ତେ । ତାଙ୍କ ଦେହ ଖରାପ ହେଲାଦିନୁ ଶଚୀକାନ୍ତଙ୍କଠାରୁ ସେ ପ୍ରାୟ ଅଲଗା ରହୁଛନ୍ତି–ଚନ୍ଦ୍ର ଏବଂ କୁମୁଦିନୀଭଳି ।

 

ପ୍ରଣୟର ଆବେଦନ ଅଛି–ଅଥଚ କାମନା ନାହିଁ । କେତେ ଉଦାର ସତେ ଶଚୀକାନ୍ତ !

 

ଶଚୀକାନ୍ତଙ୍କ ଉଦ୍ଦେଶ୍ୟରେ ମଥା ଅବନତ କରୁଥିଲେ ନିବେଦିତା ।

 

ଚତୁର୍ଦ୍ଦିଗରେ ସୀମାହୀନ ଅନ୍ଧକାର । ଏଇ ଅନ୍ଧକାରର ଅନ୍ଧକୂପ ମଧ୍ୟରେ ଅଣନିଃଶ୍ଵାସୀ ହୋଇଉଠୁଥିଲେ ନିବେଦିତା । ନା, ଅସହ୍ୟ । ବହୁକଷ୍ଟରେ ଉଠି ସେ ନିଜେ ତାଙ୍କ ଖଟ ପାଖରେ ଥିବା ସୁଇଚ୍ ଅନ୍ କଲେ ।

 

ଲାଇଟ୍ ଜଳିଲା ।

 

ମୁଣ୍ଡରୁ ଝାଳ ପୋଛିଲେ ନିବେଦିତା ।

 

ଦେହରୁ ତାତି ଓହ୍ଲାଇ ଆସୁଛି । ଓଠ ଶୁଖି ଶୁଖି ଯାଉଛି ।

 

ପାଣି ପିଇବାକୁ ଶଚୀକାନ୍ତଙ୍କୁ ଡାକିବା ପାଇଁ ଚେଷ୍ଟା କରୁଥିଲେ ନିବେଦିତା । ବ୍ୟସ୍ତ ବିବ୍ରତ ଲାଗୁଛି ଦେହ ଭିତରଟା ।

 

ପାଖରେ ପ୍ରାୟ ଚାରି ହାତ ଦୂରରେ ଶୋଇଛନ୍ତି ଶଚୀକାନ୍ତ । ପାଖରେ ଟୁକୁନି । ଡାକିବା ପାଇଁ ଯାଉ ଯାଉ ପଛକୁ ପୁଣି ଘୁଞ୍ଚି ଆସିଲେ ସେ । ନିଷ୍ପଲକ ଆଖିରେ ନିବେଦିତା ଚାହିଁରହିଲେ ଶଚୀକାନ୍ତଙ୍କ ଆଡ଼େ । କେତେ ପରିଶ୍ରମର ଆଲେଖ୍ୟ ସେ ଦେହର ପ୍ରତ୍ୟେକ ପୃଷ୍ଠାରେ ! କେତେ କ୍ଳାନ୍ତିର ପରିଚ୍ଛେଦ ସେ ଅକୁହା ମୁହଁରେ ! ଶଚୀକାନ୍ତଙ୍କ ପ୍ରତି ଦୟା ଆଉ ସହାନୁଭୂତିରେ ନିବେଦିତାଙ୍କ ଛାତି ଭିତରଟା ଯେପରି କୋରି ହୋଇଯାଉଥିଲା ।

 

ଅଫିସରୁ ପରିଶ୍ରମ କରି କରି ଫେରିଆସି ତାଙ୍କୁ ପୁଣି ଟୁକୁନିର ଦାୟିତ୍ଵ ତୁଳାଇବାକୁ ପଡ଼ୁଛି । ନିବେଦିତାଙ୍କ ପାଇଁ ଅନିଦ୍ରା ହେବାକୁ ପଡ଼ୁଛି ଅଧିକାଂଶ ସମୟ । ଡାକ୍ତର ଦୋକାନଠାରୁ ଆରମ୍ଭକରି ଘରର ଯାବତୀୟ ଦାୟିତ୍ଵ ବୁଝିବା ପାଇଁ ଜଣେ ମାତ୍ର ମୁରବୀ ସେ ।

 

କେତେ ଶୀଘ୍ର ଜଞ୍ଜାଳୀ ହୋଇଗଲେ ଶଚୀକାନ୍ତ ! ମନେପଡ଼ୁଥିଲା ନିବେଦିତାଙ୍କର ପାଞ୍ଚବର୍ଷ ତଳର ଶଚୀକାନ୍ତଙ୍କୁ । ଶଚୀକାନ୍ତ ଯେତେବେଳେ ଛାତ୍ର ଥିଲେ–ବାଧାବନ୍ଧନହୀନ ମୁକ୍ତଆକାଶର ବିହଙ୍ଗମଭଳି ସେ ଖାଲି ରଙ୍ଗୀନ୍‌ ଦୁନିଆର ସ୍ୱପ୍ନ ଦେଖୁଥିଲେ । ବହୁଦୂରରୁ ଅନୁପମ ଧରଣୀର ଅଭିନବ ତନୁଶ୍ରୀ ଆହୁରି ଅଭିନବ ଓ ଆକର୍ଷଣୀୟ ମନେହେଉଥିଲା । କେତେ ସ୍ଵପ୍ନର ଅମରାବତୀ ସେ ସୃଷ୍ଟି କରୁଥିଲେ । ସାଧାରଣ ଦେବଦାରୁ ଗଛଟିଏ ଦେଖି ଶଚୀକାନ୍ତ କୁଞ୍ଜବନର ମାୟାକୁହେଳି ମଧ୍ୟରେ ଆତ୍ମବିସ୍ମୃତ ହୋଇଉଠୁଥିଲେ ।

 

କାଠଯୋଡ଼ିର ପଥରବନ୍ଧ ଉପରେ ବସି ଶଚୀକାନ୍ତ ଲେଖୁଥିଲେ ତାଙ୍କର ଜୀବନ-କାବ୍ୟ-। ମଧୁଛନ୍ଦା ଗୀତିମୟୀ ନାୟିକାର ମମତାପ୍ଳୁତ ଆବେଦନ ତାଙ୍କ କାବ୍ୟରେ ସୃଷ୍ଟି କରୁଥିଲା ଅଙ୍ଗୁର ବନର ସ୍ଵପ୍ନ ।

 

କାହିଁ ?

 

ସେ ସ୍ଵପ୍ନର କଳିକା ଅଦିନଝଞ୍ଜାର ଆଘାତରେ ମଉଳି ପଡ଼ିଛି କାହିଁକି ?

 

ସ୍ୱପ୍ନ–ଆଉ ବାସ୍ତବତା !!

 

କି ଯୋଜନ ଯୋଜନର ଦୂରତ୍ଵ ସେମାନଙ୍କ ମଧ୍ୟରେ !! ସତେ ଯେପରି ସେ ଦୁଇଟି ସମାନ୍ତର ସରଳରେଖା । ଯୋଗାଯୋଗ ତା’ର ଅସମ୍ଭବ ।

 

ବିବାହ ପରେ ଶଚୀକାନ୍ତ ହୁଏତ କେତେ ଆଶା କେତେ ଭରସା କରିଥିବେ–ତାଙ୍କ ସଂସାରକୁ ସେ ସର୍ବାଙ୍ଗ ସୁନ୍ଦର କରି ଗଢ଼ିବେ–ନିବେଦିତା ତାଙ୍କ କାବ୍ୟିକ-ଜୀବନର ପ୍ରେରଣା । ସେ ପ୍ରେରଣାକୁ ଆହୁରି ଜୀବନ୍ତ କରିଛି ଟୁକୁନି–ତାଙ୍କ ପବିତ୍ର ପ୍ରଣୟର ସ୍ମାରକୀ ସେ । ତାକୁ ସେ ଗଢ଼ିବେ ପୃଥିବୀର ଏକ ମହାମାନବ କରି । ନିବେଦିତାଙ୍କ ଆଶା ଆକାଙ୍‍କ୍ଷାକୁ ପୂର୍ଣ୍ଣ କରି ଟୁକୁନିକୁ ସେ ମଣିଷ କରିବେ ।

 

ସବୁ ବୁଝିପାରିଛନ୍ତି ନିବେଦିତା । ଜୀବନ ଦେଇ ଜୀବନକୁ ସେ ଚିହ୍ନି ସାରିଛନ୍ତି । ଲୁହ ଢାଳି ଢାଳି ଆଉଜଣକ ଲୁହ ସେ ପରୀକ୍ଷା କରିଛନ୍ତି । ନିବେଦିତାଙ୍କର ମନେହୋଇଛି, ଶଚୀକାନ୍ତଙ୍କ ପ୍ରଣୟର ସୀମା ବହୁ ଉର୍ଦ୍ଧ୍ଵରେ !! ସବୁ ଭୁଲ୍ ବୁଝାବଣାକୁ ସ୍ମିତ ଓ ଗମ୍ଭୀର ହସରେ ଲଘୁ କରିଦେଇ ତାଙ୍କ ଦାମ୍ପତ୍ୟ ପ୍ରଣୟକୁ ସେ ଅଧିକ ପ୍ରଗାଢ଼ କରିବାକୁ ଚେଷ୍ଟା କରିଛନ୍ତି ।

 

ଏଇ ସେ ଶଚୀକାନ୍ତ !!

 

ନିବେଦିତାଙ୍କର ସ୍ୱାମୀ !! ଜୀବନ-ଜୀବନର ସାଥୀ ସେ ।

 

ସେଇ ଅରାଧନାର ପବିତ୍ର ପୀଠରେ ମଥାପିଟି ନିଜକୁ ଭୂଲୁଣ୍ଠିତ କରିପାରନ୍ତେକି ନିବେଦିତା !! ନିବେଦିତାଙ୍କ ଇଚ୍ଛା ହେଉଥିଲା–‘ଏ ସୃଷ୍ଟିଟା ଯଦି ଏକ ଲୁହର ସମୁଦ୍ର ହୁଅନ୍ତା, ସେଇଥିରେ ସେ ଶଚୀକାନ୍ତଙ୍କ ପାଦ ଧୋଇ ଦିଅନ୍ତେ !!!

 

ଆହା !!! କେତେ ସତେ ଶୁଖିଲା ଦିଶୁଛି ଶଚୀକାନ୍ତଙ୍କ ମୁହଁଟା !! ନିବେଦିତାଙ୍କର ଅସୁସ୍ଥତା ନେଇ ସବୁବେଳେ ତାଙ୍କ ମୁଖଶ୍ରୀ ମଳିନ ହୋଇ ଆସିଛି । ପ୍ରତି ମୁହୂର୍ତ୍ତରେ ଆଜିକାଲି ସେ ଗମ୍ଭୀର ମନେହେଉଛନ୍ତି । ବିବାହ କରି ଶାନ୍ତି ପାଇବା ପାଇଁ ଆଶାକରି ସାରା ଜୀବନ ସେ କଷ୍ଟ ପାଇଲେ ।

 

ନିଜକୁ ଧିକ୍‌କାର କରୁଥିଲେ ନିବେଦିତା ।

 

ଧୀରେ ଧୀରେ ନିବେଦିତା ଆସି ଶଚୀକାନ୍ତଙ୍କ ପାଦତଳେ ବସିଲେ । ଥରିଲା ହାତରେ ଧୀର ସ୍ପର୍ଶ ଦେଲେ ନିବେଦିତା ।

 

ଅଶ୍ରୁ-ସଜଳ ହେଲା ନିବେଦିତାଙ୍କର ଦୁଇ ଆଖି । ହୃଦୟ ଥରାଇ କୋହ ଉଠିଲା । ତାତିଲା ଲୁହ ଥପ୍ ଥପ୍ ହୋଇ ଝରିପଡ଼ିଲା ଶଚୀକାନ୍ତଙ୍କ ପାଦ ଉପରେ ।

 

ଚମକି ଉଠିଲେ ଶଚୀକାନ୍ତ ।

 

ଆଶ୍ଚର୍ଯ୍ୟ ହେଲେ ନିବେଦିତାଙ୍କୁ ତାଙ୍କ ପାଦତଳେ ବସିବାର ଦେଖି । ଶୋଇବା ପୂର୍ବରୁ ଶଚୀକାନ୍ତ ନିବେଦିତାଙ୍କ ଦେହରେ ଥର୍ମୋମିଟର ଦେଇ ତାତି ମାପି ଶୋଇଥିଲେ । ୧୦୪’ ଡିଗ୍ରୀ ଉତ୍ତାପ ଥିଲା ତାଙ୍କ ଦେହରେ । ଔଷଧ ଦେବା ପାଇଁ ସେ ଉଠିବାର ଥିଲା, ନିଦ ଗାଢ଼ ହୋଇଯାଇଛି ସେ ଉଠିପାରି ନାହାନ୍ତି ଠିକ୍ ସମୟରେ । ଅଥଚ ନିବେଦିତା ଆସି ତାଙ୍କର ପାଦ ଧରି କାନ୍ଦୁଛନ୍ତି !

 

ଉଠାଇ ଆଣିଲେ ଶଚୀକାନ୍ତ ନିବେଦିତାଙ୍କୁ । ହାତଧରି ନିବେଦିତାଙ୍କ ଶଯ୍ୟାରେ ତାଙ୍କୁ ଶୁଆଇ ଦେଲେ । ଆଖିରୁ ଲୁହ ପୋଛି ଦେଇ ଧୀର ଭାବରେ ପ୍ରଶ୍ନ କଲେ–ନିବେଦିତା, ତୁମେ କାନ୍ଦୁଛ ? କାହିଁକି ? ଦେହ କ’ଣ ବେଶୀ ଖରାପ ଲାଗୁଛି ?

 

ନିବେଦିତାଙ୍କ ଆଖିରୁ ଲୁହ ବହୁଥାଏ ।

 

ସମବେଦନାର ସ୍ପର୍ଶରେ ଲୁହର ନିର୍ଝରିଣୀ ବେଗଗାମୀ ହୁଏ ସିନା, ଗତି ତା’ର ରୁଦ୍ଧ ହୁଏ ନାହିଁ ।

 

ଛି ନିବେଦିତା, ମୋରାଣ ତୁମେ କାନ୍ଦନି–ଦେହ ଭଲ ନାହିଁ ତୁମର, ଏତେ କାନ୍ଦିଲେ ଆହୁରି ଦୁର୍ବଳ ଲାଗିବ । ଛାତିରେ କଷ୍ଟ ହେବ । କେତେ କଷ୍ଟରେ ଛାତି ଥରିବାଟା କମିଛି ଟିକେ, ଏଇଭଳି ସବୁବେଳେ କାନ୍ଦିଲେ ପୁଣି ସେଇଟା ବଢ଼ିଯିବ । ଶଚୀକାନ୍ତ ତାଙ୍କ ପିନ୍ଧା ଧୋତିର କାନିରେ ନିବେଦିତାଙ୍କ ଲୁହ ପୋଛି ଦେଲେ ।

 

ତୁମ ଆଖିର ଲୁହ ମୋ ଛାତିରେ ଅଜସ୍ର ଯନ୍ତ୍ରଣା ଦିଏ ନିବେଦିତା, ତାହା ତୁମେ ବୁଝିପାରିବନି । ତୁମେ ହୁଅ ମୋ ଜୀବନର ପରମ ହସନ୍ତିକା । ମୋ ପ୍ରେୟସୀ, ମୋ ନାୟିକାକୁ ମୁଁ ସବୁବେଳେ ଚାହେଁ ତାକୁ ଦେଖିବାକୁ ସେଇ ରୂପରେ । ଲକ୍ଷ ଗୋଲାପର ନମନୀୟତା ନେଇ, ଅୟୁତ ରଜନୀଗନ୍ଧାର ମହକ ନେଇ, ଶେଫାଳୀର ଅୟୁତ କାମନା ନେଇ ତୁମେ ମୋ ଆଗରେ ଖାଲି ହସ ନିବେଦିତା, ତୁମ ଓଠର ସେଇ ହସ ଟିକକ ମୋ ଜୀବନରେ ଚରମ ତୃପ୍ତି । ମୁଁ ଆଉ କିଛି ଚାହୁଁନି ତମଠୁ ।

 

ନିବେଦିତାଙ୍କ କପାଳ ଚୁମ୍ବନ କଲେ ଶଚୀକାନ୍ତ । ନିବେଦିତା, ଦେଖ ତ ମୋତେ, କୁହ ଟିକେ ଗେଲ କରିବ ମୋତେ ? ପିଲାଙ୍କ ପରି ଅଳିକଲେ ଶଚୀକାନ୍ତ ।

 

ନିବେଦିତାଙ୍କ ପାଖରେ ଶଚୀକାନ୍ତଙ୍କ ପ୍ରଣୟର ଶୈଳୀ ସବୁଦିନେ ଏଇପରି ବାଳକ ସୁଲଭ । କେତେ ଅନୁନୟ, କେତେ ମିନତି ଭିତରେ ପ୍ରଣୟର ନିବେଦନ କରି ଜିତିଯାନ୍ତି ଶଚୀକାନ୍ତ-

 

ବହୁଦିନ ପରେ ଶଚୀକାନ୍ତ ଅନୁରୋଧ କରୁଛନ୍ତି ନିବେଦିତାଙ୍କୁ ଗେଲ କରିବାକୁ ।

 

ଥରିଲା ଓଠର ସ୍ପର୍ଶରେ ଶିହରିତ ହେଲା ଯୁଗ୍ମ ପ୍ରାଣ । ନିଷ୍ପନ୍ଦ ଧରିତ୍ରୀ ବୁକୁରେ ଜାଗି ଉଠିଲା କେତେ ଯୁଗର ସଞ୍ଚିତ କାମନା । ସୁଜନର ଆଦ୍ୟରାଗରେ ଛନ୍ଦ ତୋଳି ପ୍ରକୃତି ଭିତରୁ ଧ୍ଵନିତ ହୋଇ ଉଠିଲା ଯୁଗ୍ମ ମିଳନର ଆଳାପମୀ ।

 

ହଠାତ୍ ଖୁବ୍ ଜୋରରେ ପବନ ବହିବାକୁ ଲାଗିଲା । ଝଡ଼ର ଆରମ୍ଭ ବୋଧହୁଏ–ଗଛ କେତେଟା ସଶଦ୍ଦରେ ଭାଙ୍ଗିପଡ଼ିବାର ଶବ୍ଦ ହେଲା । କୋଠରୀଟିର ବିଜୁଳୀବତୀ ହଠାତ୍ ଲିଭିଗଲା-

 

ଟୁକୁନି କାଳେ ଚମକି ଉଠିବ ଭାବି ଶଚୀକାନ୍ତ ଟୁକୁନିକୁ ଧରି ନିବେଦିତାଙ୍କ ପାଖରେ ବସିଲେ । ଚତୁର୍ଦ୍ଦିଗରେ ଘନ ଘୋର ଅନ୍ଧକାର । ବର୍ଷା, ବିଜୁଳି । ଶଚୀକାନ୍ତଙ୍କ ହୃଦୟରେ ଏକ ଅଜଣା ଭୟ ସ୍ପର୍ଶ କରୁଥିଲା । କାହିଁକି କେଜାଣି ନିଜକୁ ସେ ବୁଝାଇ ପାରୁନଥିଲେ । ବାଧା ବନ୍ଧନ ନ ମାନି ଆଖି ଅଶ୍ରୁ-ସଜଳ ହୋଇଉଠୁଥିଲା । ନିର୍ବାକ ଶଚୀକାନ୍ତ କେବଳ ଧୀରେ ଧୀରେ ନିବେଦିତାଙ୍କର ଅବିନ୍ୟସ୍ତ କେଶ ଉପରେ ଅଙ୍ଗୁଳି ଚାଳନା କରୁଥିଲେ । ନିବେଦିତା ମଧ୍ୟ ନୀରବରେ ଏଇ ଅନ୍ଧକାର, ଏଇ ଝଡ଼-ରାତି ଏବଂ ଏସବୁ ଭିତରେ ଶଚୀକାନ୍ତଙ୍କର ସ୍ପର୍ଶରେ କ’ଣ ଭାବୁଥିବେ କେଜାଣି, ତାଙ୍କ ଆଖି ମଧ୍ୟ ଅଶ୍ରୁ-ସଜଳ ହୋଇଉଠୁଥିଲା ।

 

କେହି କାହାରି ଲୁହ ଦେଖି ପାରୁନଥିଲେ ।

 

କେହି କାହାରି ଅନୁଭବକୁ ପ୍ରକାଶ କରିପାରୁନଥିଲେ । ପରସ୍ପରର ନୀରବ ଭାବନା ନିଷ୍ଠୁର ଅନ୍ଧକାର ମଧ୍ୟରେ ବିଲୁପ୍ତ ହେଉଥିଲା ।

 

ଅପରେସନ୍‌ ଥିଏଟରରେ ମଳୟ ଦାସଙ୍କୁ ଆଜି ଏକ ବିଶିଷ୍ଟ ଦାୟିତ୍ଵ ତୁଲାଇବାକୁ ପଡ଼ିବ । ରୋଗୀର କିଛି ଅଘଟଣ ଘଟିଗଲେ ମଳୟ ଦାସଙ୍କୁ ମନେହବ, ସତେ ଯେପରି ରୋଗୀର ଜୀବନ-ପ୍ରଦୀପ ଲିଭିଯିବା ପାଇଁ ସେ କେବଳ ଦାୟୀ । ସେଥିପାଇଁ ସକାଳୁ ସକାଳୁ ସେ ଖୁବ୍ ତତ୍ପର ହୋଇଉଠୁଥିଲେ ମେଡ଼ିକାଲ୍ ଯିବାପାଇଁ ।

 

ଘଡ଼ିରେ ଆଠଟା ବାଜିଲା ।

 

ଯିବାଲାଗି କାର୍‌ଟା ଷ୍ଟାର୍ଟ ଦେବାକୁ ବସିଛନ୍ତି, ହଠାତ୍ ଶଚୀକାନ୍ତ ଆସି ପହଞ୍ଚିଗଲେ । ବ୍ୟସ୍ତ ଓ ବିଷଣ୍ଣ ମୁହଁ । ଶଚୀକାନ୍ତଙ୍କର ସେ ମୁହଁ ଦେଖି ମଳୟ ଦାସ ଗାଡ଼ିର ଷ୍ଟାର୍ଟ ବନ୍ଦକଲେ ।

 

“ଶଚୀକାନ୍ତ, ହଠାତ୍ ସକାଳୁ ଯେ ! ମୋର ଆଜି ଅପରେସନ୍ ଥିଏଟରରେ urgent duty ଅଛି । ସେଥିପାଇଁ ଶୀଘ୍ର ବାହାରୁଥିଲି । କ’ଣ, ଭାରି ବ୍ୟସ୍ତ ଜଣାପଡ଼ୁଛ ? ନିବେଦିତାଙ୍କର ଦେହ କିପରି ଅଛି ?”

 

ମଳୟ ଦାସଙ୍କ ଉତ୍ତରରେ ମିଶିଥିବା ଆନ୍ତରିକତା ଶଚୀକାନ୍ତଙ୍କ ଅନ୍ତରରେ ସାହାସ ଆଣିଦେଲା ।

 

ସେ କହିଲେ, କାଲି ରାତିରେ ଜ୍ଵର ପ୍ରାୟ ୧୦୪ ଡିଗ୍ରୀ ଥିଲା । ପାହାନ୍ତା ବେଳକୁ ଦେହ ଥଣ୍ଡା ମନେହେଉଥିଲା, ନିବେଦିତା ଭଲ ଥିଲେ । କିନ୍ତୁ ଆଜି ସକାଳୁ ସେ ନିସ୍ତେଜ ହେଲାପରି ହେଲେ–ଦୁଇଥର ରକ୍ତବାନ୍ତି ପରେ ସେ ଅଚେତ ହୋଇଗଲେ । ଦେଢ଼ଘଣ୍ଟା ହେଲାଣି ତାଙ୍କ ଚେତା ଫେରୁନି । ପ୍ରଫେସର ସାମନ୍ତରାୟଙ୍କ ପାଖକୁ ଫୋନ୍ କରିଦେଇଛି, ବୋଧହୁଏ ସେ ପହଞ୍ଚି ସାରିଥିବେ, ଆପଣଙ୍କ ଫୋନ୍‍ରୁ ଉତ୍ତର ନ ଶୁଣି ଆପଙ୍କ ପାଖକୁ ଚାଲି ଆସିଛି । କିନ୍ତୁ ଆପଣ ତ ଏକ ଜରୁରୀ କାମରେ ଯାଉଛନ୍ତି…

 

କହୁ କହୁ ଅଟକିଗଲେ ଶଚୀକାନ୍ତ ।

 

ମଳୟ ଦାସ ଜାଣନ୍ତି, ଶଚୀକାନ୍ତଙ୍କୁ ତାଙ୍କଠାରୁ ବହୁ ଭଲ ଡାକ୍ତର ମିଳିବେ । ବହୁ ଅର୍ଥ ମଧ୍ୟ ବ୍ୟୟ କରିପାରିବେ ଶଚୀକାନ୍ତ, ତଥାପି ଶଚୀକାନ୍ତଙ୍କର ମଳୟ ଦାସଙ୍କ ଉପରେ ଯେଉଁ ବିଶ୍ୱାସ ଟିକକ ଅଛି, ସେ ତା’ର ଦ୍ୱାହି ଦେଇ ସେ ତାଙ୍କୁ ସବୁକଥାରେ ଆଶା କରିଛନ୍ତି ।

 

କେତେ ଆଶାରେ ଆସିଥିବେ ଶଚୀକାନ୍ତ ! ହୁଏତ ମନେ ମନେ ଭାବିଥିବେ, ମଳୟ ଦାସଙ୍କୁ ଡାକିଆଣିଲେ ନିବେଦିତାଙ୍କ ସଂଜ୍ଞା ଫେରିବ, ସେ ପୁଣି ସଚେତ ହେବେ ହସିବେ–କିପରି ନିରାଶ କରିବେ ମଳୟ ଶଚୀକାନ୍ତଙ୍କୁ ?

 

ଆଖି ଆଗରେ ଦିଶୁଛି ଅପରେସନ୍ ଥିଏଟର୍‌ର ଟେବୁଲ୍ ଉପରେ ରୋଗୀ ଶୋଇଛି । ଅକ୍ସିଜେନ, ସାଲାଇନ୍ ଦିଆ ଚାଲିଛି । ଅପରେସନ୍ ପରେ ସେ ରୋଗୀ ବଞ୍ଚିବ କି ମୃତ୍ୟୁର ବଳୟ ଭିତରେ ହଜିଯିବ, ସେକଥା କେବଳ ତା’ର ଭାଗ୍ୟ ଜାଣେ–କିନ୍ତୁ କର୍ତ୍ତବ୍ୟ କରିବାକୁ ହେବ ମଳୟଙ୍କୁ-। ଅପେକ୍ଷା କରିଥିବେ ଆସିଷ୍ଟାଣ୍ଡ ସର୍ଜନ କେତେଜଣ ।

 

ଏପଟେ ଦିଶୁଛି ନିବେଦିତାଙ୍କର ଶେତା ମୁହଁ, ନିଷ୍ପଲକ ଆଖି । ଟୁକୁନିର ବିକଳ କ୍ରନ୍ଦନ…

 

ଶଚୀକାନ୍ତଙ୍କ ନୀରବ ମିନତି । କିଏ ଆଗ !! ବନ୍ଧୁପତ୍ନୀ ନା କର୍ତ୍ତବ୍ୟ ?

 

‘ଆଚ୍ଛା ଶଚୀକାନ୍ତ, ପ୍ରଫେସର ସାମନ୍ତରାୟଙ୍କ ପାଖକୁ ଫୋନ୍‌ କରିଛ ତ ! ବିନା ବାକ୍ୟବ୍ୟୟରେ ପାଞ୍ଚ ମିନିଟ୍ ମଧ୍ୟରେ ସେ ଆସି ପହଞ୍ଚିଯିବେ । ଚେତା ହରାଇବା ପରେ ଦୀର୍ଘ ସମୟ ଅପେକ୍ଷା କରିବା ନୁହେଁ । ନିହାତି ବେଶୀରେ ଅଧଘଣ୍ଟା ଅପେକ୍ଷା କରିବା ଉଚିତ ।

 

କିଛି ବ୍ୟସ୍ତ ହେବାର ନାହିଁ । ମୁଁ ଗଲାବେଳେ ବାଟରେ ଡାକ୍ତର ସାମନ୍ତରାୟଙ୍କ ଘରବାଟେ ଯାଇ ତାଙ୍କୁ ଏ ବିଷୟରେ ସଚେତନ କରାଇଦେବି–ଯେତେଦୂର ବିଶ୍ଵାସ ମୋ ଯିବାବେଳକୁ ସେ ନିବେଦିତାଙ୍କ ପାଖରେ ପହଞ୍ଚି ସାରିଥିବେ ।

 

ଆଚ୍ଛା, ମୁଁ ଯେଉଁ ଔଷଧ ଲେଖିଦେଉଛି,ତାହା ପାଖ ଦୋକାନରୁ କିଣିନିଅ । କମ୍ପାଉଣ୍ଡରକୁ କହିଦେଇ ଯାଉଛି, ସେ ଇଂଜେକ୍‍ସନ୍ ଦେଇଦେବ । ଯଦି କିଛି ଅତ୍ୟାବଶ୍ୟକ ମନେହୁଏ ମୋତେ ଦେଖା କରିବ ମେଡ଼ିକାଲରେ ।

 

ଖୁବ୍ ଜୋରରେ କାର୍‍ଟା କ୍ୟାଣ୍ଟନମେଣ୍ଟ ରୋଡ଼ରେ ଗତି କରିବାକୁ ଲାଗିଲା ।

 

ନିର୍ବାକ ହୋଇ ଶଚୀକାନ୍ତ କିଛି ସମୟ ମଳୟ ଦାସଙ୍କ ଗତିପଥକୁ ଲକ୍ଷ୍ୟ କରୁଥିଲେ ।

 

ମଳୟ ଦାସଙ୍କ ଚଞ୍ଚଳ ମନ ସହିତ ସମାନ୍ତର କରି କାର୍‍ଟା ମଧ୍ୟ ସ୍ଵାଭାବିକ ଗତିଠାରୁ ଆହୁରି ଚଞ୍ଚଳ ହୋଇ ଉଠିଲା ।

 

କାର୍‌ର ଗତି ଟିକେ କମାଇ ଦେଇ ମଳୟ ଦାସ ଲକ୍ଷ୍ୟ କଲେ, ଦୂରରୁ ଆସୁଛନ୍ତି ପୂର୍ଣ୍ଣପ୍ରଭାଦେବୀ । ନା, ଆଜି ଆଉ କାମ କରି ହେବନି । ଚାହିଁଥିଲେ କାର୍‍ର ଗତି କ୍ଷିପ୍ରକରି ପୂର୍ଣ୍ଣପ୍ରଭାଙ୍କୁ ସେ ଏଡ଼ାଇଦେଇ ପାରିଥାନ୍ତେ, ହେଲେ ପାରିଲେନି । ଦୁର୍ବଳତା ଏଇଭଳି ଏକ ଜିନିଷ–ସମୟ ଅସମୟରେ ତା’ଲାଗି ଏଇପରି ହାରିଯିବାକୁ ହୁଏ ।

 

ଆରେ, ମଳୟବାବୁ ଯେ ! ପୂର୍ଣ୍ଣପ୍ରଭା ହଠାତ୍ ଡାକି ଉଠିଲେ କୌଣସି ସମୀଚୀନତାକୁ ଅପେକ୍ଷା ନକରି । ବାଧ୍ୟ ହୋଇ କାର୍‍ର ଗତିକୁ କମେଇବାକୁ ହେଲା ମଳୟଙ୍କୁ । ସେଇ ଗାଡ଼ିର କାଚ ଭିତରୁ ମୁହଁ ଗଳେଇ ମଳୟ ସ୍ମିତ ହସ ହସିଲେ–ସତେ ଯେପରି ପୂର୍ଣ୍ଣପ୍ରଭାଙ୍କ ଲାଗି ସେଇଟା ଏକ ସ୍ୱାଗତ ସମ୍ଭାଷଣ । ମୁଁ ଆଜି ଗୋଟିଏ ଜରୁରୀ କାର୍ଯ୍ୟରେ ମେଡ଼ିକାଲ୍ ଯାଉଛି ପୂର୍ଣ୍ଣପ୍ରଭାଦେବୀ ! ଆପଣଙ୍କ ସହ କଥାବାର୍ତ୍ତା କିଛି ହୋଇପାରୁନି । କ୍ଷମା କରିବେ ।

 

ଏଇତକ କଥାରେ ପୂର୍ଣ୍ଣପ୍ରଭାଙ୍କ କଣ୍ଠସ୍ଵର ହଠାତ୍ ଭାରି ହୋଇ ଉଠିଲା । ଅନେକ ସମୟରେ କାମର ବାହାନା କରି ମଳୟ ଦାସ ରାସ୍ତାରେ ଦେଖାହେଲେ ଠିକ୍ ଏଇପରି କହିଛନ୍ତି । ଆଜିର ଜରୁରୀ କାମର ଗୁରୁତ୍ଵ ବା ସେ ଉପଲବ୍‌ଧି କରିପାରିଥାନ୍ତେ କିପରି ? ସେ କହିଲେ–କାହିଁ ମୁଁ ତ ଆପଣଙ୍କୁ ବାଧ୍ୟକରି ଅଟକାଇନି ! ବର୍ତ୍ତମାନ ଆପଣ ଯାଇପାରନ୍ତି । ଯିବାଲାଗି ମୁହଁ ବୁଲାଇଲେ ପୂର୍ଣ୍ଣପ୍ରଭା ।

 

ଅର୍ଦ୍ଧମୁକୁଳିତ-ପ୍ରଣୟ କଳିକା ପ୍ରସ୍ପୁଟିତ ହୁଏ ଅଭିମାନରରଙ୍ଗରାଗରେ ।

 

କିନ୍ତୁ ପରିସ୍ଥିତି ନେଇ ଏଇ ଅଭିମାନର ପ୍ରତିକ୍ରିୟା ସ୍ଵତନ୍ତ୍ର । ପୂର୍ଣ୍ଣପ୍ରଭାଙ୍କ ଏ ଅଭିମାନ ମଳୟ ଦାସଙ୍କୁ ଅସ୍ଵାଭାବିକ ମନେହେଲା । ମନେ ମନେ ବିରକ୍ତ ହୋଇ ଉଠିଲେ ମଧ୍ୟ ପୂର୍ଣ୍ଣପ୍ରଭାଦେବୀଙ୍କ ମନକୁ ଆଘାତ କରିବ ଭାବି ମଳୟ କଥାରେ ମୋଡ଼ ବଦଳାଇଲେ ।

 

‘ପୂର୍ଣ୍ଣପ୍ରଭାଦେବୀ ! ଆପଣ ବୋଧହୁଏ ଖରାପ ଭାବିଲେ–କିନ୍ତୁ ମୋ କଥାକୁ ବିଶ୍ଵାସ କରନ୍ତୁ–ଆଖିରେ ତୃଷ୍ଣାର ଚାହାଣି ନେଇ ମଳୟ ଦାସ କହିଲେ–ଆଜି ସନ୍ଧ୍ୟାରେ ମୋ ବସାଆଡ଼େ ଆସନ୍ତୁ ପୂର୍ଣ୍ଣପ୍ରଭାଦେବୀ । ବର୍ତ୍ତମାନ ରାଗ, ଅଭିମାନର ବେଳ ନୁହେଁ । Let me be serious for the duty. ଆଚ୍ଛା, ମୁଁ ଯାଉଛି ।

 

କାର୍‌ଟାର ଗତି ବଢ଼େଇଲେ ମଳୟ । ମନେ ମନେ ଭଗବାନଙ୍କୁ ସ୍ମରଣ କଲେ ମଳୟ, ଆଉ କେହି ବାଟରେ ଦେଖା ନ ହୁଅନ୍ତୁ । ହେଲେ ହୁଏତ ସେ ତାଙ୍କର କର୍ତ୍ତବ୍ୟ ପାଳନରେ ଆଜି ହାରିଯିବେ ।

 

ସେତେବେଳକୁ ଘଡ଼ିରେ ନ’ଟା ବାଜି ସାରିଥିଲା । ଅପରେସନ୍ ଥିଏଟର୍‍ ଆଗରେ ଭିଡ଼ ଜମି ସାରିଥିଲା । ମଳୟ ଦାସଙ୍କୁ ଦେଖି ସମସ୍ତେ ଏକ ଆକାଙ୍‍କ୍ଷିତ ବସ୍ତୁ ପାଇଲା ପରି ହୋଇ ଉଠିଲେ । ଆଶ୍ୱସ୍ତ ହେଲେ ମଳୟ । ପୋଷାକ ବଦଳେଇଲେ ସେ । ଛାତିର ସ୍ପନ୍ଦନ ବଢ଼ି ଉଠୁଥିଲା ବାରମ୍ବାର ଏକ ଅନାଗତ ଭୟରେ । ନିଜକୁ ସଞ୍ଜତ କଲେ ସେ । ସେ ଡାକ୍ତର–ନର୍ଭସ ହେବା ତାଙ୍କ ପକ୍ଷରେ କାପୁରୁଷତା ।

 

ଉଦିତ ସୂର୍ଯ୍ୟର ସୁନେଲି କିରଣ ବିଞ୍ଚିହୋଇ ପଡ଼ିଥିଲା ବଗିଚାର ଗଛ ପତ୍ର ଉପରେ । ସକାଳୁ ଉଠି ନିତ୍ୟକର୍ମ ସମାପନ କରି ନିବେଦିତା ଦର୍ପଣରେ ନିଜର ମୁହଁ ଦେଖୁଥିଲେ । ଭିତରକୁ ପଶି ପଶି ଗଲାଣି ଆଖି ଯୋଡ଼ିକ । ଗୋରା ତକ ତକ ମସୃଣ ଗାଲ ଉପରେ ହାଡ଼ ଦିଶୁଛି । ଗୋଲାପୀ ଚିବୁକରୁ ଆକର୍ଷଣ ଲିଭି ଲିଭି ଆସିଲାଣି । ଶେତା ପଡ଼ି ଆସିଛି ଦେହର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ । ଆଃ !! ଏଇ ଦେହକୁ କେତେ ଭଲ ପାଉଥିଲେ ନିବେଦିତା । ଏତେ ଦୟନୀୟ ହୋଇ ଉଠିଛି ତାଙ୍କର ଶରୀରଟା ସତରେ !!

 

ନିଜ ଦେହ ପାଇଁ ନିଜ ଉପରେ ଅଭିମାନ କରୁଥିଲେ ସେ । ସେଇଥିପାଇଁ ବୋଧହୁଏ ଶଚୀକାନ୍ତ ଆଜିକାଲି ବହୁତ ସମୟ ବାହାରେ ରହୁଛନ୍ତି, ଯେତେ ଅନୁରୋଧ କଲେ ବି ନିଜକୁ ଦୂରେଇ ରଖୁଛନ୍ତି । ଟୁକୁନିକୁ ଦୂରରେ ରଖୁଛନ୍ତି । ରୁଗ୍‌ଣ ଶରୀର ଭିତରେ ଏବେ ବି ଯେଉଁ ସତେଜ ମନଟା ବଞ୍ଚି ରହିଛି, ସେ ତ ରୁଗ୍‌ଣ ନୁହେଁ । ସେ ତ ଦୁର୍ବଳ ହୋଇପଡ଼ିନି । ତାକୁ କ’ଣ ବୁଝିବାକୁ କେବେ ଚେଷ୍ଟା କରିଛନ୍ତି ?

 

କାଲି ଶାଶୁ ଚିଠି ଲେଖିଥିଲେ ପୁଅ ପାଖକୁ–ସେ ଚିଠିର ସାରମର୍ମ ବ୍ୟଥିତ କରୁଥିଲା ନିବେଦିତାଙ୍କ ଅନ୍ତରର ଅନେକ ସୂକ୍ଷ୍ମତନ୍ତ୍ରୀକୁ । ପ୍ରକୃତରେ ସେ କାହାପାଇଁ ଶାନ୍ତିମୟୀ–କଲ୍ୟାଣମୟୀ ହୋଇପାରିଲେନି । ଶଚୀକାନ୍ତଙ୍କ ପରିବାର ଲାଗି ସେ ଏକ ଜ୍ୱଳନ୍ତ ଅଭିଶାପ ।

 

ପଶି ପଶି ଯାଇଥିବା ଶେତା ଆଖି ଦୁଇଟିରୁ ଲୁହ ଦି’ଟୋପା ଝରିପଡ଼ିଲା ଦର୍ପଣ ଉପରେ । ଦର୍ପଣ କଚାରେ ପ୍ରତିଫଳିତ ହେଉଛି ତାଙ୍କର ଆଖିର ପୁଅଡୋଳା–ନିଜକୁ ନିଜେ ସେ ପରିଷ୍କାର ଦେଖି ପାରୁଛନ୍ତି । ଡ୍ରେସିଂ ଟେବୁଲ୍ ଡ୍ରୟାର ଭିତରେ ଥିବା ଚିଠିଟିକୁ ଆଣି ପୁଣି ଥରେ ପଢ଼ିଲେ ସେ–ଶାଶୁ ଚିଠି ଲେଖିଛନ୍ତି…

 

‘ଯେତେ ମନା କଲେ ବି ମୋ ମନା ତୁ ମାନିଲୁନି । ନିଜ ଇଚ୍ଛାରେ ବାହା ହେଲୁ । ଦେଖି ଚାହିଁ ହେଲେ ଝିଅଟେ ବାହା ହୋଇଥାନ୍ତୁ, ଯାହା ଦେହରେ ରୋଗ ବ୍ୟାଧି କିଛି ନ ଥାନ୍ତା !! ରୋଗିଣୀ ଝିଅଟେ ବାହା ହୋଇ କେତେ କଷ୍ଟ ପାଇଲୁ । ମୋ ହାତରେ ଆଉ କ’ଣ ଅଛି ଯେ କ’ଣ କରିପାରିବି ? ସବୁ ତୋ ଭାଗ୍ୟ । ଟୁକୁନିକୁ ଏଇଠିକି ପଠେଇଦେବୁ । ନିତା ପାଖରେ ସେ ଅଯତ୍ନ ହୋଇଯାଉଥିବ । ତା’ର ହେଲେ ଆଉ ଚାରା କଣ…’ ଏମିତି ଅନେକ ।

 

କାଲି ଆସିଥିଲେ ପୂର୍ଣ୍ଣପ୍ରଭାଦେବୀ । କଥା ପ୍ରସଙ୍ଗରେ କହୁ କହୁ କହି ପକାଇଲେ ତାଙ୍କ ଅତୀତର ଗୋପନ ଇତିହାସ । ତାଙ୍କ ପାଖକୁ ଦେଇଥିବା ଚିଠିର ଭଗ୍ନାଂଶକୁ ସେ ପୂରଣ କରି ବସିଲେ ।

 

ପୂର୍ଣ୍ଣପ୍ରଭା ଆରମ୍ଭ କରିଥିଲେ କିପରି ଏକ ଅହେତୁକ ଭାବପ୍ରବଣତାରେ ଅଜ୍ଞାନ ହୋଇ…‘ଶୁଣିବ ନିବେଦିତା’ ଶୁଣିବ ମୋ ଜୀବନର ଧୂସର ଅତୀତ ? ସେତେବେଳେ ମୁଁ ଥିଲି କଲେଜପଢ଼ା ଛାତ୍ରୀ-ତୃତୀୟ ବାର୍ଷିକ କଳାଛାତ୍ରୀ । ମୋ ଜୀବନ ପରିଧି ଭିତରେ ଆସିଥିଲେ ଚନ୍ଦ୍ରକୁମାର । ତରୁଣ ସଙ୍ଗୀତଜ୍ଞ ଚନ୍ଦ୍ରକୁମାର…ସଙ୍ଗୀତ କଳାପ୍ରତି ବାହ୍ୟକାଳରୁ ମୋର ଦୁର୍ବଳତା ମୋତେ ପରିଶେଷରେ ତାଙ୍କ ପ୍ରତି ଆକୃଷ୍ଟ କରୁଥିଲା । ଆପେ ଆପେ ମୁଁ ଧରା ଦେଇଥିଲି ଚନ୍ଦ୍ରକୁମାରଙ୍କ ପାଖରେ । ଏ ସୃଷ୍ଟିରେ ଯାହା କିଛି ଆପାର୍ଥିବ, ଅନୁଭବ ଆନନ୍ଦର ଉତ୍ସ ବୋଲି ଯାହା କିଛି ଏ ସୃଷ୍ଟିରେ ସମ୍ଭବ, ସେସବୁ ମୋ’ପାଇଁ କେବଳ ଚନ୍ଦ୍ରକୁମାରଙ୍କଠାରେ ହିଁ ସମ୍ଭବ ହୋଇଥିଲା । ମୋର ନିଜସ୍ଵ ମୁଁ ଆକୁଣ୍ଠୀତ ଭାବରେ ଅର୍ପଣ କରିଥିଲି । ମୋ ଜୀବନର ପ୍ରଥମ ପୁରୁଷ ଚନ୍ଦ୍ରକୁମାର…ଜୀବନରେ ନାରୀ ତା’ର ପ୍ରଥମ ପ୍ରେମିକର ସ୍ମୃତିକୁ କେବେ ଭୁଲି ପାରେନି ନିବେଦିତା…ଅନେକ ଚେଷ୍ଟା କରିଛି ଭୁଲିଯିବାକୁ–ନିଜ ଭିତରେ ତିଳ ତିଳ ହୋଇ ଜଳିଛି ସିନା, ସ୍ମୃତିଶିଖା ନିର୍ବାପିତ ହୋଇପାରିନି । ସବୁକିଛି ଅକୁଣ୍ଠିତ ଭାବରେ ଉତ୍ସର୍ଗ କରିସାରିବା ପରେ,ସେ ଉତ୍ସର୍ଗର ସ୍ମାରକୀ ମୋତେ ବହନ କରିବାକୁ ହେଲା । ପାପ କେବେ ଲୁଚେ ନାହିଁ ନିବେଦିତା, ନିଷ୍ଠୁର ସମାଜ ଆଗରେ ତାହା ଏକ ବାସ୍ତବ ରୂପ ନେଲା ।

 

ଗୁପ୍ତପ୍ରଣୟର ସ୍ୱାକ୍ଷରକୁ ସାଥିରେ ଧରି ଦମ୍ଭ ସହକାରେ ଦୁନିଆର ଭିଡ଼ ଭିତରେ ଚାଲି ପାରିଲିନି । ମୋର ଜଣେ ଆତ୍ମୀୟ ଅଥଚ ବିବାହିତ (ବହୁବର୍ଷ ହେଲା ସେମାନେ ନିଃସନ୍ତାନ ଥିଲେ) ତାଙ୍କ ଦାୟିତ୍ଵରେ ଛାଡ଼ି ନିଶାର୍ଦ୍ଧରେ ଲୁଚିକରି କଟକ ପଳାଇ ଆସିଲି । କୁହ ନିବେଦିତା, ସନ୍ତାନର ଜନନୀ ହୋଇ ସାରିବା ପରେ ଯେତେବେଳେ ଚନ୍ଦ୍ରକୁମାରଙ୍କୁ ଯାଇ ଅନୁରୋଧ କରିଥିଲି, ମୋତେ ଏଥର ସାମାଜିକ ସ୍ୱାକ୍ଷରରେ ସିନ୍ଦୂର ପିନ୍ଧାଅ, ମୋତେ ବିବାହ କର ଚନ୍ଦ୍ରକୁମାର…ତାଙ୍କ ଆଖିରେ ପଳାତକର ଚାହାଣି, ତାଚ୍ଛଲ୍ୟ ହସ । ସତେ ଯେପରି ମୋ ସହିତ ତାଙ୍କର ସମ୍ପର୍କ ଏକ ଦୁଃସ୍ଵପ୍ନ । ବହୁ ଆଳ ଦେଖାଇ ମୋ’ଠାରୁ ସେ ଦୂରେଇ ଗଲେ । ମୋର ଆଉ ଚାରା କ’ଣ ଥିଲା ନିବେଦିତା ?

 

ପୂର୍ଣ୍ଣପ୍ରଭାଙ୍କ କଥାଗୁଡ଼ାକ କେବଳ ସ୍ତବ୍‌ଧ ହୋଇ ଶୁଣୁଥିଲେ ନିବେଦିତା ।

 

ଗାଁରୁ ପଳାଇ ଆସି କଟକରେ ପ୍ରଥମ କରି ଓହ୍ଲାଇଥିଲି ମୋର ଜଣେ ସମ୍ପର୍କୀୟ ମାମୁଁଘରେ । ଆଶ୍ରୟ ପ୍ରାର୍ଥନା କରିଥିଲି । ସେଇ ମାମୁଁଙ୍କ ଘରେ କିଛିଦିନ ରହି ମୁଁ ଏମ୍.ଏ ପରୀକ୍ଷା ଦେଲି, ଅଧ୍ୟାପିକା ଭାବରେ ନିଯୁକ୍ତିପତ୍ର ପାଇସାରିଲା ପରେ ମୋର ସ୍ଵତନ୍ତ୍ର ବସାଘରେ ମୁଁ ରହିଛି । ମାମୁଁ ଘରେ ରହିବା ସମୟରେ ମାମୁଁଙ୍କ ପୁଅ ସୁବୋଧଦାସ (ବର୍ତ୍ତମାନ ଏଠି ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିଅର୍ ଅଛନ୍ତି) ତାଙ୍କ ସହ ବିବାହର ଏକପ୍ରକାର ଚୁକ୍ତି ହୋଇଥିଲା । ମାମୁଁ ଯେତେବେଳେ ଶୁଣିଲେ ମୁଁ ସୁବୋଧକୁ ବିବାହ କରିବାକୁ ଚାହେଁ, ମାମୁଁ ବିରକ୍ତ ହେଲେ–ତାଙ୍କ ପୁଅର ଶୁଭବିବାହ ମୋ’ଭଳି ଏକ କୁଳଟା ସହିତ ସମାପନ କରିବାକୁ ସେ ବା ରାଜି ହୋଇଥାନ୍ତେ କିପରି ?

 

ବିବାହ ଭାଙ୍ଗିଗଲା ।

 

ତା’ ପରଠୁ ମୋର କିପରି ଏକ ବିତୃଷ୍ଣାଜନିତ ଅବିଶ୍ଵାସ ଆସିଯାଇଛି ନିବେଦିତା । ପ୍ରତି ମୁହୂର୍ତ୍ତରେ ମୋତେ ଲାଗୁଛି ମଳୟ ଦାସ ମୋତେ ପ୍ରତାରଣା କରିବେ । ଏସବୁ ଅତୀତ ଉପରେ ଏକ ସୁଦୀର୍ଘ କବର ପକାଇ ସବୁକିଛି ସ୍ମୃତିକୁ ଜାଳିପୋଡ଼ି ପୁଣି ମୁଁ ବଞ୍ଚିବାର ସ୍ଵପ୍ନ ଦେଖୁଛି ନିବେଦିତା, ତୁମେ ଏତିକିରେ ଭାଙ୍ଗିପଡ଼ୁଛ ? ଗୋଟାଏ ମୁହୂର୍ତ୍ତ ପାଇଁ ମୁଁ ଆଉ ସେ ଶିଶୁ, ସେ ଅତୀତକୁ ମନେପକେଇବାକୁ ଚେଷ୍ଟା କରୁନି–ବର୍ତ୍ତମାନ ହିଁ ମୋର ସର୍ବସ୍ଵ…ମୋର ଅନୁଭୂତିରୁ ମୁଁ ଜାଣି ସାରିଛି ନିବେଦିତା, ଭାବପ୍ରବଣ ହେଲେ କେବଳ କଷ୍ଟ ଭୋଗିବାକୁ ହୁଏ ।

 

ଟୁକୁନି ପ୍ରତି ତମର ଭାବପ୍ରବଣତାରେ ଅନେକ ସମୟରେ ମୋର ହସିବାର ଇଚ୍ଛାହୁଏ–ଛୁଆଟା ପାଇଁ ଏତେ ଭାବପ୍ରବଣତା ହେବାର କ’ଣ ଅଛି ? ଆଗ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅ, ତା’ପରେ ସବୁ ।

 

ପୂର୍ଣ୍ଣପ୍ରଭାଙ୍କ ମତରେ ଜଣେ ପୁରୁଷ ଓ ଜଣେ ନାରୀର ଦୈହିକ ମିଳନର ପରିଣତି ସନ୍ତାନ । ସନ୍ତାନସମ୍ଭବା ନାରୀ ଜଣେ ଚାହିଁଲେ ଦୁନିଆର ଆଲୋକକୁ ଆଣିବାର ବହୁ ପୂର୍ବରୁ ତାକୁ ନଷ୍ଟ କରିଦେଇପାରେ, ଏତେ ଭାବପ୍ରବଣତା ଭିତରେ ଗତି କରୁଥିଲେ ବିବାହ ପରର ଜୀବନ କ’ଣ ସ୍ୱଚ୍ଛଳ ହୋଇ କଟୁଥାନ୍ତା ପାଶ୍ଚାତ୍ୟ ଦେଶବାସୀଙ୍କର !

 

ନିବେଦିତା ପୂର୍ଣ୍ଣପ୍ରଭାଙ୍କ ଏ ଯୁକ୍ତି ପାଖରେ ସବୁବେଳେ ନୀରବରେ ରହି ଆସିଛନ୍ତି । ସେ ଆଧୁନିକା, ଅଧ୍ୟାପିକା, ତାଙ୍କ ଆଗରେ ଏସବୁ ପାଇଁ ଯୁକ୍ତିକରି ଲାଭ ନାହିଁ । ନିରବତା ହିଁ ଏହାର ସର୍ବଶ୍ରେଷ୍ଠ ଉତ୍ତର ।

 

ଆଉ ସ୍ଵାମୀ ?

 

ପୂର୍ଣ୍ଣପ୍ରଭାଙ୍କ ପାଇଁ ସେ ଏକ ଖେଳନା । ଏକ ଉପଭୋଗର ଉପାଦାନ !

 

Unknown

କିନ୍ତୁ ନିବେଦିତାଙ୍କ ପାଇଁ ?

 

ଆଃ ! ତାଙ୍କର ପ୍ରାଣର ଶଚୀକାନ୍ତ !

 

ଛାତି ଥରାଇ ଦୀର୍ଘଶ୍ଵାସ ଉଠିଲା ନିବେଦିତାଙ୍କର ।

 

ପ୍ରକୃତରେ ତାଙ୍କୁ ବିବାହ କରି ଶଚୀକାନ୍ତ ବହୁ କଷ୍ଟ ପାଇଲେ । ସବୁ କାମନା, ବାସନାକୁ ଜଳାଞ୍ଜଳି ଦେଲେ । ଉପଭୋଗଟା ଯେଉଁ ବୟସରେ ଜୀବନର ପ୍ରଧାନ, ସେ ବୟସରେ ସେ ସବୁଥିରୁ ଶଚୀକାନ୍ତକୁ ବଞ୍ଚିତ ହେବାକୁ ପଡ଼ିଲା । ଶଚୀକାନ୍ତ ଚରିତ୍ରବାନ୍–ଶଚୀକାନ୍ତ ସୁପୁରୁଷ–ଶଚୀକାନ୍ତ ହୃଦୟବାନ୍…ନିବେଦିତାଙ୍କ ଅନ୍ତରଟା ଶଚୀକାନ୍ତଙ୍କ ପାଇଁ ନଇଁପଡ଼ୁଥିଲା ବାରମ୍ବାର ।

 

ତଥାପି କ’ଣ ତାଙ୍କର ମନର କେଉଁ ଗୋପନ ଅଭ୍ୟନ୍ତର ଭିତରେ ଦୈହିକ କାମନାର ଜୁଆର ଉଠୁ ନ ଥିବ ? ନାରୀ ତନୁର ଉଷ୍ଣ ନିଶ୍ୱାସ ଭିତରେ ହଜିଯିବାକୁ ତାଙ୍କ ରକ୍ତମାଂସର ଦେହଟା କ’ଣ ଦିନେ ଦିନେ ଅଧିର ହୋଇ ଉଠି ନ ଥିବ ?

 

ତାଙ୍କ ମନର ଆମ୍ରବନରେ ନବ ବକୁଳର ସନ୍ଧାନ ପାଇଁ କୋଇଲିର କୁହୁ-ସ୍ଵନ କ’ଣ ତାଙ୍କ କାନରେ ବାଜୁ ନ ଥିବ ? ନୂପୁର ନିକ୍ୱଣାୟିତ ମଧୁଛନ୍ଦା ନାୟିକାର କମ୍ର ଅଭିସାର ପାଇଁ ସେ କ’ଣ ସ୍ୱପ୍ନରେ ପତୀକ୍ଷା କରି ନ ଥିବେ ? ତଥାପି; ତଥାପି ଶଚୀକାନ୍ତ ନୀରବ ? ମଣିଷ ହୋଇ ପ୍ରକୃତରେ କ’ଣ ସମ୍ଭବ ଏ ସବୁ ?

 

ଭାବନାର ଗତି ଅନ୍ୟ ଦିଗ ନେଲା ।

 

କାହିଁକି ତେବେ ଶଚୀକାନ୍ତ ଆଜିକାଲି ଏତେ ସମୟ ରାତିରେ ବାହାରେ ରହୁଛନ୍ତି ? ସେଦିନ ରାତିରେ ଫେରି ଶଚୀକାନ୍ତ କ୍ଲବରେ କିପରି ସମ୍ଭ୍ରାନ୍ତ ବଂଶର ବଧୂ ଓ ଲଳନାମାନେ ବଲ୍‌ଡ୍ୟାନ୍‌ସ କରୁଥିଲେ ସେଇକଥା ବର୍ଣ୍ଣନା କରିଥିଲେ । ପାନପତ୍ରରେ ବିଦେଶୀ ପାନୀୟକୁ ଅମୃତ ପାନକରି କି ଅଶ୍ଳୀଳ ମୁଦ୍ରାରେ ସେମାନେ ଅଭିନୟ କରୁଛନ୍ତି…ଆଖି ଆଗରେ ଭାସିଉଠିଲା ନିବେଦିତାଙ୍କର ଏକ ପରିକଳ୍ପିତ ପାନଶାଳାର ପରିବେଶ…ରଙ୍ଗୀନ୍ ସୁରା ଏବଂ ନାରୀ ହାତର ଚୁଡ଼ି ରୁଣ୍‍ଝୁଣ୍‍ ଶବ୍ଦ…ତା’ ସହିତ ପୁରୁଷ କଣ୍ଠର ଚାପାହସ–ରକ୍ତିମ ଆଖି…

 

ଆଖିର ପରଦାରେ ପ୍ରତିଫଳନ ହେଲା କୌଣସି ଏକ ରୂପସୀ ତରୁଣୀର ମୁହଁ…ପ୍ରସାଧନର ଶୀର୍ଷସୀନାରେ ଉପନୀତା ସେ । ଅସଂଯତ ପରିଧାନ–ହାତରେ ପାନପତ୍ର, ଲିପଷ୍ଟିକବୋଳା ଓଠର ଧାରେ ଧାରେ ଶାଣିତ ଛୁରିକାର ଆଘାତ । ଶଚୀକାନ୍ତଙ୍କ ପାଖକୁ ଆସି ସେ କହୁଛି, “ଆସ, ଜୀବନକୁ ଉପଭୋଗ କର–ଏ ଜୀବନ କ୍ଷଣସ୍ଥାୟୀ–ଏ ଦେହର ସୁରଭିକୁ ଅକାଳରେ ଝରିଯିବାକୁ ଦିଅନି ଶଚୀକାନ୍ତ–ପ୍ରାଣଭରି ଉପଭୋଗ କର । ମାନସିକ ସବୁ ଅସ୍ଥିରତାର କଳାଛାଇ ଅପସରି ଯିବ ମୋ କବରୀର କୃଷ୍ଣଚୂଡ଼ାର ରଙ୍ଗ ମାଖିଲେ ।

 

ଦେଖ ଶଚୀକାନ୍ତ, କେତେ ରୂପାଭିଜା ଚନ୍ଦ୍ରିକାର ରୋଷଣୀ ଏଇ ଦେହର ଆକାଶରେ; ଲକ୍ଷ ଲକ୍ଷ ତାନପୂରାର ଝଙ୍କାର ତୋଳି ମୁଁ ସୃଷ୍ଟି କରିବି ଅମୃତମୟ ସଙ୍ଗୀତର ମୂର୍ଚ୍ଛନା; ସେଇ ସୁର, ସେଇ ଛନ୍ଦରେ ହଜିଯାଅ ଶଚୀକାନ୍ତ–ଚେଷ୍ଟାକର ତମର ସମସ୍ତ ଉଦାସୀନତାକୁ ଏଇଠି ଜଳାଞ୍ଜଳି ଦେବାକୁ–ଆସ, ସୁଯୋଗ ଥରେ ଆସେ । ତୁମର ହାତ ପାହାନ୍ତାକୁ ଆସିଛି ମୁଁ ପ୍ରେମର ଅର୍ଘ୍ୟ ନେଇ ।”

 

ଇସ୍‌ ! ଆଖି ବନ୍ଦକଲେ ନିବେଦିତା ।

 

ଏତେଗୁଡ଼ାଏ ଭାବିବା ଫଳରେ ମୁଣ୍ଡଟା ତାଙ୍କର ଅତିରିକ୍ତ ଗରମ ହୋଇ ଉଠିଲା । ରକ୍ତଚାପ ବଢ଼ିଯାଇଥିବ–ଭୟଙ୍କର ଭାବରେ ଥରୁଛି ତାଙ୍କର ଛାତି ଭିତରଟା । ନିବେଦିତାଙ୍କର ମନେହେଲା ସମଗ୍ର ଆକାଶଟା ବର୍ତ୍ତମାନ ତାଙ୍କର ମୁଣ୍ଡ ଉପରେ ପଡ଼ିଯିବ ।

 

ଖୁବ୍ ଜୋରରେ ତଳେ କଚାଡ଼ି ହୋଇ ପଡ଼ିଲେ ନିବେଦିତା । ଦବି ଯାଇଥିବା କାଶଟା ପୁଣିଥରେ ପ୍ରବଳ ହେଲା । ଆଜିକାଲି ଟିକିଏ ଲୁହ ଝରିଲା ମାତ୍ରେ ଛାତି ଭିତରଟା ଖାଁ ଖାଁ ଲାଗୁଛି-। ପିଞ୍ଜରା ଥରାଇ ଉଠୁଛି ଦୀର୍ଘଶ୍ଵାସ । ବେଳେବେଳେ ମନେହେଉଛି ବୋଧହୁଏ ନିଶ୍ୱାସ ବନ୍ଦ ହୋଇଯିବ ।

 

ନିବେଦିତାଙ୍କର ତଳେ ପଡ଼ିଯିବାର ଶବ୍ଦ ଶୁଣି ତରତରରେ ପଶି ଆସିଲେ ଶଚୀକାନ୍ତ । ଦେହରେ ଦାମୀ ସୁଟ୍–ହାତରେ ତାଙ୍କର ପରିଚିତ ହ୍ୟାଣ୍ଡବ୍ୟାଗ୍‍ । ନିବେଦିତାଙ୍କୁ ତଳୁ ଉଠେଇ ସ୍ଵଭାବିକ ଭାବରେ ଶେଯରେ ଶୁଆଇ ଦେଇ ଆଉଁସି ଦେଲେ ଶଚୀକାନ୍ତ ।

 

ମୃଦୁଗଳାରେ ଡାକିଲେ–ନିବେଦିତା, ଉଠି ଟିକେ ଗରମ ଦୁଧ ପିଇ ଦିଅତ ! ବହୁତ ଦୁର୍ବଳ ଲାଗୁଛି ତୁମକୁ–ପିଇ ସାରିବା ପରେ ଟିକେ ଭଲ ଲାଗିବ । ଉଠ !!!

 

ଶାନ୍ତ ଦୃଷ୍ଟିରେ ନିବେଦିତା ଚାହିଁଲେ ତାଙ୍କର ସ୍ୱାମୀଙ୍କ ଆଡ଼େ । କାରୁଣ୍ୟରେ ଭିଜିଯାଇଥିବା ଓଦା ଓଦା ଆଖିପତାରୁ ନିବେଦିତାଙ୍କ ଅନ୍ତର ସ୍ପଷ୍ଟ ପଢ଼ି ହେଉଥିଲା ।

 

ଶଚୀକାନ୍ତ ପ୍ରଶ୍ନକଲେ–କ’ଣ ଏତେ ଭାବୁଛ ନିବେଦିତା ??

 

ଶଚୀକାନ୍ତଙ୍କୁ କେନ୍ଦ୍ରକରି ନିବେଦିତା ଯାହାସବୁ ଭାବୁଥିଲେ ତାହାସବୁ ପ୍ରକାଶ ବା କରିଥାନ୍ତେ କିପରି ? ସବୁକଥା କ’ଣ ସବୁବେଳେ କହିହୁଏ ?

 

ଅବରୁଦ୍ଧ ଭାବନାକୁ ଛାତିରେ ଚାପିରଖି କେବଳ ଶୁଷ୍କ ହସ ହସିଲେ ନିବେଦିତା ।

 

ଶଚୀକାନ୍ତଙ୍କ ଦେହରେ ଦାମୀ ସୁଟ୍, ସତେ କେତେ ମାନୁଛି !! କି ସୁନ୍ଦର ଦିଶୁଛନ୍ତି ଶଚୀକାନ୍ତ !! ମନ ପୂରେଇ ଦେଖିନେଲେ ନିବେଦିତା । ଏଇ ତାଙ୍କର ସ୍ୱାମୀ…

 

‘‘ଦୁଧତକ ପିଇଦିଅ ନିବେଦିତା !!’’

 

ପ୍ରକୃତିସ୍ଥ ହେଲେ ନିବେଦିତା ! ନା, ଶଚୀକାନ୍ତ ଚିରଦିନ ତାଙ୍କର । ଯୁଗଯୁଗ ପାଇଁ ଶଚୀକାନ୍ତ କେବଳ ତାଙ୍କର । ଏଇ ରୋଗରେ ପଡ଼ି ପଡ଼ି ନିବେଦିତାଙ୍କର ଯଦି ମୃତ୍ୟୁ ହୁଏ… ?

 

ଆଃ ! ଶଚୀକାନ୍ତଙ୍କୁ ଛାଡ଼ି ଯିବାକଥା ଭାବିଦେଲେ ନିବେଦିତାଙ୍କ ଅନ୍ତର ଥରିଉଠେ । ଶଚୀକାନ୍ତ ବ୍ୟତିରେକେ ସ୍ଥିତିହୀନ ନିବେଦିତାଙ୍କର ସଂଜ୍ଞା !!

 

ନୀରବରେ ଶଚୀକାନ୍ତଙ୍କ ହାତରୁ ଦୁଧ ଗ୍ଲାସଟା ଆଣିଲେ ନିବେଦିତା । ନମ୍ର ଗଳାରେ ପ୍ରଶ୍ନ କଲେ–ଏତେ ସକାଳୁ କୁଆଡ଼େ ବହାରିଛ ?

 

“ମିଟିଂ ।’’ ଭାବିଥିଲି ଯୋଗ ଦେବିନି । କିନ୍ତୁ ଚେୟାରମ୍ୟାନ୍‍ ବହୁତବାଧ୍ୟ କଲେ–ଆଜିକାଲି କୌଣସି Social functionରେ ମୁଁ ଆଉ ଯୋଗ ଦେଉନି । ତୁମେ ବ୍ୟସ୍ତ ହୁଅନି, ମୁଁ ଘଣ୍ଟାଏ ଭିତରେ ଫେରି ଆସିବି ।

 

ଶଚୀକାନ୍ତ ହାତକୁ ନିବିଡ଼ ଭାବରେ ଚାପି ଧରିଲେ ନିବେଦିତା । ମୋର ଆଜି କାହିଁକି ଇଚ୍ଛା ହେଉଛି ତୁମ ସହିତ ବୁଲି ଯିବାକୁ । ନେବ ନା ମୋତେ ଆଜି ??

 

ବାଳିକା-ସୁଲଭ ମିନତି ଥିଲା ନିବେଦିତାଙ୍କର କଣ୍ଠରେ ।

 

ଗମ୍ଭୀର ହୋଇ ଉଠିଲେ ଶଚୀକାନ୍ତ !! ଏ ଭିତରେ କେତେ ଅବୁଝା ହୋଇ ଉଠିଲେଣି ନିବେଦିତା । କ’ଣ ବୋଲି ସେ ବୁଝେଇବେ ନିବେଦିତାଙ୍କୁ ? ଦୁଇ ହାତରେ ମୁହଁକୁ ତୋଳି ଧରି ଓଠର ଧାରରେ ଶଚୀକାନ୍ତ ନିଜ ଓଠର ସ୍ପର୍ଶ ଦେଲେ–ସାନ ପିଲାଙ୍କୁ ବୁଝେଇଲା କଣ୍ଠରେ କହିଲେ–ଆଜି ତମକୁ ଏଇଟା ଅନୁରୋଧ କରିବାକୁ ପଡ଼ି ନ ଥାନ୍ତା ନିବେଦିତା । ମୁଁ ନିଜ ମନକୁ ତୁମକୁ ବୁଲେଇ ଆଣିଥାନ୍ତି । ତୁମ ଦେହ ଭଲ ହୋଇଯାଉ ନିବେଦିତା, ତମକୁ ମୁଁ ବୁଲେଇ ଆଣିବି ଏ ସୃଷ୍ଟିସାରା । ନୂତନ ଦେହ ଓ ମନ ନେଇ ସୃଷ୍ଟିର ସବୁ ସୁଷମାକୁ ଏକାଠି ସାଜାଡ଼ି ତୁମକୁ ନୂଆ ଉପହାର ଦେବି ମୁଁ । ମୋର ରାଣୀ ପରା, ତୁମେ ଅବୁଝା ହୁଅନି । ତୁମେ ମନ କଷ୍ଟ କରନି ।

 

ଏଇ ଛାତିରେ ହାତ ରଖି ତୁମେ ଜାଣିପାରିବ ଏହାର ସ୍ପନ୍ଦନ– ?

 

ତୁମେ ଜାଣ ? ତୁମ ଦେହଲାଗି କେତେ ଚିନ୍ତିତ, କେତେ ବ୍ୟାକୁଳ ଏ ଛାତି ଭିତରଟା । ନିବେଦିତା ମୋର ! ତୁମେ ଖାଲି ଭଲ ହୋଇଯାଅ, ଛଳଛଳ ତଟିନୀର କୁଳୁକୁଳୁ ସ୍ଵପ୍ନ ଦେଇ ତୁମେ ପୁଣି ଜୀବନର ଗୀତ ଗାଇବ–ମୁଁ ପ୍ରାଣଭରି ହସିବି ।

 

ନିବେଦିତାଙ୍କ ଆଖିରୁ ଲୁହ ପୋଛୁଥିଲେ ଶଚୀକାନ୍ତ ।

 

ଟୁକୁନି ଆସିବାର ପାଟି ଶୁଭିଲା ।

 

ଟୁକୁନି ।

 

ଦୁଇଟି ନଦୀର ମିଳିତ ଜୁଆର–ଦୁଇଟି କଣ୍ଠରେ ସମ୍ମିଳିତସ୍ୱର, ଦୁଇଟି ଜୀବନର ଆଦ୍ୟଛନ୍ଦର ରୂପକ ସେ ।

 

ଯୁଗ୍ମ ଜୀବନର ଆଶୀର୍ବାଦ ନେଇ ସେ ଦୀର୍ଘାୟୁ ହେଉ ।

 

ଜନପଥର ଧାରେ ଧାରେ ଅଗଣିତ ନରନାରୀଙ୍କ ଭିଡ଼ । କର୍ମରତ ମଣିଷର ଅନିର୍ଦ୍ଦିଷ୍ଟ ଜୀବନରେଖା କେଉଁଆଡ଼େ କାହାକୁ ଇଙ୍ଗିତ କରୁଛି, ସେ ଇଙ୍ଗିତ ହୁଏତ ଅସ୍ପଷ୍ଟ ।

 

ପ୍ରକୃତରେ ସୀମାହୀନ ଅନ୍ଧକାର ମଧ୍ୟରୁ ଭବିଷ୍ୟତର ଆଲୋକଗୁଡ଼ାକ ଯଦି ଦେଖି ହେଉଥାନ୍ତା ! ତେବେ ମଣିଷ ବୋଧହୁଏ ଏତେ ଖୁସୀ, ଏତେ ଫୂର୍ତ୍ତିରେ ରହିପାରନ୍ତା ନାହିଁ ।

 

କେତେ ବେଗଗାମୀ ସତେ ଏଇ ସମୟର ସ୍ରୋତ ।

 

ଦେଖୁ ଦେଖୁ ପାଞ୍ଚବର୍ଷ ବିତିଗଲା । ଗାଁର ମଟି, ପାଣି, ପବନ ଭିତରୁ ସହରକୁ ଆସିବାର ପାଞ୍ଚବର୍ଷ ବିତିଗଲା ।

 

ଏଇ ପାଞ୍ଚବର୍ଷ ଭିତରେ କେତେ ଓଲଟ ପାଲଟ ହେଇଗଲାଣି । ବଦଳି ଗଲାଣି ଦୁନିଆର ରୂପ । ସେ ଏଇ ଘରକୁ ଆସୁ ଆସୁ ଯେଉଁ ପିଜୁଳି ଗଛଟା ଲଗେଇଥିଲେ ଶାଖାପତ୍ର ମେଲି କେଡ଼େ ବଡ଼ ହୋଇଗଲାଣି । ବୋଝ ବୋଝ ପିଜୁଳି ଫଳୁଛି ସେଥିରେ ।

 

କେଡ଼େ ବଡ଼ ହେଇଯିବଣି ସେ ଶିଶୁଟି । ଗୁଣନିଧିବାବୁଙ୍କ ପାଖରେ ଯେଉଁଦିନ ସେ ଶିଶୁଟିକୁ ଛାଡ଼ିଦେଇ ଆସିଥିଲେ, ସେଦିନ ସେ ଭାବି ନ ଥିଲେ ଯେ ଏଇ ଶିଶୁଟିକୁ ମନେପକେଇବେ । ନିଜ ଅନିଚ୍ଛାରେ କାହିଁକି ତେବେ ବ୍ୟସ୍ତ ହେଉଛନ୍ତି ପୂର୍ଣ୍ଣପ୍ରଭା ?

 

ପାଖଘରୁ କୁଆଁ କୁଆଁ ଶବ୍ଦ ଶୁଭୁଛି ।

 

ସେ ଶବ୍ଦ ଯେପରି ଏକ ଭୂତ ଭୟ ଦେଖାଇଲା ଭଳି ଲାଗୁଛି । ବାରମ୍ବାର ଚମକି ଉଠୁଛନ୍ତି ପୂର୍ଣ୍ଣପ୍ରଭା ।

 

ଝରକାର ରେଲିଂ ଛାଡ଼ି ସେ ଚୌକିରେ ବସିଲେ । ଟେବୁଲ୍ ଉପରେ Transfer orderଟା ଥୁଆ ହୋଇଛି । ତାଙ୍କୁ ବାରିପଦା ଯିବାକୁ ପଡ଼ିବ । କଟକର ମୟା, ମମତା ସବୁକୁ ଛାଡ଼ି ଏତେ ଦୂରରେ ରହିବାକୁ ଇଚ୍ଛା ହେଉ ନ ଥିଲା ପୂର୍ଣ୍ଣପ୍ରଭାଙ୍କର ।

 

ସାମାଜିକ ପ୍ରତିଷ୍ଠା ପାଇଁ ସେ ପାଠ ପଢ଼ିଲେ–ଦୁନିଆ ବୋଧେ ଏଇଥର ତାଙ୍କୁ ଭଦ୍ରଲୋକ କହିବ, ସେଥିରେ ମନ ସନ୍ତୁଷ୍ଟ ହେଲାନି । ଅଧ୍ୟାପିକା ଭାବରେ ଯୋଗ ଦେଲେ, ବିରାଟ ଘରେ ରହିଲେ, ଚାକର ପୂଝାରି ରଖିଲେ, ସାହେବୀ କାଇଦାରେ ଘରର ସାଜସଜା କଲେ, କ୍ଲବ ଗଲେ, ପାର୍ଟି ମିଟିଂ ଗଲେ, କାହିଁ କେଉଁଥିରେ ହେଲେ ତାଙ୍କ ମନର ପାପକୁ ଲୁଚେଇ ପାରିଲେନି ତ ପୂର୍ଣ୍ଣପ୍ରଭା ? ଭଦ୍ର ସମାଜରେ ଏଇ କଚଘୋଡ଼ଣୀ ତଳୁ ଆପଣାର ଅସଂଯତ ଚରିତ୍ରର ରୂପ ସ୍ପଷ୍ଟ ଦିଶୁଛି ତ ।

 

ନିଜ ମନକୁ ନିଜେ ବୁଝେଇ ପାରୁନଥିଲେ ନିବେଦିତା । ଏତେ ସାମାଜିକ ପ୍ରତିଷ୍ଠା ଥାଇ ସୁଦ୍ଧା ପୂର୍ଣ୍ଣପ୍ରଭା ନିଜକୁ ସ୍ଥିତିହୀନ ମନେକରୁଥିଲେ ।

 

ବୟସ ତାଙ୍କର ତିରିଶ ହେଲାଣି ବୋଧହୁଏ !

 

ତଥାପି ତାଙ୍କ ମନରୁ ସଂସାର କରିବାର ସ୍ପୃହା ଲିଭିନି ତ ? ପିଲାଦିନୁ ତାଙ୍କର ଧାରଣା ଥିଲା, ବୋଧହୁଏ ସ୍ୱାଭାବିକ ବୟସ ଅତିକ୍ରାନ୍ତ ହେଲେ ନାରୀ ମନର କୃଷ୍ଣଚୂଡ଼ାର ରଙ୍ଗ ମଉଳି ଯାଏ, ତାରୁଣ୍ୟ ଉଚ୍ଛଳ ତଟିନୀରେ ଭାବାବେଗ କମିଯାଏ–ଶାନ୍ତ ହୋଇ ଆସେ ଉଗ୍ର କାମନାର ସିଂହ ଶିଶୁ । ବିତୃଷ୍ଣା ଆସେ ଉପଭୋଗ ପାଇଁ, ବିଳାସ ପାଇଁ !

 

ଅଥଚ… ।

 

ନିଜେ ଯେତେବେଳେ ତିରିଶ ବର୍ଷରେ ପଦାର୍ପଣ କଲେ, ତାଙ୍କର ମନେହେଉଛି, ସେ ଏବେ ବି ସେଇ ସବୁଜ ସତରର ପୂର୍ଣ୍ଣପ୍ରଭା–ଏବେ ବି ତାଙ୍କ କଣ୍ଠରେ ଦିଗହଜା ପାନ୍ଥ ଲାଗି ଭଲ ପାଇବାର ଅହେତୁକ ପ୍ରେରଣା, ଏବେ ବି ତାଙ୍କ ଦେହରେ ଶିଥିଳ ପ୍ରାଣଲାଗି ଜାଗରଣର ବେପଥୁ-

 

ସଂସାର କରିବେ ପୂର୍ଣ୍ଣପ୍ରଭା ।

 

ସଂସାର ? ବିବାହ ?

 

କାହାକୁ ?

 

କାହାକୁ ବିବାହ କରିବେ ସେ ? ମଳୟ ଦାସଙ୍କୁ ? ସଙ୍ଗୀତଜ୍ଞ ଚନ୍ଦ୍ରକୁମାରଙ୍କୁ ? ଇଂଜିନିଅର୍ ସୁବୋଧ ଦାସଙ୍କୁ ? କାହା ପାଖରେ ନିଜକୁ ଉତ୍ସର୍ଗ କରିବେ ସେ ?

 

ମଳୟ ଦାସଙ୍କ ମୁହଁଟା ଆଖି ଆଗରେ ଦିଶିଲା ତାଙ୍କର । ଏବେ ଡାକ୍ତର ମଳୟ ଦାସ ଖାପଛଡ଼ା ହୋଇ ଉଠିଛନ୍ତି ।

 

ପ୍ରଥମେ ପ୍ରଥମେ ମନେହେଉଥିଲା ବୋଧହୁଏ ପୂର୍ଣ୍ଣପ୍ରଭା ଜିତିଗଲା ଜୀବନର ବାଜିଖେଳରେ । ଜଣେ ଡାକ୍ତରଙ୍କୁ ଜୀବନର ସାଥି ରୂପରେ ପାଇଗଲେ–ଏଥର ତାଙ୍କର ନିଷ୍ଠୁର ଅତୀତକୁ ସେ ଭୁଲିଯିବେ–କଳଙ୍କର କଳାଦାଗକୁ ଲିଭାଇବା ପାଇଁ ସୁଯୋଗ ପାଇବେ ।

 

ନିବେଦିତାଙ୍କ ଚିକିତ୍ସା କଲାଦିନଠାରୁ ମଳୟ ଦାସଙ୍କ ଭାବଭଙ୍ଗୀ ତାଙ୍କ ପ୍ରତି ଅଲଗା ହୋଇଉଠୁଛି । କି ଆକର୍ଷଣ ଅଛି ନିବେଦିତାଙ୍କର; ମାସ ମାସଧାରି ଶଯ୍ୟାଶାୟୀ ହେଲାପରେ ଏମିତି କି ଆକର୍ଷଣର ସାମଗ୍ରୀ ସେ ରଖିଛନ୍ତି ତାଙ୍କ ଭିତରେ, ଯାହା ମଳୟ ଦାସଙ୍କୁ ବ୍ୟଥିତ କରୁଛି-?

 

ନା, ଯେକୌଣସି ଉପାୟରେ ତାଙ୍କୁ ମଳୟ ଦାସଙ୍କୁ ବିବାହ କରିବାକୁ ପଡ଼ିବ । ନିଜକୁ ନିଜେ ପ୍ରଶ୍ନ ପଚାରନ୍ତି ପୂର୍ଣ୍ଣପ୍ରଭା–ପରିଣତ ବୟସରେ ମଧ୍ୟ କିପରି ସେ ଏତେ ଅସଞ୍ଜତ ହେଇପାରିଛନ୍ତି ମଳୟ ଦାସଙ୍କ ଆଗରେ ?

 

ନିରନ୍ଧ୍ର ଅନ୍ଧକାର ଭିତରେ ପାପ କରିବା ସହଜ । ଦିବାଲୋକର ଉଜ୍ଜ୍ୱଳତାରେ ଯେତେ ବ୍ୟଭିଚାର ସମ୍ଭବ ନୁହେଁ–କଳାରାତ୍ରିର କୁହୁକ ମାୟାରେ ସବୁ ଅସମ୍ଭବ ସମ୍ଭବ ହୁଏ । ପାପର ରାଜତ୍ୱରେ ଧରଣୀ ନିର୍ବାକ, ନିଷ୍ଫଳ ହୁଏ । ଅନ୍ଧାର ରାତି ପ୍ରତି ଏକପ୍ରକାର ବିତୃଷ୍ଣା ଉଠୁଥିଲା ପୂର୍ଣ୍ଣପ୍ରଭାଙ୍କର, ଯେଉଁ ଅନ୍ଧକାର ଭିତରେ ଦିନେ ପୂର୍ଣ୍ଣପ୍ରଭା ଆପଣାର ଚରିତ୍ରକୁ ସଂଗୋପନ କରି ରଖିଥିଲେ, ସେଇ ଅନ୍ଧକାର ଭିତରେ ଆପଣାର ରୂପ ପରିଷ୍କାର ଭାବରେ ଆବିଷ୍କୃତ ହୋଇଉଠୁଛି ।

 

ବଦଳ ଅର୍ଡ଼ର ଉପରେ ପୁଣି ଥରେ ଆଖି ବୁଲେଇ ଆଣିଲେ ପୂର୍ଣ୍ଣପ୍ରଭା ।

 

ତାଙ୍କର କେତେ ପ୍ରିୟ ଏଇ କଟକ ସହର ! କେତେ ସ୍ମୃତି ଖୁନ୍ଦି ହୋଇଯାଇଛି ଏଇ ସହରର ମାଟି, ପାଣି, ପବନ ଆକାଶରେ । ଯେଉଁଠି ପୂର୍ଣ୍ଣପ୍ରଭା ବସତି ସ୍ଥାପନ କରିଛନ୍ତି, ସେଇଠି ସେ ସୃଷ୍ଟି କରିଛନ୍ତି ଗୋଟାଏ ଗୋଟାଏ ଦୀର୍ଘ ଇତିହାସ ।

 

ଇତିହାସର ଅଧ୍ୟାପିକା ନ ହେଇ ପୂର୍ଣ୍ଣପ୍ରଭା ଯାହା ରାଜନୀତିର ଅଧ୍ୟାପିକା ହେଇଗଲେ-!

 

ଆଃ ! ମଳୟ ଦାସଙ୍କୁ ବିବାହ କରିପାରିଲେ ତାଙ୍କ ଜୀବନର ବାକି ଅଂଶତକ ସେ ସୁରୁଖୁରୁରେ କଟେଇ ପାରନ୍ତେ ।

 

ମଳୟ ଦାସଙ୍କ କଥା ମନେପଡ଼ିବା ମାତ୍ରେ ମନେପଡ଼ୁଥିଲା ଏକ ବିରାଟ ସ୍ମୃତି । ସମଗ୍ର ମୁହଁଟା ତାଙ୍କର ହଠାତ୍‌ ଲାଲ ହୋଇ ଉଠିଥିଲା । ଗୋରା ତକ ତକ ମସୃଣ ଉପରେ ଲୁହ ଖାଲି ଝରି ଝରି ପଡ଼ୁଥିଲା ସେ ସ୍ମୃତିର ରୋମନ୍ଥନରେ ।

 

ଚାହା ଭୋଜିର ନିମନ୍ତ୍ରଣ ରକ୍ଷାକରି ଫେରୁଥିଲେ ପୂର୍ଣ୍ଣପ୍ରଭା ମଳୟ ଦାସଙ୍କ ସହିତ । ପଥ ନିର୍ଜନ–ରାତ୍ରିର ଦ୍ଵିତୀୟ ପ୍ରହର–ପରସ୍ପର ଭିତରେ ଦୁର୍ବଳତା ପୁଞ୍ଜିଭୂତ । ଏଇଭଳି ଗୋଟେ ପରିବେଶ ଜୀବନରେ ବାସ୍ତବିକ ଖୁବ୍ କମ୍ ଆସେ । ସୁଯୋଗ ହାତଠାରି ଡାକୁଥିଲା । ସାରା ଜୀବନଟା ଯେମିତି ଖାଲି ସୁଯୋଗ ଦାସତ୍ୱ ଶୃଙ୍ଖଳରେ ବନ୍ଦୀ–ମୁକ୍ତିପାଇଁ ବ୍ୟାକୁଳ ହେଲେ ମଧ୍ୟ ସେଥିରୁ ମୁକ୍ତି ମିଳେନା ।

 

ସେ ସୁଯୋଗ ମଳୟ ଦାସ ଅପେକ୍ଷା କରିଥିଲେ ଯେମିତି ! ଜନଗହଳିର ବହୁ ଦୂରରେ ଥିବା ସେଇ ଭଙ୍ଗାରୁଜା ଡାକବଙ୍ଗଳାରେ ସେ ଦିନର ସେଇ ଆତ୍ମସମର୍ପଣ କଥା ଆଜି ଏକ ସ୍ଵପ୍ନପରି ମନେହେଉଛି ।

 

ପୂର୍ଣ୍ଣପ୍ରଭାଙ୍କ ମନରେ ଅନେକଥର ପ୍ରଶ୍ନ ଉଠିଛି–ଦେହ ଦାନ କରି ସାରିଲେ ପ୍ରଣୟଟା କ’ଣ ପ୍ରଗାଢ଼ ହୁଏ ? ପରସ୍ପରକୁ କ’ଣ ଆହୁରି ଭଲଭାବରେ ବୁଝିହୁଏ ? ଏଇ ପୃଥିବୀର ସୀମା ସରହଦ ଟପି ଆହୁରି ଦୂରକୁ କ’ଣ ଗତି କରିପାରେ ପ୍ରେମର ନିର୍ଝରିଣୀ ?

 

ଅବିଚ୍ଛେଦ୍ୟ ପ୍ରଣୟର ପ୍ରଗାଢ଼ତା ସମ୍ପର୍କରେ ଚିନ୍ତା କରୁଥିଲେ ପୂର୍ଣ୍ଣପ୍ରଭା ।

 

ପୂର୍ଣ୍ଣପ୍ରଭା ପରିଣତ ବୟସରେ ଏପ୍ରକାର ଆଚରଣ ଲାଗି ନିଜ ଭିତରେ ଅନେକଥର ଶିହରି ଉଠିଛନ୍ତି ଘୃଣାରେ–ସେ ଘୃଣା ନିଜ ପ୍ରତି । ଆତ୍ମଘୃଣା ଓ ଆତ୍ମଗ୍ଳାନିରେ କଳାହୋଇ ଉଠିଛି ପୂର୍ଣ୍ଣପ୍ରଭାଙ୍କ ସ୍ୱାଭାବିକ ପ୍ରତିକୃତ ।

 

ଆଶ୍ଚର୍ଯ୍ୟ ହୁଅନ୍ତି ପୂର୍ଣ୍ଣପ୍ରଭା । ଦିନକୁ ଦିନ ମଳୟ ଦାସଙ୍କ ପ୍ରତି ଏକପ୍ରକାର ଘୃଣା ଆସୁଛି ପୂର୍ଣ୍ଣପ୍ରଭାଙ୍କର । ଦୂରରେ ଥାଇ ଭାଷାହୀନ ଅଭିବ୍ୟକ୍ତିର ସଂକ୍ଷିପ୍ତତା ମଧ୍ୟରେ ପୂର୍ଣ୍ଣପ୍ରଭା ପ୍ରଣୟର ଯେଉଁ ରୂପ ଦେଖିଥିଲେ, ଏ ଅସଞ୍ଜତ ପ୍ରକାଶର ଦୀପ୍ତିହୀନ ବ୍ୟାକୁଳତା ତାଙ୍କୁ ଅନ୍ଧକରି ଦେଇଛି । ଗୋଟିଏ ପରେ ଗୋଟିଏ ଭୁଲ୍ କରି ଯାଉଛନ୍ତି ପୂର୍ଣ୍ଣପ୍ରଭା । କାହିଁକି ସେଦିନ ସେ ନିଜକୁ ସଞ୍ଜତ କରି ନ ପାରିଲେ ?

 

ପ୍ରେମଟା ସବୁବେଳେ ଅବ୍ୟକ୍ତ । ଅସୀମ ତା’ର ବ୍ୟାପ୍ତି । ନୀରବତା ତା’ର ସୌନ୍ଦର୍ଯ୍ୟ । ପବିତ୍ରତାରେ ତା’ର ସ୍ଥିତି । ଦୂରତ୍ୱର ସୀମାରେଖାରେ ତା’ର ଆକର୍ଷଣ ।

 

ପ୍ରକୃତରେ ପ୍ରାପ୍ତି ପାଇଁ ଧାଇଁବାରେ ଆଗ୍ରହ ଅଛି, ଉଦ୍ଦୀପନା ଅଛି, ଆନନ୍ଦ ଅଛି; କିନ୍ତୁ ପ୍ରାପ୍ତିରେ ନାହିଁ । ନିଜକୁ ହଜେଇ ଦେଇ କିପରି ଏକ ଅକୁହା ଆତ୍ମଗ୍ଳାନିରେ ଜର୍ଜରିତ ହୋଇଉଠୁଥିଲେ ପୂର୍ଣ୍ଣପ୍ରଭା ।

 

ସବୁ କିଛିର ସ୍ମୃତି ଛାଡ଼ି ତାଙ୍କୁ ଯିବାକୁ ହେବ ସୁଦୂର ବାରିପଦା । ପୁଣି ସେଠାରେ ତାଙ୍କର କର୍ମରତ ଜୀବନର ଅଧ୍ୟାୟ ଆରମ୍ଭ ହେବ । ଛାତ୍ର-ଛାତ୍ରୀଙ୍କ ଗହଣରେ ପୁଣିଥରେ ଅଧ୍ୟାପିକାର ଦାୟିତ୍ଵ ନେଇ ସେ ଚାଲିବେ ।

 

ଜୀବନ ପାଇଁ, ଭବିଷ୍ୟତର କିଛି ଗୋଟାଏ ସୁନିର୍ଦ୍ଦିଷ୍ଟ ପନ୍ଥାଲାଗି ସେ ବ୍ୟାକୁଳ ହୋଇ ଉଠିଛନ୍ତି ।

 

କେବେ ଆସିବ ତାଙ୍କ ଜୀବନର ସେଇ ମାହେନ୍ଦ୍ରବେଳା ? ସବୁ ସ୍ମୃତିର ନିହଁ ଖୋଲାଇ ତା’ର ଉପରେ ସେ ନିର୍ମାଣ କରିବେ ତାଙ୍କ ପ୍ରତିଷ୍ଠାର ମହଲ ।

 

ସ୍ଵପ୍ନଟା ସତେ କେତେ ସୁନ୍ଦର !

 

ମଣିଷ ମନର ଦୁର୍ବଳତାର ଆରମ୍ଭ ଓ ଶେଷ କେବେ କେହି ଏହାର ସମାଧାନ କରିପାରି ନାହାନ୍ତି । ଅଜଣା ଅଶୁଣା ଭାବରେ ଏଇ ଦୁର୍ବଳତାର ଆବିର୍ଭାବ, ସୁଯୋଗ ମଧ୍ୟଦେଇ ତା’ର ପରିପ୍ରକାଶ ଏବଂ ନିବେଦିତା ଭାବନ୍ତି, ଏଇଭଳି ଏକ କଲବଲ ସୃଷ୍ଟିଛଡ଼ା ଜୀବନ ତମେ ସୃଷ୍ଟିକଲ କାହିଁକି ?

 

ବୈଶାଖର ଦ୍ଵିପହର–ଅପର୍ଯ୍ୟାପ୍ତ ଖରା । ଜଳିଯିବ ଯେମିତି ଏ ସମଗ୍ର ସୃଷ୍ଟିଟା । ସବୁବର୍ଷ ବୈଶାଖଠାରୁ ଏ ବର୍ଷର ଖରା ସେମିତି ଶତଗୁଣ ହୋଇଛି । ବିଜୁଳି ପଙ୍ଖାର ପବନ ଦେହକୁ ଭଲ ଲାଗୁନି । ନିହାତି Slowରେ ଫ୍ୟାନ୍‌ର ସୁଇଚ୍‌ଟାକୁ ଦେଇ ନିବେଦିତା ପଲଙ୍କ ଉପରେ ଶୋଇବାକୁ ଗଲେ ।

 

ଦେହଟା ଆଜି ବହୁଦିନ ପରେ ଟିକେ ଫୂର୍ତ୍ତି ଲାଗୁଛି । ଏଥର ବୋଧହୁଏ ଭଲ ହୋଇଯିବେ ନିବେଦିତା ।

 

ନିବେଦିତା ବହୁ ସମୟ ନଷ୍ଟକରି ମୁଣ୍ଡରେ ଚମତ୍କାର ଖୋସା କରୁଛନ୍ତି । ମଲ୍ଲୀର ଗଜରାରେ ସୁରଭିତ କବରୀର ମଧୁଗନ୍ଧ ରହି ରହି ସୃଷ୍ଟି କରୁଛି ଏକ ମଧୁର ସମ୍ମୋହନ । ଆଖିରେ କଜ୍ଜଳ, କପାଳରେ ସିନ୍ଦୂର ଟୀକା, ମୁହଁକୁ ତାଙ୍କର ବେଶ୍ ମାନୁଛି । ବାଛି ବଛି ନିବେଦିତା ପିନ୍ଧିଛନ୍ତି ତାଙ୍କର ନୀଳରଙ୍ଗର ବାନରସୀ ଶାଢ଼ି । ଚତୁର୍ଥୀ ଦିନ ସେ ଏଇ ଶାଢ଼ିଟା ପିନ୍ଧିଥିଲେ । ଶାଢ଼ି ପିନ୍ଧିଲାବେଳେ ବାରମ୍ବାର ସେ ସ୍ମୃତି ତାଙ୍କର ମନେପଡ଼ୁଥିଲା ।

 

ରୋଗର ପ୍ରାଦୁର୍ଭାବରେ ଘାଣ୍ଟିଚକଟି ହୋଇଗଲେଣି ନିବେଦିତା । ସୌଖୀନ୍ ମନର ପାଖୁଡ଼ାଗୁଡ଼ାକ ମଧ୍ୟ ମକଚି ହୋଇ ଗଲାଣି । ଦେହର ଯନ୍ତ୍ରଣା ଓ କାତର ହୃଦୟ ନେଇ ଯେତେବେଳେ ସେ ବଞ୍ଚିବାପାଇଁ ଅହରହ ସଂଗ୍ରାମ କରି ଚାଲିଛନ୍ତି, ସେତେବେଳେ ସେ ନିଜକୁ ସଜେଇବାର ସ୍ୱପ୍ନ ବା ଦେଖନ୍ତେ କାହିଁକି ?

 

ବହୁଦିନ ପରେ ଆଜି ସେ ସୁଯୋଗ ମିଳିଛି ହାତମୁଠାରେ । ମକଚି ଯାଇଥିବା ମନର ମୁକୁଳକୁ ପୁଣି ସେ ଚିର ସତେଜ ଓ ଚିର ସୁନ୍ଦରକରି ଗଢ଼ି ତୋଳିବେ । ଫୁଟନ୍ତା କଳିକା ଭିତରେ ଭରିଦେବେ ସେ ଯୁଗ ଯୁଗ ପାଇଁ ଆତ୍ମପ୍ରକାଶର ଉଦ୍‌ବିଘ୍ନତା । ଶଚୀକାନ୍ତଙ୍କ ପାଇଁ ନିଜକୁ ପ୍ରାଣଭରି ସଜେଇବେ ସେ । ସାଜିବେ ସେ ଆଜି ମାୟାବିନୀ ଅଭିସାରିକାର ବେଶ । ତାଙ୍କରି ପାଦର ନୂପୁର, ତାଙ୍କର କଣ୍ଠର ସ୍ୱର, ତାଙ୍କ ତନୁର ଅଭିନବ ଶିହରଣ ତୋଳି ସେ ଶଚୀକାନ୍ତଙ୍କ ପ୍ରାଣରୁ ସବୁ ଦରଦକୁ ପୋଛି ଦେବେ । ତାଙ୍କ ଶୁଖିଲା ମନକୁ ଆର୍ଦ୍ରକରି ତୋଳିବେ ।

 

ଧୋବା ଘରୁ ଆସିଥିବା ଦାମୀ ବେଡ଼୍‌ସିଟ ଆଣି ପଲଙ୍କ ଉପରେ ବିଛେଇ ଦେଲେ ନିବେଦିତା । ପଲଙ୍କ ପାଖକୁ ଲାଗି ଗୋଟିଏ ଛୋଟିଆ ଟେବୁଲ୍ ଉପରେ ଥିବା ଫୁଲଦାନୀରେ ଭରିଦେଲେ ସତେଜ ରଜନୀଗନ୍ଧାର ଫୁଲତୋଡ଼ା । ଘରର ସାଜସଜ୍ଜାରେ ଆଜି ଏକ ଆଲୌକିକ ନୂତନତା । ନିବେଦିତାଙ୍କ ହାତର ପରଶରେ ସବୁ ଯେମିତି ନୂଆ ରୂପ ପାଇଛି । ନୂଆ ଜୀବନର ସ୍ଵପ୍ନ ତାଙ୍କର ଆଖିରେ ।

 

ଶଚୀକାନ୍ତ ଆସିବାକୁ ଆଜି ଅନେକ ଡେରି । ଶୀଘ୍ର ଆସିଯାନ୍ତେ କି ?

 

କବାଟରେ ଆଘାତ ଶୁଭିଲା । ପ୍ରତୀକ୍ଷମାଣା ନିବେଦିତା ଉଦ୍‌ବିଘ୍ନତାର ସହ ଦ୍ୱାର ଖୋଲିଲେ ।

 

କିନ୍ତୁ ଏ କ’ଣ ?

 

ଶଚୀକାନ୍ତଙ୍କ ପରିବର୍ତ୍ତେ ଘର ଭିତରକୁ ପଶି ଆସିଲେ ଡାକ୍ତର ମଳୟ ଦାସ । ନିବେଦିତାଙ୍କୁ ଏ ବେଶରେ ଦେଖି ଆଶ୍ଚର୍ଯ୍ୟ ହେଲେ । ତାଙ୍କର କଳ୍ପନାତୀତ ଏଇଭଳି ଏକ ଦୃଶ୍ୟ ଦେଖିବାକୁ ସତେ ଯେପରି ସେ ଆଦୌ ପ୍ରସ୍ତୁତ ନ ଥିଲେ ।

 

କି ଚମତ୍କାର ଦିଶୁଛନ୍ତି ନିବେଦିତା !

 

ଯାଦୁକରର କୁହୁକ କାଠିର ସ୍ପର୍ଶରେ ସବୁ ଅସମ୍ଭବ ସମ୍ଭବ ହେଲାପରି ନିବେଦିତା ବଦଳି ଯାଇଥିଲେ ।

 

‘ବସନ୍ତୁ ମଳୟବାବୁ । ଏମିତି ଠିଆହୋଇ ରହିଲେ ଯେ ।’ ମଳୟ ଦାସ ସବୁଦିନେ ବସନ୍ତି ନିବେଦିତାଙ୍କ ପଲଙ୍କ ପାଖକୁଲାଗି ପଡ଼ିଥିବା ଏକ ଚେୟାରରେ । ଆଜି କିନ୍ତୁ ତାଙ୍କୁ ସେଠାରେ ବସିବାକୁ କିଏ ଯେପରି ପଛରୁ ଟାଣି ଧରୁଛି । ମାସ ମାସ ଧରି ଶଯ୍ୟାଶାୟୀ ହେଲେ ମଧ୍ୟ, ଦେହଟାକୁ ଗୋଟାଏ ରୋଗର ଭଣ୍ଡାର କରିସାରିଲା ପରେ ବି ଜଣକ ଦେହରେ ଏତେ ଆକର୍ଷଣ ଲୁଚି ରହିପାରେ, ପ୍ରଥମକରି ସେଦିନ ଆଶ୍ଚର୍ଯ୍ୟ ହୋଇଥିଲେ ମଳୟ ।

 

ତାଙ୍କର ଏଇ ଭାବନାଗୁଡ଼ାକ କପାଳରେ କୁଞ୍ଚିତ ରେଖା ଏବଂ ଉଜ୍ଜ୍ୱଳ ଆଖି ଦୁଇଟି ଭିତରୁ ପରିଷ୍କାର ଜଣାପଡ଼ୁଥିଲା । ନିଜକୁ ସଞ୍ଜତ କରିନପାରି ମଳୟ ଦାସଙ୍କ ପାଟିରୁ ଆପେ ଆପେ ବାହାରି ଆସିଲା–‘ଆପଣ ଆଜି ଖୁବ୍ ସୁନ୍ଦର ଦିଶୁଛନ୍ତି ନିବେଦିତାଦେବୀ । କାହାକୁ ମୁଁ ଆଖି ଆଗରେ ଦେଖୁଛି, ନିଜେ ମଧ୍ୟ ସେ କଥା ମୁଁ ବିଶ୍ୱାସ କରିପାରୁନି । ବହୁଦିନର ସାଧନା ମୋର ସଫଳ ହୋଇଛି ନିବେଦିତାଦେବୀ, ଏଣିକି ଆପଣଙ୍କ ଦେହ ନିଶ୍ଚୟ ଭଲ ହୋଇଯିବ ।’

 

ହସିଲେ ନିବେଦିତା ।

 

ନିଷ୍ପାପ, ନିଷ୍କଳଙ୍କ ସେ ହସ ମଳୟ ଦାସଙ୍କ କଥା ଉପରେ ସତେ ଯେପରି ମୋଟେ ଗୁରୁତ୍ଵ ସେ ଦେଇନାହାନ୍ତି ।

 

ନିବେଦିତା କହିଲେ–ନା, ମଳୟବାବୁ ! ଆପଣ ଭୁଲ୍ ବୁଝିଛନ୍ତି । ମୁଁ କ’ଣ ଆଉ ଭଲ ହେବି ? ମିଛ କଥା । ଏବେ ବି ମୋ ଦେହରେ ଜରର ପ୍ରକୋପ ବଢ଼ିଲାଣି–ମୋ ଫମ୍ପା ଛାତି ଭିତରର କଲିଜାଟା ଟିକ୍ ଟିକ୍ କରି କାଟି ହେଇଯାଉଛି । ଆଉ ଏ ପରିଧାନ…

 

ଏଥର ଖୁବ୍ ଜୋରରେ ହସିଲେ ନିବେଦିତା ।

 

‘ନିର୍ବାଣମୁଖୀ ଦୀପଶିଖା ଲିଭିବା ପୂର୍ବରୁ ଖୁବ୍ ଜୋରରେ ଜଳିଉଠି ପୁଣି ଯେମିତି ଦପ୍ କରି ଲିଭିଯାଏ, ଠିକ୍ ସେମିତି ଆଜିର ଏ ଅଙ୍ଗସଜ୍ଜା… ?’

 

ନିବେଦିତାଦେବୀ, ଆପଣ ଏ କ’ଣ କହୁଛନ୍ତି ? ଏତିକି କହୁ କହୁ ମଳୟ ଦାସ ନିବେଦିତାଙ୍କର ଖୁବ୍ ନିକଟକୁ ଲାଗି ଆସିଲେ । ଅନେକଥର ଶଚୀକାନ୍ତଙ୍କ ଉପସ୍ଥିତିରେ ମଳୟ ନିବେଦିତାଙ୍କ ହାତର ନାଡ଼ି ପରୀକ୍ଷା କରିବା ପାଇଁ, ଛାତିର ସ୍ପନ୍ଦନ ପରୀକ୍ଷା କରିବା ପାଇଁ ବିନା ବାକ୍ୟବ୍ୟୟରେ ନିବେଦିତାଙ୍କୁ ସ୍ପର୍ଶ କରିଛନ୍ତି । ସେ ସ୍ପର୍ଶ ପାଇଁ ଦିନେହେଲେ ମଳୟ ଦାସଙ୍କ ଅନ୍ତର ଭିତରେ କୌଣସି ବେପଥୁର ସଞ୍ଚାର ତ ହେଇନି ! ମଳୟ ଡାକ୍ତର । ଅସଂଖ୍ୟ ରୋଗୀ ସହିତ ତାଙ୍କ ଜୀବନଟା ଯେମିତି ଯୋଡ଼ି ହୋଇଯାଇଛି ।

 

କିନ୍ତୁ ଆଜି କାହିଁକି ନିବେଦିତାଙ୍କୁ ସ୍ପର୍ଶ କରିବାର ସ୍ପୃହା ଏତେ ପ୍ରବଳ । ଅଥଚ ସେ ସ୍ପର୍ଶ କରିପାରୁନାହାନ୍ତି କାହିଁକି ? ମଳୟ ଦାସ ନିବେଦିତାଙ୍କୁ ଖୁବ୍ ନିକଟରେ ଥାଇ ଅପେକ୍ଷାକୃତ ଗମ୍ଭୀର ଗଳା କରି କହିଲେ–ଆପଣଙ୍କ ଭଳି ସ୍ତ୍ରୀ ଯିଏ ପାଇଛି, ସେ ତା’ ଜୀବନର ସବୁକିଛି ପାଇସାରିଛି । ଆପଣଙ୍କ ଶିକ୍ଷା, ଯୋଗ୍ୟତା, ନମ୍ରତା ଓ ସୌନ୍ଦର୍ଯ୍ୟ କେଉଁଥିରେ ଆପଣ ନିଜକୁ ଛୋଟ ମନେକରୁଛନ୍ତି ?

 

ମଳୟ ଦାସଙ୍କ କଣ୍ଠରେ ଆବେଗ ସୀମା ସ୍ପର୍ଶ କରୁଥିଲା ।

 

ମଳୟ ଦାସ ସେଇ ଆବେଗରେ ନିବେଦିତାଙ୍କ ହାତ ପାପୁଲିକୁ ଖୁବ୍ ନିବିଡ଼ ଭାବରେ ଚାପିଧରି ତାଙ୍କ ମୁହଁକୁ ଚାହିଁ କହିଲେ–ଓଃ ! ଦେହରେ ଯଥେଷ୍ଟ ତାତି ଅଛି ତ ?

 

ନିବେଦିତା ଖୁବ୍ ଭଲଭାବରେ ହୃଦୟଙ୍ଗମ କରିପାରିଥିଲେ ମଳୟ ଦାସଙ୍କ ମାନସିକ ବିକାର କେତେ ନିମ୍ନ ସ୍ତରଦେଇ ଗତି କରିଛି । ପ୍ରକୃତରେ ଅନ୍ୟ ଦିନମାନଙ୍କରେ ମଳୟ ଦାସ ଯେତିକି ସହଜ ମନେହେଉଥିଲେ, ଆଜି ଯେ ସେ ତା’ଠାରୁ କିଛି ସ୍ୱତନ୍ତ୍ର ମନେହେଉଛନ୍ତି ।

 

ଯଥେଷ୍ଟ ଉଚ୍ଚ ଗମ୍ଭୀର ଗଳାରେ ନିବେଦିତା ନିଜ ହାତ ମଳୟ ଦାସଙ୍କ ହାତମୁଠାରୁ ମୁକ୍ତକରି ଆଣି କହିଲେ–ଆପଣଙ୍କ ବ୍ୟବହାର ପାଇଁ ପ୍ରଥମଥର ପାଇଁ ମୁଁ ଆପଣଙ୍କୁ କ୍ଷମା କରୁଛି ମଳୟବାବୁ–କାରଣ ଆପଣ ମୋର ସ୍ଵାମୀଙ୍କ ବିଶ୍ଵସ୍ତ ବନ୍ଧୁ–ଆପଣଙ୍କ ଅକୁଣ୍ଠ ସାହାଯ୍ୟ ସାରା ଜୀବନରେ ଭୁଲି ହେବାର ନୁହେଁ–ସେ ମହାଦାନର ସୁଯୋଗ ଆପଣ ନିଅନ୍ତୁନି ।

 

ନିବେଦିତା କାନ୍ଦି ପକେଇଲେ ।

 

ଶଚୀକାନ୍ତଙ୍କ ଯୋତା ରଖିବାର ଶବ୍ଦ ହେଲା । ଶଚୀକାନ୍ତ ଆସିଗଲେ । ହଠାତ୍ ନିବେଦିତାଙ୍କ ଛାତି ଭିତରଟା ଥରିଉଠିଲା । ନିର୍ଜନ ଦ୍ଵିପହର । ଆବଦ୍ଧ କୋଠରୀ ଭିତରେ କେବଳ ଦୁଇଜଣ, ମଳୟ ଦାସ ଓ ସେ ନିଜେ । ସେଥିରେ ଆଜି ନିବେଦିତାଙ୍କ ବେଶ ପରିପାଟୀ ନିହାତି ସ୍ୱତନ୍ତ୍ର । ଘରର ସାଜସଜ୍ଜା ମଧ୍ୟ ନୂତନ । ଏସବୁ ପରିବେଶରେ ନିଜକୁ ରଖି ନିବେଦିତା ଶଚୀକାନ୍ତଙ୍କ ପ୍ରତିକ୍ରିୟା କ’ଣ ହୋଇପାରେ ବୋଲି ଚିନ୍ତା କରୁଥିଲେ । ଶଚୀକାନ୍ତ ମଧ୍ୟ ଏକ ରକ୍ତ ମାଂସର ମଣିଷ । ପୂର୍ଣ୍ଣପ୍ରଭାଙ୍କ ଚିଠିଟାକୁ ସେଦିନ ହୁଏତ ସେ ଗୁରୁତ୍ଵ ଦେଇ ନ ଥିଲେ । କିନ୍ତୁ ଆଜି ଏଇ ପରିବେଶରେ ମଳୟ ଦାସଙ୍କୁ ଦେଖି ଶଚୀକାନ୍ତ ସେ ଚିଠିର ତର୍ଜମା କରିବେ । ବେଳକୁ ବେଳ ତାଙ୍କ ସ୍ଥିତିର ରୂପ ଆହୁରି ଅସ୍ଥାୟୀ ମନେହେବ । ରୋଗର ଆକ୍ରମଣରେ ନିବେଦିତାଙ୍କ ଅନ୍ତଃସ୍କରଣ ଯେତିକି ଦୁର୍ବଳ ହୋଇଯାଇଛି, ଶଚୀକାନ୍ତଙ୍କ ଆଶ୍ୱାସନାରେ ସେ ସେତିକି ବଞ୍ଚିବାର ପ୍ରେରଣା ପାଇଛନ୍ତି କିନ୍ତୁ ୟା ପରଠାରୁ ଯଦି ଶଚୀକାନ୍ତଙ୍କ ସ୍ନେହରୁ ସେ ବଞ୍ଚିତ ହୁଅନ୍ତି… ନା, ନା, ସେ ବଞ୍ଚିପାରିବେନି । ଏଇ କଥା ଭାବିଦେଲା ବେଳକୁ ନିବେଦିତାଙ୍କ ମସ୍ତିଷ୍କର କେଉଁ ସୂକ୍ଷ୍ମ ତନ୍ତ୍ରୀରେ ଆଘାତ ଲାଗିଥିଲା ।

 

ନିବେଦିତା ଭାବିଥିଲେ, ଶଚୀକାନ୍ତଙ୍କୁ ପ୍ରଥମକରି ତାଙ୍କ ସଜେଇବାର ଶୈଳୀ ଦେଖାଇଥାନ୍ତେ–ଘରକୁ କିପରି ଘଣ୍ଟା ଘଣ୍ଟା ଧରି ସଜେଇଛନ୍ତି, ସେକଥା କହିଥାନ୍ତେ । ଚତୁର୍ଥୀରାତ୍ରିର ସ୍ମୃତି–ସୁରଭି ସିକ୍ତ ଶାଢ଼ିଟି ପିନ୍ଧ ଶଚୀକାନ୍ତ କୋଳରେ ସେ ଲୋଟି ପଡ଼ିଥାନ୍ତେ ଉଚ୍ଛଳା ତଟିନୀପରି–ନିଜକୁ ହଜେଇ ଦେଇଥାନ୍ତେ ଶଚୀକାନ୍ତଙ୍କ ଭିତରେ ମୁହୂର୍ତ୍ତ କେତେଟା ପାଇଁ ।

 

ତାଙ୍କ ଭାବନାରେ ବାଧାଦେଇ ପଶି ଆସିଲେ ମଳୟ ଦାସ । ନିବେଦିତା କ’ଣ ଏତେ ଦିନର ସୁପରିଚିତ ବନ୍ଧୁ ଡାକ୍ତର ମଳୟ ଦାସଙ୍କୁ ‘ଆପଣ ଯାଆନ୍ତୁ’ ବୋଲି କହିପାରିଥାନ୍ତେ ? ସବୁ ପରିସ୍ଥିତି ଓଲଟା ପାଲଟ ହୋଇଗଲା । ସବୁ ଭାବନାର ଦିଗ ବଦଳି ଗଲା । ଏଥର ଆଗାମୀ ପରିସ୍ଥିତି ପାଇଁ ତାଙ୍କୁ ମଥା ପାତିବାକୁ ହେବ ।

 

ଯୋତା ଓ ମୋଜା ଖୋଲି ସାର୍ଟର ବୋତାମ ଖୋଲୁ ଖୋଲୁ ଘର ଭିତରକୁ ପଶି ଆସିଲେ ଶଚୀକାନ୍ତ । ନିବେଦିତାଙ୍କୁ ଏଇଭଳି ବେଶରେ ଦେଖି ଆଶ୍ଚର୍ଯ୍ୟ ହେଲେ । ଆହୁରି ଆଶ୍ଚର୍ଯ୍ୟ ହେଲେ ନିବେଦିତାଙ୍କ ଏ ବେଶ ସହିତ ସଂଲଗ୍ନ କରି ମଳୟ ଦାସଙ୍କ ଉପସ୍ଥିତରେ !! ତଥାପି ନିଜ ଅନୁଭବଗୁଡ଼ାକୁ ପ୍ରକାଶ ହେବାକୁ ନ ଦେଇ ସେଇଭଳି ସ୍ୱାଭାବିକ ସ୍ମିତ ହସରେ ମଳୟଙ୍କ ପିଠି ଥାପୁଡ଼େଇ ଶଚୀକାନ୍ତ ପଚାରିଲେ–

 

“କ’ଣ ମଳୟବାକୁ ! ଆପଣ କେତେବେଳେ ?”

 

ଏଇ ଅଧଘଣ୍ଟା ହେଲା । ଏଇ ବାଟେ ମେଡ଼ିକାଲ୍‍କୁ ଯାଉ ଯାଉ ହଠାତ୍ ନିବେଦିତାଙ୍କ ସ୍ଵାସ୍ଥ୍ୟ କଥା ମନେହେଲା–ଭାବିଲି ଟିକେ ଦେଖିକରି ଯିବି । ସେଇଥିପାଇଁ ଆସିଗଲି । ଯାହାହେଉ, ନିବେଦିତା ଯଥେଷ୍ଟ ସୁସ୍ଥ ଅଛନ୍ତି ତ !

 

ସ୍ୱର ବଦଳାଇ ମଳୟ ଦାସ ପରିସ୍ଥିତିକୁ ଆହୁରି ସହଜ କରିବାକୁ କହିଲେ–କ’ଣ ତମର ଆଜି ଏତେ ଡେରି ଶଚୀକାନ୍ତ ?

 

ଶଚୀକାନ୍ତ ମଳୟ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେନି । ଅନ୍ୟମନସ୍କ ଥିଲେ ସେ-

 

ସନ୍ଦେହରେ ଘନ ପ୍ରଚ୍ଛାୟା ଓ ଉପଚ୍ଛାୟା ଭିତରୁ ବହୁ କଷ୍ଟରେ ଜୀବନର ଆଲୋକ ଟିକିକ ଖୋଜୁଥିଲେ ନିବେଦିତା ।

 

ଶଚୀକାନ୍ତ ଆକାଶକୁ ଲକ୍ଷ୍ୟକଲେ ।

 

ଘନକୃଷ୍ଣ ବାଦଲ ଭିତରେ ଲୁଚିଯାଉଛି ଜହ୍ନ–ପୁଣି ଦେଖା ଯାଉଛି, ପୁଣି ଲୁଚି ଯାଉଛି । ଏମିତି ଅନେକ ଲୁଚକାଳି ପରେ ଜହ୍ନ ହଠାତ୍ ଲୁଚିଗଲା–ଆଉ ଦିଶିଲାନି । ଅନେକ ସମୟ ଧରି ଉତ୍କଣ୍ଠାର ସହ ଅପେକ୍ଷା କଲେ ଶଚୀକାନ୍ତ–ତଥାପି ସେ ଜହ୍ନର ଦେଖା ନାହିଁ । ସମଗ୍ର ଧରଣୀ ବୁକୁରେ ଯେପରି କଳାପରଦା ଢାଙ୍କି ହୋଇଗଲା । ବିଗତ ପ୍ରେମିକାର ଖାପଛଡ଼ା ବ୍ୟବହାର ଭଳି ଅନ୍ଧକାରର ମଝିରେ ମଝିରେ ରୋଡ଼ର ବିଜୁଳୀବତୀ ଜଳି ପୁଣି ଲିଭି ଯାଉଥିଲା । ରାତି ବାରଟା ବାଜିବ ବୋଧହୁଏ । ଶଚୀକାନ୍ତଙ୍କ ହୃଦୟ ହଠାତ୍ କାହିଁକି ଦବି ଆସିଲା ।

 

ମୁଣ୍ଡଉପର ଦେଇ କେଜାଣି କି ପକ୍ଷୀଟିଏ ଉଡ଼ିଗଲା ବିକଟାଳ ଶବ୍ଦକରି । ହାତଘଡ଼ିକୁ ଚାହିଁଲେ ଶଚୀକାନ୍ତ । ବର୍ତ୍ତମାନ ନିବେଦିତା ଉଠିଥିବେ । ଶଚୀକାନ୍ତଙ୍କୁ ଖୋଜୁଥିବେ ।

 

ଖୋଜନ୍ତୁ ।

 

କ୍ଳାନ୍ତହେଲା ପର୍ଯ୍ୟନ୍ତ ସେ ଖୋଜନ୍ତୁ । ଖୋଜି ଖୋଜି ତାଙ୍କ ଆଖିରେ ଲୁହର ବନ୍ୟା ଆସୁ–ପ୍ରଳୟ ଆସୁ, ତଥାପି ସେ ଅବିଚଳିତ ରହିବେ । ନା, ଆଜି ସେ ପ୍ରତିଜ୍ଞା କରିଛନ୍ତି ସମଗ୍ର ରଜନୀ ଏଇଠାରେ ଜାଗ୍ରତ ହେବେ, ନିଜକୁ କଷ୍ଟ ଦେବେ । ନିଜ ଉପରେ ନିଜେ ପ୍ରତିଶୋଧ ନେବେ । ପ୍ରାଣକୁ ରକ୍ତାକ୍ତ କ୍ଷତର ଜାଳା ଦେଇ ସେ ଶାନ୍ତି ପାଇବେ । ଶଚୀକାନ୍ତଙ୍କ ଅନୁପସ୍ଥିତି ନିବେଦିତାଙ୍କୁ ଯଦି କଷ୍ଟଦେବ, ଦେଉ ।

 

ଅଭିମାନ କରୁଥିଲେ ଶଚୀକାନ୍ତ ।

 

ଆକାଶକୁ ଚାହିଁଲେ ସେ ।

 

ଆଉ କ’ଣ ଜହ୍ନ ଉଇଁବନି ? ସାରା ଜୀବନଟା କ’ଣ ଏଇମିତି ଅନ୍ଧକାର ହୋଇଯିବ ? ଶଚୀକାନ୍ତ ଯେଉଁଦିନ ଏଇ ସିମେଣ୍ଟ ବେଞ୍ଚରେ ବସି ସେ ବାଦଲକୁ ଲକ୍ଷ୍ୟ କରନ୍ତି, ସେଇଦିନ କୌଣସି ନା କୌଣସି କାରଣରୁ ଜହ୍ନ ଲୁଚିଯାଏ । ଅଶିଣ ଆକାଶର ମେଘାଚ୍ଛନ୍ନ ବାଦଲ ଭଳି ସମଗ୍ର ପୃଥିବୀ ଅନ୍ଧାର ଦିଶେ ।

 

କାହିଁକି ଏମିତି ହୁଏ ?

 

ତାଙ୍କ ଜୀବନ ପାଇଁ ପ୍ରକୃତିର ଇଏ କି ଇଙ୍ଗିତ ?

 

ପ୍ରକୃତି କ’ଣ ତାଙ୍କୁ ବ୍ୟଙ୍ଗ କରୁଛି ? ବିଦ୍ରୂପ କରୁଛି ? ତାଙ୍କ ଜୀବନ ପାଇଁ ଦେଉଛି ଏକ ଭବିଷ୍ୟତ ବାଣୀ ! ନା, ନା; ତାକୁ ସେ ସତ୍ୟରେ ପରିଣତ ହେବାକୁ ଦେବେନି ।

 

ଶଚୀକାନ୍ତଙ୍କର ମନେହେଲା ନିବେଦିତାଙ୍କର ପ୍ରବଳ କାଶ ଉଠୁଛି । କାଶି କାଶି ଆଞ୍ଜୁଳା ଆଞ୍ଜୁଳା ରକ୍ତ ବାନ୍ତି ହେଇଯାଉଛି । ଦେହରୁ ଝାଳ ନିଗିଡ଼ି ପଡ଼ୁଛି, ସଜ୍ଞାହୀନ ନିବେଦିତାଙ୍କ ଦେହଟା ଲୋଟୁଛି ଭୂଇଁରେ ।

 

ଶଚୀକାନ୍ତଙ୍କଠାରୁ ନିବେଦିତାଙ୍କ ଦେହ ଖୋଜୁଛି ଅଶ୍ରୟ, ମନ ଖୋଜୁଛି ମମତା, ଜୀବନ ଖୋଜୁଛି ଆଶ୍ୱାସନା–

 

ନା, ନା; ପଥର ହେଇପାରିବେନି ଶଚୀକାନ୍ତ । ଯାହାକୁ କେବଳ ଭଲ କରିବାକୁ, ବଞ୍ଚେଇ ରଖିବାକୁ ସେ ଜୀବନଭରି ଏତେ ପରିଶ୍ରମ କରିଛନ୍ତି, ଅସଂଖ୍ୟ ବିନିଦ୍ର ରଜନୀ ଉଦ୍‍ଯାପନ କରିଛନ୍ତି, ଏତେ ଅର୍ଥ ବ୍ୟୟ କରିଛନ୍ତି, ଏତେ ଆଘାତକୁ ଭୂଷଣ କରିଛନ୍ତି, ତାକୁ ଏମିତି ଅବହେଳିତ ହେବାକୁ ଦେବେନି ସେ ।

 

ନିବେଦିତା ଏସବୁ ଜାଣି ସୁଦ୍ଧା ଯଦି ଚରିତ୍ରହୀନା ହୁଅନ୍ତି, ସେ ପାପ ତାଙ୍କର । ସ୍ଵାମୀ ବ୍ୟତିରେକେ ଅନ୍ୟ ପୁରୁଷଙ୍କ ପ୍ରତି ଦୁର୍ବଳତା ଯଦି ତାଙ୍କ ଭିତରେ ସଞ୍ଚାରିତ ହୁଏ, ସେ ଭୁଲ ତାଙ୍କର-। ଆଉ ମଳୟ ଦାସ ! ବନ୍ଧୁତ୍ୱର ଦ୍ୱାହିଦେଇ ସେ ଯଦି ବିଶ୍ୱାସଘାତକତା କରେ, ସେ ପାପର ପ୍ରାୟଶ୍ଚିତ୍ତ ପାଇଁ ଭଗବାନ ତାକୁ ସୁବୁଦ୍ଧି ଦିଅନ୍ତୁ । ଅଯଥାରେ ସେ ନିଜ ମନକୁ ଦୂଷିତ କରି ତାଙ୍କ ପବିତ୍ର ପ୍ରଣୟକୁ କଳଙ୍କିତ ହେବାକୁ ଦେବେନି । ଜୀବନର ଶେଷ ନିଶ୍ଵାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଏଇ ମନନେଇ ସ୍ଥିର ଓ ଅବିଚଳିତ ରହିବେ । ନିବେଦିତା ତାଙ୍କର ସହଧର୍ମିଣୀ–ଜୀବନ ସଙ୍ଗିନୀ । ତାଙ୍କ ପ୍ରଣୟର ଆଦ୍ୟନାରୀ ସେ । ତାଙ୍କ ଅନ୍ତରର ସବୁକିଛି ପବିତ୍ରତାର ଅର୍ଘ୍ୟଦେଇ ସେ ନିବେଦିତାଙ୍କୁ ଗ୍ରହଣ କରିଥିଲେ । ସେହି ନିବେଦିତା ସବୁଦିନେ ତାଙ୍କପାଇଁ ମନ-ଉଦ୍ୟାନର ସତେଜ ସୂର୍ଯ୍ୟମୁଖୀ ।

 

ସନ୍ଦେହ ଜ୍ୱାଳାରେ ସତେଜ ପୁଷ୍ପକୁ ସେ ଝାଉଁଳିବାକୁ ଦେବେନି ।

 

ନିକଟ ଦେବଦାରୁ ଗଛରେ ବସି କରୁଣ ସ୍ଵରରେ ବିଳାପ କରୁଛି ଚକ୍ରବାକ । ଆଃ ! ବିରହୀ ଚକ୍ରବାକ ।

 

କି ମର୍ମସ୍ପର୍ଶୀ କରୁଣତା ତା’ର ଡାକରେ !

 

କି ପ୍ରାଣସ୍ପର୍ଶୀ କାତରତା ତା’ର ସ୍ଵରରେ ! ଚିରଦିନ ଅଭିଶପ୍ତ ଏଇ ଚକ୍ରବାକ; ପ୍ରତିରାତ୍ରିର ବିଚ୍ଛେଦରେ ସେ ବିଧୂର–

 

ନା, ନା । ଆରେ, ଏସବୁ କ’ଣ ସେ ଭାବୁଛନ୍ତି ? ନିବେଦିତାଙ୍କ ଦେହ ଛୁଇଁ ସେ ଶପଥ କରିଥିଲେ, “ତୁମ ଆଖିରୁ ଲୁହ ପୋଛିବାକୁ ମୋ ଆଖିରୁ ଯଦି ରକ୍ତ ଢାଳିବାକୁ ପଡ଼ିବ ନିବେଦିତା, ସେଥିପାଇଁ ମୋର ଦୁଃଖ ନାହିଁ । ବରଂ ତୁମଲାଗି ଏଇସବୁ ଜ୍ଵାଳାକୁ ଛାତିରେ ଲଗାଇ, ସେଇଥିରେ ମୁଁ ଯେଉଁ ଶାନ୍ତି ପାଇବି, ସେଇ ମୋର ଅମୂଲ୍ୟ ସମ୍ପଦ । ଭଗବାନଙ୍କୁ ମୁଁ ସବୁବେଳେ ମିନତି କରୁଛି, ନିବେଦିତା ମୋର ଜନ୍ମଜନ୍ମର ସାଥୀ ହେଉ । ଚାରିଆଖିର ଲୁହକୁ ଏକାଠି ମିଶାଇ ଆମେ ରଚିବା ପ୍ରଣୟର ନିର୍ଝରିଣୀ–ଶାଶ୍ଵତ ତା’ର ଧାରା–ଅସରନ୍ତି ତା’ର ଛନ୍ଦ ।

 

ଏଇ ସେ ଶଚୀକାନ୍ତ ! ତାଙ୍କ ସୃଷ୍ଟି-ମାନସର ନାୟିକା ନିବେଦିତା ।

 

ନିବେଦିତାଙ୍କୁ ସନ୍ଦେହ କରିଛନ୍ତି ବୋଲି ଛାତି ଭିତରେ ଏକପ୍ରକାର ଯନ୍ତ୍ରଣା ଅନୁଭବ କରୁଥିଲେ ସେ ।

 

ଅଫିସରୁ ଫେରି ନିବେଦିତାଙ୍କ ଦେହରେ ଅଦ୍ଭୁତ ସାଜସଜ୍ଜା ଦେଖି ସେଦିନ ଯେତିକି ଅବାକ୍ ହୋଇ ନ ଥିଲେ ଶଚୀକାନ୍ତ, ସେତିକି ଖୁସି ମଧ୍ୟ ହୋଇଥିଲେ । ମଳୟ ଦାସ ଯିବାପରେ ନିବେଦିତା ଅପରାଧିନୀ ପରି ଶଚୀକାନ୍ତଙ୍କୁ ଡାକିଥିଲେ–ଆସ, ଖାଇବ ପରା ! ଆଜି ମୁଁ ତମକୁ ନିଜ ହାତରେ ଭାତ ବାଢ଼ିଦେବି । ଚାକର ହାତର ବଢ଼ା ଭାତ ଖାଇ ଖାଇ ତୁମକୁ ବିରକ୍ତ ଲାଗିଲାଣିନା ! ଆସ–

 

ଶଚୀକାନ୍ତ ଲକ୍ଷ୍ୟ କଲେ, ଏତିକି କହୁ କହୁ ନିବେଦିତାଙ୍କ ଆଖିର ଅଶ୍ରୁ କୂଳ ଲଙ୍ଘନ କରିଛି ।

 

ଶଚୀକାନ୍ତ ନିବେଦିତାଙ୍କର ବେଶ ପରିପାଟୀ ଦେଖି ଯାହାକିଛି ପଚାରିବେ ବୋଲି ଭାବିଥିଲେ କିଛି ପଚାରିପାରିଲେନି । ସବୁକିଛି ଅସମାପ୍ତ ରହିଗଲା !

 

ନିବେଦିତାଙ୍କ ଅନ୍ତର ବୁଝିବାକୁ ତାଙ୍କୁ ବେଶୀ ଡେରି ଲାଗିନି । ନିବେଦିତା ଖରାପ ନୁହନ୍ତି–ତଥାପି ମନଟା ବୁଝେନି । ନା, ଆଉ ମଳୟଙ୍କୁ ଆସିବାକୁ ସେ ଆଉ ପ୍ରଶ୍ରୟ ଦେବେନି । ନିଜ ଭିତରେ ମଳୟ ଦାସଙ୍କ ପ୍ରତି ଏକ ଅପ୍ରକାଶିତ ହିଂସା ଜାଗି ଉଠୁଥିଲା ।

 

ସ୍ଵାମୀତ୍ୱର ଅଧିକାର ନେଇ ମନେ ମନେ ପରିଣତିର ସଂଜ୍ଞା ନିରୂପଣ କରୁଥିଲେ ଶଚୀକାନ୍ତ । ତାଙ୍କ ଅନୁପସ୍ଥିତିରେ, ନିର୍ଜନରେ ଅନ୍ୟ ଏକ ପୁରୁଷର ଆଗମନ ତାଙ୍କ ଅଖଣ୍ଡ ପୌରୁଷତ୍ଵ ପ୍ରତି ଏକ ଅବମାନନା । ଏ ଅବମାନନା ସେ ସହ୍ୟ କରିପାରିବେନି ।

 

ସମୟ ବହୁତ ହେଲାଣି ।

 

ନିବେଦିତା ଉଠି ବହୁତ ବ୍ୟସ୍ତ ହେଉଥିବେ । ଏଥର ତାଙ୍କୁ ଯିବାକୁ ହେବ ।

 

ଖବରକାଗଜଟା ଉପରେ ଆଖି ବୁଲାଇ ଆଣୁ ଆଣୁ ଚମକି ଉଠିଲେ ନିବେଦିତା ।

 

ଆପେ ଆପେ ତାଙ୍କ ପାଟିରୁ ବାହାରି ଆସିଲା–ଆହା ! ବିଚାରୀର ଭବିଷ୍ୟତଟା ନଷ୍ଟ ହୋଇଗଲା ।

 

ଶଚୀକାନ୍ତ ମଧ୍ୟ ଦୁଃଖିତ ହେଲେ–ଅସମୟରେ ନାରୀ ଜୀବନର ଏକ ବିପର୍ଯ୍ୟୟ ପାଇଁ-

 

ଖବରଟା ଥିଲା–

 

“ଏକ ସାଙ୍ଘାତିକ ମଟର ଦୁର୍ଘଟଣାରେ କଲେଜରୁ ଫେରୁଥିବାବେଳେ ଅଧ୍ୟାପିକା ପୂର୍ଣ୍ଣପ୍ରଭାଦେବୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ମେଡ଼ିକାଲରେ ସେ ପ୍ରବୀଣ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ମତଅନୁସାରେ ଆଘାତ ତାଙ୍କ ଦୁଇ ଆଖିରେ ଭୀଷଣ ହେଇଛି, ଆଖି ଦୁଇଟି ବୋଧହୁଏ ନଷ୍ଟ ହୋଇଯିବ ।”

 

ମଟର ଦୁର୍ଘଟଣାରେ ସମ୍ପୂର୍ଣ୍ଣ ମୃତ୍ୟୁ ହେଇଯିବାର ଖବର ଶୁଣିଥିଲେ ହୁଏତ ନିବେଦିତା ଏତେ ଆଘାତ ପାଇନଥାନ୍ତେ; ପୂର୍ଣ୍ଣପ୍ରଭା ବଞ୍ଚିଗଲେ ସତକଥା–ଯେଉଁ ମରଣର ଜ୍ଵାଳା ନେଇ ସେ ବଞ୍ଚିଲେ ସେଇଟା ନିବେଦିତାଙ୍କୁ ଖୁବ୍ ବାଧିଥିଲା ।

 

ଜୀବନସାରା ଏକ ବ୍ୟର୍ଥ ପ୍ରେମିକା ହୋଇ ସେ ରହିଗଲେ । କିଭଳି ବେଳା ଓ ନକ୍ଷତ୍ରରେ ସେ ଜନ୍ମ ହୋଇଥିଲେ କେଜାଣି, ଅପୂର୍ଣ୍ଣାଙ୍ଗ ଜୀବନର କାରୁଣ୍ୟ ନେଇ ତାକୁ ବଞ୍ଚିବାକୁ ହେଲା । ସୀମାହୀନ ଦରଦକୁ ଛାତି ଭିତରେ ଚାପିରଖି ସେ ଜୀବନରେ ବାକି ଅଂଶ ବିତାଇ ପାରିବ କେମିତି ?

 

ସହାନୁଭୂତିରେ ଏକବାରେ ଆର୍ଦ୍ର ହୋଇଉଠୁଥିଲେ ନିବେଦିତା । ଶଚୀକାନ୍ତଙ୍କ ଆଡ଼େ ଚାହିଁ କହିଲେ–ଆଜି ମେଡ଼ିକାଲ୍ ଯାଇ ପୂର୍ଣ୍ଣପ୍ରଭାଦେବୀଙ୍କୁ ଟିକେ ଦେଖିକରି ଆସିବ । ଯାହାହେଲେ ବି ସେ ଆମର ଏକାନ୍ତ ପରିଚିତା–ମଳୟ ଦାସଙ୍କ ଭାବିପତ୍ନୀ ସେ । ଏ ଅସମୟରେ ତାଙ୍କ ପାଖେ ଠିଆହେବା ଆମର କର୍ତ୍ତବ୍ୟ । ମୋ ଦେହଟା ଠିକ୍ ଥିଲେ ମୁଁ ନିଜେ ମଧ୍ୟ ଯାଇଥାନ୍ତି । ତୁମେ ଯାଅ–ଆମ ଦୁହିଁଙ୍କ ପାଇଁ ସେଠାରେ ଉପସ୍ଥିତ ହୁଅ ।

 

ଶଚୀକାନ୍ତ ସମ୍ମତି ପ୍ରକାଶ କଲେ ।

 

ମୋର ତ ଆଉ ସମୟ ହେବନି, ବର୍ତ୍ତମାନ ଯାଉଛି ତେବେ ସେଇବାଟ ଦେଇ ମାର୍କେଟ୍‍ଆଡ଼େ ବୁଲି ଆସିବି । ପରେ କେତେବେଳେ ବେଳ ହବ ନ ହବ...ଦୁର୍ଘଟଣା ଘଟିବାର ପୁଣି ତିନିଦିନ ହୋଇଗଲାଣି ।

 

ଶଚୀକାନ୍ତ ତାଙ୍କ ସ୍କୁଟର ଷ୍ଟାର୍ଟ ଦେଲେ ।

 

ଖୋଜି ଖୋଜି ବହୁ କଷ୍ଟରେ ମେଡ଼ିକାଲ୍‍ର କ୍ୟାବିନ୍ ଭିତରୁ ପୂର୍ଣ୍ଣପ୍ରଭାଙ୍କୁ ଆବିଷ୍କାର କରିବାକୁ ପଡ଼ିଲା ।

 

କ୍ୟାବିନ୍ ଭିତରେ ହଠାତ୍ ଏତେ ପୁରୁଷ ବନ୍ଧୁଙ୍କ ସମାବେଶ ଦେଖି ଅବାକ୍ ହେଲେ ଶଚୀକାନ୍ତ । ଜଣେ ଭଦ୍ରଲୋକ ପୂର୍ଣ୍ଣପ୍ରଭାଙ୍କ ବ୍ୟାଣ୍ଡେଜ୍ କରାଯାଇଥିବା ଆଖି ଦୁଇଟିକୁ ଆସ୍ତେ ଆସ୍ତେ ଆଉଁସୁ ଥିଲେ । ଆଉ ତିନିଜଣ ପାଖାପାଖି ଚେୟାରରେ ବସି ଆଳାପ-ଆଲୋଚନାରେ ବ୍ୟସ୍ତ ଥିଲେ । କିଏ ଏମାନେ ଶଚୀକାନ୍ତ ହୁଏତ କହିପାରିବେନି କିନ୍ତୁ ସମସ୍ତେ ତରୁଣ । ବାସ୍ତବିକ୍ ପୂର୍ଣ୍ଣପ୍ରଭା ତାଙ୍କ ଜୀବନ ସୂତାରେ କେତେ ବନ୍ଧୁଙ୍କୁ ଯେ ବାନ୍ଧି ରଖିଥିଲେ ତା’ର ହିସାବ ନାହିଁ । ସେ ସୂତାର ଖିଅ ଟିକକ ଏ ଟଣା ଓଟରାରେ ଯେ କେତେବେଳୁ ଛିଣ୍ଡି ଗଲାଣି ମୁଦ୍ରିତ ଆଖିପତା ତଳୁ ସେ ତା’ ଦେଖିପାରନ୍ତେ କିମିତି ? ନିଜ ଅଜ୍ଞାତରେ ଭାଗ୍ୟର ଏ ପରିହାସ ପାଇଁ ଦୁଃଖ ଲାଗୁଥିଲା ଶଚୀକାନ୍ତଙ୍କୁ ।

 

ନର୍ସ ଦୁଇଜଣ ଡ୍ରେସିଂ କରିବାକୁ ଆସିଲେ ।

 

ତାଙ୍କ ଭିତରୁ ଜଣଙ୍କ ମୁହଁ ଚିହ୍ନା ଚିହ୍ନା ମନେହେଉଛି । ମଳୟ ଦାସଙ୍କୁ କେନ୍ଦ୍ରକରି ନର୍ସଙ୍କ ଭିତରୁ ଜଣେ ପରା ଆତ୍ମହତ୍ୟା କରିବାକୁ ଯାଉଥିଲେ । କୌଣସି ଉପାୟରେ ବଞ୍ଚିଗଲେ । କିଏ ଜାଣେ, କେତେ ସତ୍ୟତା ଅଛି ଏଇ ଶ୍ରୁତିର !

 

କିନ୍ତୁ ପୂର୍ଣ୍ଣପ୍ରଭାଙ୍କ ଏ ଅବସ୍ଥାରେ ମଳୟ ଦାସ କାହାନ୍ତି ?

 

ଶଚୀକାନ୍ତ ଲକ୍ଷ୍ୟ କଲେ–ସମସ୍ତଙ୍କର ଦୃଷ୍ଟି ନର୍ସ ଦୁଇଜଣଙ୍କ ଉପରେ ହଠାତ୍ ଲାଖିଗଲା-। ଶିକ୍ଷାର ଏତେ ଉଚ୍ଚ ସୋପାନରେ ଥାଇ ସୁଦ୍ଧା ସେମାନଙ୍କ ଚାହାଣିର ନିମ୍ନସ୍ତରୀୟ ଭାଷା ବୁଝିବାକୁ ଶଚୀକାନ୍ତଙ୍କୁ ବେଶୀବେଳ ଲାଗି ନ ଥିଲା ।

 

ଏଇଭଳି ପରିବେଶରେ ନିଜକୁ କିପରି ମୁକ୍ତ କରିବେବୋଲି ବ୍ୟସ୍ତ ହୋଇ ଉଠିଲେ ଶଚୀକାନ୍ତ । ଯେକୌଣସି ଉପାୟରେ ତାଙ୍କ ଉପସ୍ଥିତି ପୂର୍ଣ୍ଣପ୍ରଭାଙ୍କୁ ଜଣେଇଦେଇ ସେ କିପରି ସେଠାରୁ ବିଦାୟ ନେବେ, ସେଇ କଥା ଚିନ୍ତା କରୁଥିଲେ ।

 

ଗରମ ପାଣି ନେଇ ପ୍ରବେଶ କଲେ ଜଣେ ମହିଳା । ବୟସ୍କା ବିଧବା ଜଣେ–ପରିଧାନରୁ ଯାହା ମନେହେଲା ସେ ବୋଧହୁଏ ପୂର୍ଣ୍ଣପ୍ରଭାଙ୍କ ଘରର ପରିଚାରିକା ।

 

ନର୍ସ ଜଣେ ବାହାରକୁ ଆସି ପ୍ରଶ୍ନ କଲେ–ଆପଣ ପରା ଅପେକ୍ଷା କରିଛନ୍ତି ଅନେକବେଳୁ ? ଆସନ୍ତୁ, ଆଉ ଅଳ୍ପ ସମୟ ପରେ ପୂର୍ଣ୍ଣପ୍ରଭାଦେବୀଙ୍କ ସହ ଆପଣ କଥାବାର୍ତ୍ତା କରିପାରିବେ । ଗତ ରାତିଠାରୁ ସେ ଅଳ୍ପ ଅଳ୍ପ କଥା କହିପାରୁଛନ୍ତି ।

 

ନା, ନା; ଆପଣ ତାଙ୍କୁ ଜଣେଇ ଦେବେ ଶଚୀକାନ୍ତ ମହାପାତ୍ର ଆସିଥିଲେ । ମୁଁ ଯାଉଛି-। ଆଚ୍ଛା, ତାଙ୍କ ଦେହର ଅବସ୍ଥା ବର୍ତ୍ତମାନ କିପରି ?

 

ନର୍ସ ଜଣକ ଇଞ୍ଜେକ୍‌ସନ ସିରିଞ୍ଜ୍‌ ରେଡ଼ି କରୁ କରୁ ଉତ୍ତର ଦେଲେ–ଆଶା କରାଯାଉଛି ଅଳ୍ପଦିନ ଭିତରେ ସେ ଆରୋଗ୍ୟ ହୋଇଯିବେ, ତେବେ ଗୋଟାଏ ଆଖି ଶେଷବେଳକୁ...ଗଳାଟା ଯଥେଷ୍ଟ ଗମ୍ଭୀର ଓ କ୍ଷୀଣ ହୋଇ ଉଠିଥିଲା ।

 

ଏମାନଙ୍କର କଥୋପକଥନ ଶୁଣି ପୂର୍ଣ୍ଣପ୍ରଭାଙ୍କ ମୁଣ୍ଡପଟେ ଚେୟାରରେ ବସିଥିବା ଭଦ୍ରବ୍ୟକ୍ତି ଜଣକ ବାହାରକୁ ଆସି ସ୍ମିତ ହସରେ ନମସ୍କାର କରି କହିଲେ–“ନମସ୍କାର ଶଚୀକାନ୍ତବାବୁ ! ଆପଣଙ୍କୁ ଦେଖିବାର ସୌଭାଗ୍ୟ ପାଇଲି । ପୂର୍ଣ୍ଣପ୍ରଭାଙ୍କଠାରୁ ଆପଣଙ୍କୁ ଜାଣିବାର ଅବକାଶ ପାଇଛି, ହେଲେ ଦେଖିପାରିନଥିଲି । ଯାହାହେଉ ଆଜି ସେ ସୁଯୋଗ ମିଳିଲା-। ଆପଣ ନିଜେ ଯେତେବେଳେ ଶଚୀକାନ୍ତ ବୋଲି ନାଁ’ଟା ଉଚ୍ଚାରଣ କଲେ ସେଇଥିରୁ ଜାଣୁଛି ଆପଣଙ୍କୁ । କ’ଣ, ନିବେଦିତା ଦେବୀ ଭଲ ଅଛନ୍ତି ତ ?”

 

ସ୍ତ୍ରୀର ନାଁ’ଟା ଅଚିହ୍ନା ଅଜଣା ପୁରୁଷଠାରୁ ହଠାତ୍ ଶୁଣିବାକୁ ଆଶା କରିନଥିଲେ ବୋଧହୁଏ ଶଚୀକାନ୍ତ । ବିସ୍ମିତ ହେଲେ; ସ୍ମିତ ହସରେ ସବୁ ଭାବନାକୁ ଗୋପନ କରି ସେ ପ୍ରଶ୍ନ କଲେ–ଆପଣଙ୍କ ପରିଚୟ ଜାଣିପାରିଲିନି ଯେ ?

 

“ମୁଁ ସୁବୋଧ ଦାସ”, ପୂର୍ତ୍ତ ବିଭାଗର ଜଣେ ଆସିଷ୍ଟାଣ୍ଡ ଇଞ୍ଜିନିଅର । ପୂର୍ଣ୍ଣପ୍ରଭା ଆମ ପରିବାର ଦୃଷ୍ଟିରୁ ସମ୍ପର୍କୀୟା ଭଉଣୀ । ଅବଶ୍ୟ ସେ ସମ୍ପର୍କଟା ବହୁତ ଦୂର । ଅନେକ ସମୟରେ ସେ ଆପଣମାନଙ୍କ କଥା ଆମ ଆଗରେ କହିଥାନ୍ତି ।

 

ଶଚୀକାନ୍ତ ଉପଭୋଗ କରୁଥିଲେ ଏଇ କଥାଗୁଡ଼ାକ । ଭୀଷଣ ଭାଗ୍ୟବାନ ମୁଁ ସୁବୋଧବାବୁ ଆପଣଙ୍କ ସହ ଏଇ ସାକ୍ଷାତରେ । ଆସନ୍ତୁନା କେବେ ଆମ ଘରଆଡ଼େ...ସୌଜନ୍ୟ ରକ୍ଷାକରି ଶଚୀକାନ୍ତଙ୍କୁ ଏଇ କେତେପଦ କଥା କହିବାକୁ ହେଲା । ଅନ୍ତର ଭିତରେ ଯନ୍ତ୍ରଣାର ଚାପ ଦେଇ ଉପରେ ଏ ସୌଜନ୍ୟ ଦେଖାଇବାର ଶୈଳୀ ଯେ ଆଧୁନିକତାର ଅଙ୍ଗ, ଏକଥା ପ୍ରାଣେ ଅନୁଭବ କରୁଥିଲେ ଶଚୀକାନ୍ତ ।

 

ନର୍ସ ଜଣକ ଡାକିଲେ–ଆପଣ ବର୍ତ୍ତମାନ ଭିତରକୁ ଆସିପାରନ୍ତି ଶଚୀକାନ୍ତବାବୁ !

 

ଶଚୀକାନ୍ତ ବିନା ବାକ୍ୟବ୍ୟୟରେ ଭିତରକୁ ଗଲେ । ପୂର୍ଣ୍ଣପ୍ରଭା ଚେଇଁଥିଲେ । ଆଖି ଯୋଡ଼ିକ ବନ୍ଦ ଥିଲା ତାଙ୍କର । ବ୍ୟାଣ୍ଡେଜ୍ ଖୋଲିବାକୁ ମନା ଥିଲା ।

 

ପ୍ରଥମେ ଶଚୀକାନ୍ତଙ୍କୁ ହିଁ କଥା ଆରମ୍ଭ କରିବାକୁ ହେଲା । “ନମସ୍କାର ପୂର୍ଣ୍ଣପ୍ରଭାଦେବୀ-।”

 

କରୁଣ ଗଳାରେ ସେ ନମସ୍କାରର ପ୍ରତ୍ୟୁତ୍ତର ଦେଲେ ପୂର୍ଣ୍ଣପ୍ରଭା । ଟୁଲ୍‍ଟାକୁ ଖଟ ପାଖକୁ ସାମାନ୍ୟ ଟାଣିଆଣି ବସିଲେ ସେଠାରେ ଶଚୀକାନ୍ତ । ଯେତେଥର ସେ ପୂର୍ଣ୍ଣପ୍ରଭାଙ୍କ କଥା ଶୁଣିଛନ୍ତି, ଯେତେଥର ସେ ତାଙ୍କୁ ଡାକିଛନ୍ତି, କୌଣସି ଥର ପୂର୍ଣ୍ଣପ୍ରଭାଙ୍କ ପ୍ରତି ଏତେ ଦରଦ, ଏତେ ଦୟା ଆସି ନ ଥିଲା ଶଚୀକାନ୍ତଙ୍କର । ଜୀବନ ସାରା ଏକ ଉପଭୋଗବିଳାସୀ ମନକୁ ସେ ଘୃଣା ଚକ୍ଷୁରେ ଦେଖୁଥିଲେ–ଆଜି କିନ୍ତୁ ଏଇ ଅବସ୍ଥାରେ ପୂର୍ଣ୍ଣପ୍ରଭାଙ୍କୁ ଦେଖିଲେ ତାଙ୍କ ପ୍ରତି ମନରେ ଦୟା ଆସୁଛି ।

 

ସୌନ୍ଦର୍ଯ୍ୟର ଆଲୋକରେ ଯେଉଁ ପୁରୁଷମାନଙ୍କ ପାଇଁ ପୂର୍ଣ୍ଣପ୍ରଭା ଆକର୍ଷଣର ସାମଗ୍ରୀ ହୋଇଥିଲେ, ଏଣିକି ସେମାନଙ୍କ ଦୟା ପାଇଁ ସେ ଭିକ୍ଷାର ଥାଳ ପାତିବେ । ଅପୂର୍ଣ୍ଣ ଭିକ୍ଷାଥାଳ ଧରି ପୂର୍ଣ୍ଣପ୍ରଭା ମମତା ଟିକକ ପାଇଁ ଯେତେବେଳେ ବ୍ୟାକୁଳ ହେବେ...ଆଃ !! ଆଗକୁ ଆଉ ଭାବିପାରୁନଥିଲେ ଶଚୀକାନ୍ତ ।

 

ଶଚୀକାନ୍ତ ବିନମ୍ର ଗଳାରେ କହିଲେ–“କ୍ଷମା କରିବେ ପୂର୍ଣ୍ଣପ୍ରଭାଦେବୀ, ଆପଣଙ୍କର ଏ ଦୁରବସ୍ଥାରେ ମୁଁ ଠିକ୍ ସମୟରେ ଉପସ୍ଥିତ ହୋଇପାରିଲିନି । ମୁଁ କାର୍ଯ୍ୟବ୍ୟସ୍ତ ସବୁବେଳେ, ଆପଣ ତ ଜାଣନ୍ତି । ଭୁଲ୍ ବୁଝିବେନି ।”

 

ଶଚୀକାନ୍ତ ଅନୁଭବ କଲେ–ଯେତେଥର ସେ ପୂର୍ଣ୍ଣପ୍ରଭାଙ୍କୁ ଦେଖିଛନ୍ତି କୌଣସିଥର ତାଙ୍କ ପାଇଁ ଏତେ ସମବେଦନା ତାଙ୍କ ଭିତରେ ସ୍ଥାନ ପାଇନଥିଲା । ନିଜ କହିବାର ଭଙ୍ଗୀରୁ ଶଚୀକାନ୍ତ ତାଙ୍କ କଣ୍ଠନଳୀରେ ଆର୍ଦ୍ରତା ଅନୁଭବ କରୁଥିଲେ । ପୂର୍ଣ୍ଣପ୍ରଭାଙ୍କ ପାଇଁ ଯେପରି ପଥର ଦେହରୁ ମଧ୍ୟ ପାଣି ଝରୁଛି–

 

ମଣିଷ ଯେତେବେଳେ ଅସହାୟ ହୁଏ, ଏଇ ରକ୍ତ ମାଂସର ଦେହର ଉଜ୍ଜ୍ୱଳତା ଯେତେବେଳେ କମି କମି ଯାଏ–କ୍ଷୀଣ ହେଇ ଆସେ ଯେତେବେଳେ ଜୀବନର କାମନା, ବାସନା,–ଅସମୟରେ ଯେତେବେଳେ ଝରିଯାଏ ବସନ୍ତର ମୃଦୁ ମନ୍ଦ ମଳୟ–ହଜିଯାଏ ଯେତେବେଳେ ସୁଲଳିତ କଣ୍ଠରେ ଦିଗହଜା ରାଗିଣୀର ମୂର୍ଚ୍ଛନା–ଶୁଖି ଶୁଖି ଯାଏ ଯେତେବେଳେ ଜୀବନ-ନଦୀର ସ୍ରୋତ–ପ୍ରସ୍ଫୁଟିତ ହେବା ପୂର୍ବରୁ ଅକାଳରେ ଯଦି ବୃନ୍ତଚ୍ୟୁତା ହୁଏ ସୂର୍ଯ୍ୟମୁଖୀ–ସେଇଥିରେ ସମବେଦନାର ଲୁହ ଆସେ ।

 

ଟୁକୁନି ଗାଁକୁ ଯାଇଛି । ନିବେଦିତାଙ୍କ ଦେହ ଦିନକୁ ଦିନ ବିଶେଷ ଖରାପ ହେବାକୁ ଲାଗିଲାଣି । ଆଖି ଖୋଲି ଚାହୁଁନାହାନ୍ତି ନିବେଦିତା । ଅତ୍ୟଧିକ ଉତ୍ତାପ ହେତୁ ସେ ପ୍ରଳାପ କରୁଛନ୍ତି । ମଝିରେ ମଝିରେ ଅପର୍ଯ୍ୟାପ୍ତ ବାନ୍ତି ଓ କାଶ । ମୁଣ୍ଡ ଭୀଷଣ ବିନ୍ଧୁଛି । ବିକଳ ଭାବରେ ଚିତ୍କାର କରୁଛନ୍ତି ନିବେଦିତା । ଏଭଳି ପରିସ୍ଥିତିରେ ଟୁକୁନିକୁ ପାଖରେ ରଖିବାକୁ ଚାହିଁ ନାହାନ୍ତି ଶଚୀକାନ୍ତ–ସବୁବେଳେ ରୋଗଶଯ୍ୟାରେ ଶାୟିତା ନିବେଦିତାଙ୍କ ଅବସ୍ଥା ଦେଖି ହୁଏତ ଟୁକୁନି ଦୃଷ୍ଟିରେ ଜୀବନର ରୂପ ଅନ୍ୟ ଦିଗ ନେବ–କିଏ ଜାଣେ, ତା’ର ଚପଳ ମନ ଭିତରେ ସେ କେଉଁ ସ୍ଥିତିକୁ ସାଇତି ରଖିବ ସବୁଦିନ ପାଇଁ ! ନା, ଏ ସବୁଥିରୁ ସେ ଅଲଗା ରହୁ...ଯନ୍ତ୍ରଣା ଭିତରେ କେବଳ ଜୀବନର ସୀମାରେଖା ଟାଣି ସେ ଶେଷକୁ ନିରାଶାବାଦୀ ହୋଇ ନ ଉଠୁ !

 

ମା’ଠାରୁ ଛୁଆଟାକୁ ନିହାତି ଅଲଗା କରି ରଖିଛନ୍ତି ବୋଲି ଅନେକ ସମୟରେ ନିଜେ ଖୁବ୍ ବ୍ୟସ୍ତ ହେଉଥିଲେ ଶଚୀକାନ୍ତ ।

 

ଜ୍ଵର ଛାଡ଼ିଗଲେ ନିବେଦିତା ଟୁକୁନିକୁ ନିଶ୍ଚୟ ଖୋଜିବେ । ଜନନୀର ଅମୃତମୟ ମମତାଠାରୁ ଦୂରରେ ରହି ସେ ଅନ୍ତରର ପ୍ରତିଧ୍ୱନି ଶୁଣି ସେଠାରେ ରହିପାରିବତ ଟୁକୁନି ?

 

ଶଚୀକାନ୍ତ ପରିବାରର ପରିସ୍ଥିତି ଚିନ୍ତା କରୁଥିଲେ ।

 

ସେହି କେବଳ ସେଇ ଛୋଟ ପରିବାରର ସ୍ରଷ୍ଟା !! କୌଣସି ସନ୍ତୋଷଜନକ ସିଦ୍ଧାନ୍ତରେ ଉପନୀତ ହୋଇନପାରି ଶଚୀକାନ୍ତ ବ୍ୟସ୍ତ ହୋଇଉଠୁଥିଲେ ।

 

ପ୍ରଫେସର ସାମନ୍ତରାୟଙ୍କୁ ଆଜି ଡାକି ଆଣିବାକୁ ହେବ । ନିବେଦିତାଙ୍କ ଦେହକୁ ଟିକିନିଖି ପରୀକ୍ଷା କରି ସେ ଯେଉଁ ଔଷଧ ଲେଖି ଦେଇଥିଲେ ତାହା ସରିଗଲାଣି ।

 

ଆଃ ! ପ୍ରଫେସର ସାମନ୍ତରାୟଙ୍କ ରିପୋର୍ଟ !!

 

ନାଗସାପ ଦେଖିଲାପରି ସେଦିନ ଚମକି ଉଠିଥିଲେ ଶଚୀକାନ୍ତ । କ୍ରମାଗତ ଏକ ଟି.ବି. ପେସେଣ୍ଟ । ନିବେଦିତାଙ୍କ ରୋଗଟା କିପରି ଏକ ଧାରାବାହିକ ହୋଇ ବସିଲାଣି, ଏଇ କଥା ସେଦିନ ପ୍ରଫେସର ସାମନ୍ତରାୟ ନିବେଦିତାଙ୍କ X-ray ରିପୋର୍ଟରୁ ବୁଝାଉଥିଲେ ।

 

X-ray ରିପୋର୍ଟର କଳା କଳା ଝାପ୍‌ସା ଚିକ୍‌କଣ କାଗଜ ଭିତରୁ ନିବେଦିତାଙ୍କ ଛାତିର କଲିଜାଟା ପରିଷ୍କାର ଦେଖି ହେଉଥିଲା ! ରିପୋର୍ଟଟାକୁ ଧରିଲାବେଳକୁ ହାତଟା ବରଡ଼ା ପତ୍ରପରି ଥରୁଥିଲା ଶଚୀକାନ୍ତଙ୍କର !

 

ନିବେଦିତା !!

 

ତାଙ୍କ କଥା ଭାବିଲା ମାତ୍ରେ ହିଁ ଶଚୀକାନ୍ତଙ୍କ ଛାତିର ସ୍ପନ୍ଦନ ବହୁଗୁଣିତ ହେଉଥିଲା । ରକ୍ତଚାପ ରୋଗୀପରି ସେ ଖାଲି ଅସ୍ତବ୍ୟସ୍ତ ହୋଇଉଠୁଥିଲେ । ନିଜ ଭିତରର ରୁଦ୍ଧ ଆବେଗକୁ ଅଟକାଇ ନ ପାରି ପ୍ରଫେସର ସାମନ୍ତରାୟଙ୍କ ମୁହଁକୁ ଲୁହବୋଳା ଆଖିରେ ଚାହିଁ ଶଚୀକାନ୍ତ ପ୍ରଶ୍ନ କଲେ–ସତେ କ’ଣ ଆଉ ଭଲ ହେବେନି ନିବେଦିତା ? କୁହନ୍ତୁ ମିଷ୍ଟର ସାମନ୍ତରାୟ, ନିବେଦିତା ପୁଣି ଭଲ ହେବେ କି ନାହିଁ ? ପ୍ରଫେସର ସାମନ୍ତରାୟଙ୍କ ଦୁଇ ହାତ ପାପୁଲିକୁ ଖୁବ୍ ନିବିଡ଼ ଭାବରେ ଚାପି ଧରି କାନ୍ଦି କାନ୍ଦି ଶଚୀକାନ୍ତ କହୁଥିଲେ–Bring back my Nibedita to me doctor !

 

ଶଚୀକାନ୍ତଙ୍କ ଧୈର୍ଯ୍ୟର ସେତୁବନ୍ଧ ଯେମିତି ଆଜି କୂଳ ଲଙ୍ଘନ କରିଛି । ପ୍ରଫେସର ସାମନ୍ତରାୟ ଶଚୀକାନ୍ତଙ୍କ ଆଖିରୁ ଲୁହ ପୋଛୁଥିଲେ । ସାନ ପିଲାଙ୍କୁ ବୁଝାଇଲାଭଳି ପ୍ରଫେସର କହିଲେ–ଆଜିକାଲି ମେଡ଼ିକାଲ୍ ସାଇନସ୍‌ର ଯେତେ ଉନ୍ନତି ହେଲାଣି ସେଥିରେ ନିବେଦିତାଙ୍କ ରୋଗ ଭଲ ହେବାଟା କିଛି ଆଶ୍ଚର୍ଯ୍ୟ ନୁହେଁ ଶଚୀକାନ୍ତ ! ବିଜ୍ଞାନ ଆଜି ସବୁ ଅସମ୍ଭବକୁ ସମ୍ଭବ କରି ତୋଳିଛି ।

 

ଶଚୀକାନ୍ତଙ୍କ ଆଖି ଆଗରେ ଦିଶୁଥିଲା ଏକ ବିରାଟ ସୀମାହୀନ ସମୁଦ୍ର, ବ୍ୟାପ୍ତି ତା’ର ଅନେକ, ଜୁଆର ତା’ର ଅଜସ୍ର, ବିପଦର ସତର୍କ ଘଣ୍ଟି ବାଜୁଛି ସବୁବେଳେ । ଶଚୀକାନ୍ତଙ୍କୁ ସେଇ ସୀମାହୀନ ବିପଦର ସାଗର ଲଙ୍ଘନ କରିବାକୁ ହେବ !

 

ତାଙ୍କ କଣ୍ଠନଳୀ ଶୁଖି ଶୁଖି ଆସୁଥିଲା ।

 

ମଳୟ ଦାସ ଆସୁଛନ୍ତି–ହଁ, ତାଙ୍କରି ଗାଡ଼ିଟା ବୋଧହୁଏ ! ବହୁ ଦୂରରୁ ମଳୟ ଦାସଙ୍କ ଗାଡ଼ିର ଗତି ସ୍ଥିର କରିପାରିଲେ ଶଚୀକାନ୍ତ । ତାଙ୍କ ଭାବନା ଅନ୍ୟଦିଗ ନେଲା ।

 

ଏଇ ସେ ମଳୟ ଦାସ ।

 

ଏକଦା ତାଙ୍କର ବିଶ୍ଵସ୍ତ ବନ୍ଧୁ, ତାଙ୍କ ପରିବାରର ଚିକିତ୍ସକ । ଯାହାଲାଗି ଦିନେ ଆନ୍ତରିକତାରେ ଶଚୀକାନ୍ତଙ୍କ ଅନ୍ତର ଉଦ୍ବେଳିତ ହେଇ ଉଠୁଥିଲା–ଯାହାର ଅକ୍ଳାନ୍ତ ପରିଶ୍ରମ ଦେଖି ଦିନେ ମଳୟଙ୍କୁ ଖୁବ୍ ଉଚ୍ଚ ଆସନରେ ରଖି କେବଳ ପ୍ରଶଂସାପତ୍ର ବାଢ଼ୁଥିଲେ ମନେ ମନେ । ସୌଜନ୍ୟ, ଆଉ ଆନ୍ତରିକତାଟା ମିଶି ମିଶି ଯାହାଙ୍କ ପାଇଁ ପାରିବାରିକ ମମତା ସୃଷ୍ଟି କରିଛି, ତାଙ୍କୁ କାହିଁକି ଶଚୀକାନ୍ତ ଆଜି ଖୋଲା ହୃଦୟରେ ଗ୍ରହଣ କରିପାରୁନାହାନ୍ତି ?

 

ମାନସିକ ଏକି ବ୍ୟତିକ୍ରମ ଶଚୀକାନ୍ତଙ୍କର ?

 

ତାଙ୍କ ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ମଳୟ ଦାସଙ୍କ ଗାଡ଼ି ଆସି ବ୍ରେକ୍‌ ଦେଲା ଶଚୀକାନ୍ତଙ୍କ ଗେଟ୍ ପାଖରେ । ବାହାରକୁ ଆସି ମଳୟ ଦାସ କହିଲେ–‘ସୁପ୍ରଭାତ ଶଚୀକାନ୍ତ ।’

 

ସୁପ୍ରଭାତ ! ଶଚୀକାନ୍ତ ମଳୟ ଦାସଙ୍କ କଥାର ପ୍ରତ୍ୟୁତ୍ତର ଦେଲେ । ଗମ୍ଭୀର ଶଚୀକାନ୍ତଙ୍କୁ ଦେଖି ମଳୟ ପ୍ରଶ୍ନ କଲେ, ‘କ’ଣ ଏମିତି ଗମ୍ଭୀର ହେଇ ଠିଆ ହେଇଛ ଶଚୀକାନ୍ତ ? ନିବେଦିତାଙ୍କ ଦେହ କ’ଣ ଭଲନାହିଁ ? ମୋ ପାଖକୁ ତ ଖବର ଦେଇପାରିଥାନ୍ତ ।’

 

ଖୁବ୍ ସହଜ ଥିଲା ମଳୟ ଦାସଙ୍କ କଣ୍ଠସ୍ଵର ।

 

ନିବେଦିତାଙ୍କ ଦେହ ଏଇମିତି ହେଲାବେଳେ ତମେ ତ ପୁଣି ମୋ ପାଖକୁ ଧାଇଁ ଯାଉଥିଲ ଶଚୀକାନ୍ତ, କେବଳ ସେଇ ଗୋଟିଏ ବିଶ୍ଵାସ ନେଇ । ଯେତେ ଜରୁରୀ କାମଥିଲେ ମଧ୍ୟ ମୁଁ ତମର ଅନୁରୋଧ ଉପେକ୍ଷା କରିନାହିଁ । ହସ୍‌ପିଟାଲରେ କାଲି ପ୍ରଫେସର ସାମନ୍ତରାୟଙ୍କଠାରୁ ନିବେଦିତାଙ୍କ ଦେହର ଅସୁସ୍ଥତା କଥା ଶୁଣି ଖୁବ୍ ବ୍ୟସ୍ତ ଲାଗିଲା । ମୁଁ ଯେତେବେଳେ ବହୁଦିନ ଧରି ତାଙ୍କ ରୋଗ ସମ୍ପର୍କରେ ଆସିଛି, ହୁଏତ ମୁଁ ପ୍ରଫେସର ସାନନ୍ତରାୟଙ୍କୁ ଅଧିକା କିଛି ତଥ୍ୟ ଦେଇପାରିବି ବୋଲି ମୋର ବିଶ୍ଵାସ । ସେଇଥିପାଇଁ ଆସିଥିଲି ଶଚୀକାନ୍ତ । ଅବଶ୍ୟ ବିନା ଡାକରାରେ ଆସିଯାଇଛି, କ୍ଷମା କରିବ ।

 

ଶଚୀକାନ୍ତ ସ୍ତବ୍‌ଧ ହୋଇ ମଳୟ ଦାସଙ୍କ କଥା ଶୁଣୁଥିଲେ ।

 

ତାଙ୍କର ଏ ଅବସ୍ଥା ଲକ୍ଷ୍ୟକରି ମଳୟ ଦାସ ଶଚୀକାନ୍ତଙ୍କର ପିଠି ଥାପୁଡ଼େଇ ସସ୍ନେହ ଗଳାରେ କହିଲେ–ଶଚୀକାନ୍ତ, କ’ଣ ଏତେ ଭାବୁଛ ଏଠି ଠିଆହୋଇ ? ଆସ, ଭିତରକୁ ଆସ ।

 

ନିବେଦିତାଙ୍କ ଦେହ ଯେଉଁ ପରିମାଣରେ ଅସୁସ୍ଥ, ତୁମକୁ ସେଇ ପରିମାଣରେ ଧୈର୍ଯ୍ୟ ଧରିବାକୁ ହେବ । ଏତେ ଅଧୈର୍ଯ୍ୟ ହେଲେ ଚଳିବ ?

 

ମଳୟ ଦାସ ଶଚୀକାନ୍ତଙ୍କ ଅର୍ନ୍ତଭାବନାଗୁଡ଼ାକ ଷ୍ଟଡ଼ି କରୁଥିଲେ । ପୁଣି ଆରମ୍ଭ କଲେ ସେ–ମୁଁ ଜାଣେ ଶଚୀକାନ୍ତ ତୁମେ ନିବେଦିତାଙ୍କୁ କେତେ ପରିମାଣରେ ଭଲପାଅ । ତୁମ ପ୍ରିୟତମାକୁ ରୋଗମୁକ୍ତ କରିବା ପାଇଁ ତୁମେ ଉଚ୍ଚମନା ହୁଅ ଶଚୀକାନ୍ତ–ସଂଗ୍ରାମର ଯୂପକାଠ ଆଗରେ ଠିଆହେଇ ନିବେଦିତାଙ୍କୁ ମରଣ ମୁହଁରୁ ଫେରାଇ ଆଣିବାର ପ୍ରତିଜ୍ଞା କର, ସେଇଥିରେ ତୁମେ ଶାନ୍ତି ପାଇବ, ତୁମ ଆତ୍ମା ଶାନ୍ତି ପାଇବ ।

 

ଆଉ ମୁଁ ?

 

ମୋ କଥା ଭାବୁଛ ଶଚୀକାନ୍ତ ? ନିବେଦିତାଙ୍କୁ ସେବା କରିବାରେ ମୋର କୌଣସି ସ୍ଵାର୍ଥ ନାହିଁ–ବରଂ ଉତ୍ସାହ ଅଛି । ସେ ଉତ୍ସାହକୁ ତୁମେ ଦୁର୍ବଳତାରେ ଦୂଷିତ ନ କରି ସେଥିରେ ଆନ୍ତରିକତାର ପ୍ରଲେପ ଦିଅ ଶଚୀକାନ୍ତ । ତୁମ ଆଗାମୀ ଜୀବନ ସୁଖମୟ ହେବ ।

 

ଶଚୀକାନ୍ତ ଏକରକମ ସ୍ଥାଣୁ ପାଲଟି ଯାଇଥିଲେ ।

 

ମଳୟ ଦାସଙ୍କ ହାତମୁଠାକୁ ଛାତିରେ ଚାପି ଧରିଲେ ସେ । ଆଖି ତାଙ୍କର ଅଶ୍ରୁ-ସଜଳ ହୋଇଉଠିଲା । ନିବେଦିତାଙ୍କ ପାଇଁ ତାଙ୍କ ଆଖିରେ ଆଜି ଖାଲି ଲୁହ–ଲୁହ । ଲୁହର ସମୁଦ୍ର ଗୋଟାଏ ଯେମିତି ଖାଲି ଆତ୍ମପ୍ରକାଶର ପଥ ଖୋଜୁଛି…

 

ମଳୟ ଓ ଶଚୀକାନ୍ତ ନିବେଦିତାଙ୍କ କୋଠରୀ ମଧ୍ୟରେ ପ୍ରବେଶ କଲେ । ପ୍ରଫେସର ସାମନ୍ତରାୟ ସେତେବେଳକୁ କିଛି ଗୋଟାଏ ଭାବିବାରେ ବ୍ୟସ୍ତଥିଲେ ।

 

ନିବେଦିତା ଆଖି ବୁଜିଥିଲେ ।

 

ମଳୟ ଦାସ କିଛି ସମୟ ନିବେଦିତାଙ୍କ ନାଡ଼ି; ଛାତିର ସ୍ପନ୍ଦନ ଓ ରକ୍ତଚାପ ଇତ୍ୟାଦି ପରୀକ୍ଷା କରିସାରିବା ପରେ ପ୍ରଫେସର ସାମନ୍ତରାୟଙ୍କ ମୁହଁକୁ ଚାହିଁଲେ, କ’ଣ ତେବେ କରିବା ସାର୍ ?

 

କ’ଣ ଆଉ କରିବା ? ତେବେ ମୁଁ ଭାବୁଛି ଯେତେଶୀଘ୍ର ପାରୁ ସେତେଶୀଘ୍ର ନିବେଦିତାଙ୍କୁ ଭେଲୋର୍‍ ନେଇଯିବା ଉଚିତ ।

 

ଭେଲୋର୍

 

ଶଚୀକାନ୍ତଙ୍କ ମୁହଁ ଶେତା ପଡ଼ି ପଡ଼ି ଆସୁଥିଲା । ତାଙ୍କୁ ଲକ୍ଷ୍ୟକରି ସାମନ୍ତରାୟ କହିଲେ–ଆରେ ନା, ନା; ମୋତେ ଭୁଲ ବୁଝନା, ନିବେଦିତାଙ୍କ ରୋଗ ଏତେ ବେଶୀ ଗୁରୁତର ହୋଇ ଯାଇନି, ତେବେ ଆମେମାନେ ଯେତେବେଳେ ନିଶ୍ଚିତ ହୋଇ ସାରିଲୁଣି ଯେ, ଟି.ବି ପେସେଣ୍ଟ ଏବଂ ତାଙ୍କ ଲକ୍ଷଣ ଯାହା ମୁଁ ଦେଖିଲି ମୋର ବିଶ୍ୱାସ ଯେତେ ଶୀଘ୍ର ଆମେ ନିବେଦିତାଙ୍କୁ ଭେଲୋର୍‍ ନେଇ ପାରିବା ସେତେଶୀଘ୍ର ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବେ । ରୋଗର ଆରମ୍ଭରୁ ହିଁ ତା’ର ପ୍ରତିକାର ବେଶୀ ଗୁରୁତ୍ଵପୂର୍ଣ୍ଣ ।

 

ନାଁ କ’ଣ କହୁଛ ମଳୟ ? ପ୍ରଫେସର ସାମନ୍ତରାୟ ମଳୟ ଦାସଙ୍କ ମୁହଁକୁ ଚାହିଁଲେ ।

 

“ମୁଁ ମଧ୍ୟ ଆପଣଙ୍କ କଥାରେ ସମ୍ମତି ପ୍ରକାଶ କରୁଛି ସାର୍–ବହୁ ପୂର୍ବରୁ ନିବେଦିତାଙ୍କୁ ଭେଲୋର୍‍ ନେବାର ଇଚ୍ଛା କରିଥିଲି । ଚେଷ୍ଟା କରିଥିଲି, ଯଦି ଏ ଭିତରେ ନିବେଦିତା ଆରୋଗ୍ୟ ହେଇଯିବେ, ଅଯଥାରେ ଏତେବାଟ ଯିବା କାହିଁକି ? ତେବେ ଆଉ ତିନିଦିନ ଅପେକ୍ଷା କରିବା । ଏତେବାଟ ଯାଇପାରିଲା ଭଳି ସୁସ୍ଥତାକୁ ନିବେଦିତା ତ ଆସିବା ଉଚିତ ।

 

ହଁ ନିଶ୍ଚୟ !! ଦୃଢ଼ ଭାବରେ କହିଲେ ସାମନ୍ତରାୟ । ଆଉ ବେଶୀ କିଛି ଚିନ୍ତା କରନି ଶଚୀକାନ୍ତ, ମୁଁ ମଧ୍ୟ ତୁମମାନଙ୍କ ସହ ଯିବି–ଏଇ ତିନିଦିନ ଭିତରେ ଟିକଟର ସୁବିଧା କର !! ମଳୟ ଦାସଙ୍କ କଣ୍ଠରେ ଅଦ୍ଭୁତ ଦୃଢ଼ତା ।

 

ଶଚୀକାନ୍ତ ବେଳକୁବେଳ ଅନୁଭବ କରୁଥିଲେ ଯେପରି ଏକ ଗାଢ଼ କଳା ଛାଇ ତାଙ୍କୁ ବାରମ୍ଵାର ଅନୁସରଣ କରୁଛି–ମାଡ଼ି ମାଡ଼ି ପଡ଼ୁଛି । କିପରି ଅଶ୍ଵସ୍ତି ଅନୁଭବ କରୁଛନ୍ତି ସେ ।

 

ବୟସର ପତ୍ର ଝଡ଼ିଗଲେ ଥୁଣ୍ଟା ଗଛର ଅସହାୟତା ଭଳି ଜୀବନର ଆଗାମୀ ପରିବେଶ । ସେଥିରେ ଆଉ ରଙ୍ଗ ନାହିଁ, ଆକର୍ଷଣ ନାହିଁ, ମାଦକତା ନାହିଁ ।

 

ନିଜକୁ ବାରମ୍ଵାର ଚାହୁଁଥିଲେ ପୂର୍ଣ୍ଣପ୍ରଭା । ନିଜ ଭଙ୍ଗା ଫଟୋଟାକୁ ସେ ଆଣିଲେ । ମନେପଡ଼ୁଥିଲା ତାଙ୍କର ସେଇ ଦିନର କଥା । ଯେଉଁଦିନ ମଳୟ ଦାସଙ୍କୁ ଅପେକ୍ଷା କରିଥିଲେ–ଅନୁରାଗରଞ୍ଜିତ ମନର ଏକ ଅହେତୁକ ଉଷ୍ଣତା ଦେଇ, ସେଇ ଦିନ…ହଠାତ୍ ଏକ ଝଞ୍ଜାର ଆଘାତରେ କାନ୍ଥରେ ଝୁଲୁଥିବା ତାଙ୍କ ଫଟଟା ଖସିପଡ଼ି ଭାଙ୍ଗି ଯାଇଥିଲା । ତାଙ୍କର ହାତ କଟିଯାଇ ରକ୍ତ କେତେଟୋପା ପଡ଼ି ଆଖି ଡୋଳାଟିକୁ ବନ୍ଦ କରିଦେଇଥିଲା । ସେଇଦିନଟାକୁ ଡାଏରୀ ଖାତାରେ ଟିପି ରଖିଥିଲେ ପୂର୍ଣ୍ଣପ୍ରଭା । ଡାଏରୀର ପୃଷ୍ଠା ପୁଣି ଥରେ ଖୋଲିଛନ୍ତି ସେ...ସେଇ ଦିନଟା ତାଙ୍କ ପାଇଁ ଏକ ସ୍ମୃତି ହେଇ ରହିଗଲା ।

 

ଖୁବ୍ ସୁନ୍ଦର ପବନ ଦେହରେ ବାଜୁଛି । ଇଜି ଚେୟାରରେ ଆଉଜି ପୂର୍ଣ୍ଣପ୍ରଭା ତାଙ୍କ ସମଗ୍ର ଜୀବନର ଇତିହାସର ପୃଷ୍ଠାଗୁଡ଼ାକୁ ଓଲଟାଉ ଥିଲେ ।

 

ସେ ଚାହିଁଥିଲେ ଚିରଚଞ୍ଚଳା ଆଖିର ଚଞ୍ଚଳତା ନେଇ ସେ ସବୁଦିନେ ପୁରୁଷ ପାଇଁ ବନହରିଣୀର ମାୟା ସୃଷ୍ଟି କରିବେ–ସୁଖ, ସ୍ୱାଚ୍ଛନ୍ଦ୍ୟ, ପ୍ରେମ, ଅର୍ଥ, ସବୁକିଛିର ପ୍ରାଚୁର୍ଯ୍ୟ ଭିତରେ ସେ ତାଙ୍କ ଆଦ୍ୟକଥନୀର ଦୁଃଖାନ୍ତକ ଅୟମାରମ୍ଭକୁ ପାଶୋରି ପକାଇବେ ।

 

ଯେଉଁ ଦୁଃଖକୁ ଭୁଲିବା ପାଇଁ ଚେଷ୍ଟା କରୁଥିଲେ ସେ ଦୁଃଖ ସେତିକି ଘନୀଭୂତ ହେଇ ତାଙ୍କ ଶିଥିଳ ପ୍ରାଣକୁ ଆହୁରି ଶିଥିଳ କରି ତୋଳିଛି । ଯେଉଁ ଅତୀତକୁ ଲୁଚେଇ ବୁଲିଛନ୍ତି–ସେ ଅତୀତ ଅସମୟରେ ମୁଣ୍ଡ ଟେକିଛି । ଯେତିକି ସେ ହସିବାକୁ ଚେଷ୍ଟା କରିଛନ୍ତି, ଅଜଣାରେ ସେତିକି ଲୁହ ବହିଯାଇଛି ଆଖିରୁ ।

 

ଜୀବନର ବାଜି ଖେଳରେ ହାରିଗଲେ ପୂର୍ଣ୍ଣପ୍ରଭା । ଆଖିରୁ ତାଙ୍କର ଲୁହ ଝରି ଆସିଲା-

 

ଗୋଟାଏ ଆଖି ନଷ୍ଟ ହୋଇଗଲା । ଆର ଆଖିଟା ସାମାନ୍ୟ ଦିଶୁଛି–ହୁଏତ ଅଳ୍ପଦିନ ପରେ ଖରାପ ହୋଇଯିବ–ଅନ୍ଧ ହୋଇଯିବେ ସେ । ଦୁନିଆଁର ଆଲୋକ ଦର୍ଶନରୁ ବଞ୍ଚିତ ହେବେ । କିଛିହେଲେ ସେ ଆଉ ଦେଖି ପାରିବେନି । ବହୁ ଛାତ୍ର, ଛାତ୍ରୀ ପରିଚିତ ଅପରିଚିତ କେତେ ମୁହଁ ତାଙ୍କର ଆପଣାର–ସେ ସବୁ ମୁହଁର ହସ ସେ ଦେଖି ପାରିବେନି ।

 

ଓଃ ! ଭଗବାନଙ୍କର କି ନିଷ୍ଠୁର, ନିର୍ମମ ଅଭିଶାପ !! ଏ ଅଭିଶାପର ଜ୍ଵାଳା ସହ୍ୟ କରିବା ପାଇଁ ତାଙ୍କ ଧୈର୍ଯ୍ୟର ଅଭାବ ହେଉଥିଲା । ପୂର୍ଣ୍ଣପ୍ରଭାଙ୍କ ଆଖିରେ ଦିଶିଲା ଶିଶୁଟିର ମୁହଁ । ମା’, ମା’ ଡାକି ସେ ଆସି କୋଳରେ ବସୁଛି–ଅଳି କରୁଛି...ତାଙ୍କର ଏଇ ଆଖିଟା ନଷ୍ଟ ହେବା ପୂର୍ବରୁ ଥରେ ତାଙ୍କର ସୃଷ୍ଟି ସମ୍ପଦକୁ ଆଖି ପୂରେଇ ଦେଖିନେବାର ଇଚ୍ଛା ହେଉଛି–ଏକ ଅହେତୁକ ମମତା ଜାଗୁଛି ମନରେ–ଦେହରେ ଜାଗୁଛି ଏକ ଉନ୍ମାଦନା । ଆଜି ହୁଏତ ଶିଶୁଟି ଥିଲେ ସେ ମା’ ଡାକ କେବେଠାରୁ ଶୁଣି ସାରନ୍ତେଣି–ଆଜି ଏ ଅବସ୍ଥାରେ ସେ ଦେଇଥାନ୍ତା କେତେବଡ଼ ଆଶ୍ୱାସନା-!!

 

ଜନ୍ମ ମାଟିର ଆକର୍ଷଣ ତାଙ୍କୁ ଟାଣୁଛି ।

 

ରକ୍ତରେ ଜାଗୁଛି ବେପଥୁ–ମନରେ ଉଠୁଛି ପ୍ରଶ୍ନବାଚୀ । ସେ ଶିଶୁର ଜନକଙ୍କୁ ଦେଖିବାପାଇଁ ପ୍ରବଳ ଆଗ୍ରହ ଜାଗୁଛି ଅନ୍ତରର ସୂକ୍ଷ୍ମ ତନ୍ତ୍ରୀରେ !

 

ପୂର୍ଣ୍ଣପ୍ରଭାଙ୍କ ଜୀବନର ପ୍ରଥମ ପ୍ରଣୟୀ ସେ । ଆଦ୍ୟ ଯୌବନର ପୁରୁଷ ସେ । ଭୂଲୁଣ୍ଠିତ ତାରୁଣ୍ୟର ପ୍ରଥମ ଦେବତା ସେ । ସବୁକିଛି ଭୁଲି ପ୍ରେମର ଅର୍ଘ୍ୟ ଦେଇ କେତେ ଅର୍ଚ୍ଚନା କରିଥିଲେ ପୂର୍ଣ୍ଣପ୍ରଭା ।

 

ତାଙ୍କର ପୂଜା ବ୍ୟର୍ଥ ହୋଇଗଲା । ଚନ୍ଦ୍ରକୁମାର ଆଜି କାହିଁ କେତେ ଦୂରରେ ! ଅତୀତର କେଉଁ ଏକ ଦୁଃସ୍ୱପ୍ନ ପରି ପୂର୍ଣ୍ଣପ୍ରଭାଙ୍କ ସ୍କୃତି ହୁଏତ ତାଙ୍କ ମନରୁ ଲିଭିଯାଇଥିବ ! ଯାହାକୁ ନେଇ ଆଉ ଗୋଟାଏ ଜୀବନ ସୃଷ୍ଟି ହେଲା, ଯିଏ ତା’ ଦେହର ପ୍ରତି ତନ୍ତ୍ରୀରେ ପ୍ରତି ସ୍ନାୟୁକୋଷରେ ରକ୍ତର ଦୀପାଳି ଜାଳିଲା, ଯାହାର ଜରାୟୁକୁ ଛିନ୍ନ ବିଦୀର୍ଣ୍ଣ କରି ଚନ୍ଦ୍ରକୁମାରଙ୍କ ଆତ୍ମଜ ଜନ୍ମନେଲା...ସେଇ ନାରୀ ପୂର୍ଣ୍ଣପ୍ରଭା । ଦୁନିଆଁ ସ୍ଵୀକାର ନ କଲେ ମଧ୍ୟ ସେ ତାଙ୍କ ସ୍ତ୍ରୀ–ତାଙ୍କ ସନ୍ତାନର ଜନନୀ ।

 

ଆଜି କାହିଁକି ବାରମ୍ଵାର ମନେପଡ଼ୁଛନ୍ତି ଚନ୍ଦ୍ରକୁମାର । ଏ ଅବସ୍ଥାରେ ଦେଖିଲେ ଚନ୍ଦ୍ରକୁମାର କ’ଣ ଘୃଣାରେ ଶିହରି ଉଠିବେ ? ସତେ କ’ଣ ସେ ଆଜି ଦେଖିଲେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ? ପୂର୍ଣ୍ଣପ୍ରଭାଙ୍କ ମନଭିତର ଖାଲି କହିଉଠିଲା–ସେ ଯିବେ ଚନ୍ଦ୍ରକୁମାରଙ୍କ ପାଖକୁ । ତାଙ୍କୁ ମିନତି କରିବେ–ତାଙ୍କ ଅଶ୍ରୁ-ବନ୍ୟାରେ ଚନ୍ଦ୍ରକୁମାରଙ୍କ ପାଦ ଧୋଇ ଦେଇ ସେ ଶିଶୁଟିକୁ ତାଙ୍କ ହାତରେ ତୋଳିଦେଇ କହନ୍ତେ, ‘ନିଅ ତମର ଏ ସୃଷ୍ଟିକୁ ! ମୋ’ପାଇଁ ତମେ ନିଷ୍ଠୁର ହୁଅନି, ମୋର ଏ ଅବସ୍ଥାରେ ତୁମେ ମୋତେ ଦୂରେଇ ଦିଅନି । ମୋତେ ଗ୍ରହଣ କର–ଆଘାତର ଲହୁ ପୋଛି, ତମେ ମୋତେ ବଞ୍ଚିବାକୁ ଦିଅ ଚନ୍ଦ୍ରକୁମାର... ।’

 

ଚନ୍ଦ୍ରକୁମାର ଯଦି ତାଙ୍କର ଏ କାତରତାକୁ ଗ୍ରହଣ ନ କରିନ୍ତି, ନ ଶୁଣନ୍ତି ? ସେ କିନ୍ତୁ ତାଙ୍କ ମନରେ ଦୃଢ଼ ହେବେ । ଚନ୍ଦ୍ରକୁମାରଙ୍କ ଉଦ୍ଦେଶ୍ୟରେ ସେ ଦୀପ ଜାଳିବେ, ସେ ଦୀର୍ଘାୟୁ ହୁଅନ୍ତୁ । ଯେଉଁ ସନ୍ତାନକୁ ସେ ଏ ପୃଥିବୀକୁ ଆଣିଛନ୍ତି, ତା’ର ଜନକଙ୍କ ପାଇଁ ଯୁଗ ଯୁଗ ପ୍ରତୀକ୍ଷା କରିବେ । ତାଙ୍କ ପାଇଁ ସେ ଏଥର ସୀମନ୍ତରେ ସିନ୍ଦୂର ଲଗେଇବେ ।

 

ଆଉ ସେ ଏ ସହରରେ ରହିପାରିବେନି ।

 

ଦୂରରେ ରହୁ ତାଙ୍କର ଏ ଚାକିରି ଜୀବନ ! ଦୂରରେ ରହୁ ତାଙ୍କର ବନ୍ଧୁ ମହଲ । ଦୂରରେ ରହୁ ତାଙ୍କ ସାମାଜିକ ପ୍ରତିଷ୍ଠା । ଏ ଘର, ଏ ଚାକଚକ୍ୟ, ଏ ସଭ୍ୟତା ତାଙ୍କର କିଛି ଦରକାର ନାହିଁ–ସେ ପୁଣି ଫେରିଯିବେ ତାଙ୍କର ଗାଁକୁ । ତାଙ୍କର ଭିଟାମାଟିକୁ । ମାଟିର ଦୀପରୁଖା ତଳେ ସାଇତା ସ୍ମୃତିର ଫରୁଆ ଖୋଲିବେ ସେ । ତା’ର ସୁରଭିରେ ସେ ପାଗଳ ହେବେ । ଗାଁ ଲୋକେ ଏସବୁ ଦେଖି ହସିବେ, ଥଟ୍ଟା କରିବେ, ସମାଲୋଚନା କରିବେ, କରନ୍ତୁ–ସବୁକୁ ସେ ସହିନେବେ ।

 

ଡାଏରୀର ପୃଷ୍ଠାଗୁଡ଼ାକ ପବନରେ ଫଡ଼ ଫଡ଼ ହୋଇ ଉଡ଼ୁଛି । କଟକର କେତେ ସ୍ମୃତି, କେତେ ଦହନ, କେତେ ଜ୍ୱଳନର ଲିପି ଏ ଡାଏରୀରେ !

 

ଆଃ ! ମଳୟ ଦାସ !

 

ତାଙ୍କ ଜୀବନ-ପୃଷ୍ଠାର ଏକ ଅଲିଭା ଅଧ୍ୟାୟ !

 

ଅସମ୍ପୂର୍ଣ୍ଣ ହୋଇଗଲା ସେ ଅଧ୍ୟାୟର ଅଗଣିତ ପରିଚ୍ଛେଦ । ମଳୟ ଦାସ ତାଙ୍କୁ ଆଉ ବିବାହ କରିପାରିବେନି–ଏକଥା ଭାବିଲାବେଳକୁ ଅନେକ ଯନ୍ତ୍ରଣା ଅନୁଭବ କରୁଥିଲେ ପୂର୍ଣ୍ଣପ୍ରଭା । ଛାତି ଭିତରର କଲିଜାଟା ଟିକ୍ ଟିକ୍ ହୋଇଯାଉଥିଲା ।

 

ଚେୟାରରୁ ଉଠିଲେ ପୂର୍ଣ୍ଣପ୍ରଭା । ଆଜି ସେ ଯିବେ । ଶେଷଥର ପାଇଁ ଦେଖି ଆସିବେ ନିବେଦିତା ଆଉ ଶଚୀକାନ୍ତଙ୍କୁ । ଡାକ୍ତର ମଳୟ ଦାସଙ୍କୁ ତାଙ୍କର ଶେଷ କଥା କହି ଆସିବେ–ତା’ପରେ ଏଇ କଟକର ପରିବେଶ ଛାଡ଼ି ସେ ଗାଁକୁ ଯିବେ ସବୁଦିନ ପାଇଁ ।

 

ଚେୟାରରୁ ଉଠିଲେ ସେ ।

 

ମୁଣ୍ଡଟା ବିନ୍ଧୁଥିଲା ତାଙ୍କର ।

 

‘……ମୋର ଅନୁରୋଧ ରଖନ୍ତୁ ଡକ୍ଟର ! ଆପଣ ପୂର୍ଣ୍ଣପ୍ରଭାଦେବୀଙ୍କୁ ବିବାହ କରନ୍ତୁ । ଦୁର୍ଘଟଣାରେ ତାଙ୍କ ଆଖିଟା ନଷ୍ଟ ହୋଇଗଲା ବୋଲି ଆପଣ କ’ଣ ଏତେ ନିଷ୍ଠୁର ହୋଇପାରିଲେ ତାଙ୍କ ପ୍ରତି ? ଯେତେହେଲେ ବି ସେ ଆପଣଙ୍କ ପ୍ରଣୟିନୀ । ଆପଣ ତାଙ୍କୁ ବିବାହ କରିବାକୁ ମନା କରିବା ପରେ ସେ କେତେ ଆଘାତ ପାଇଥିବେ ସେ କଥା ଆପଣ ଜାଣିପାରିବେନି ମଳୟବାବୁ । ତାଙ୍କ ଆଖିରୁ ଯଦି ଆପଣଙ୍କ ଉଦ୍ଦେଶ୍ୟରେ ଲୁହ ବହେ, ସେ ଲୁହରେ ଆପଣଙ୍କର ସମଗ୍ର ଜୀବନ ଜଳିପୋଡ଼ି ଛାରଖାର ହୋଇଯିବ ଡକ୍ଟର । ନାରୀର ଲୁହରେ କେତେ ଶକ୍ତି ଅଛି, ଆପଣ ବୋଧହୁଏ ତାହା କେବେ କଳ୍ପନା କରି ନାହାନ୍ତି । ମୋ’ପ୍ରତି ଆପଣଙ୍କର ସ୍ନେହ ବା ଆନ୍ତରିକତା ଯାହା କିଛି ଅଛି, ସେ ସବୁର ଦ୍ଵାହିଦେଇ ତା’ର ଭରସାରେ ମୁଁ ଆପଣଙ୍କୁ ମିନତି କରୁଛି ମଳୟବାବୁ, ମୋର ଏ ବ୍ୟକ୍ତିଗତ ଅନୁରୋଧ ରଖନ୍ତୁ–ପୂର୍ଣ୍ଣପ୍ରଭାଙ୍କୁ ବିବାହ କରନ୍ତୁ, ଜୀବନରେ ଆପଣ ଅସୁଖୀ ହେବେନି ।’

 

ନିବେଦିତା ନମ୍ର ଗଳାରେ ମଳୟ ଦାସଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ ।

 

ନିହାତି ବାଧ୍ୟ ଛାତ୍ରଟିଏ ଭଳି ମଳୟ ଦାସ ନିବେଦିତାଙ୍କ କଥା ଶୁଣୁଥିଲେ ତନ୍ମୟ ହୋଇ-

 

ପ୍ରକୃତରେ ସେ କ’ଣ ପୂର୍ଣ୍ଣପ୍ରଭାଦେବୀଙ୍କୁ ବିବାହ ନ କରି ଭୁଲ୍‌ କରିଛନ୍ତି ? ବିବାହର ପ୍ରତିଜ୍ଞା ଦେଇ ତାଙ୍କ ପ୍ରତି ଏ ମନୋଭାବ ସଞ୍ଚାର କରିବାଦ୍ଵାରା ପ୍ରେମ କ’ଣ ପ୍ରକୃତରେ କଳୁଷିତ ହୋଇଯାଇଛି ?

 

ପ୍ରେମଟା ପ୍ରକୃତରେ କ’ଣ ?

 

କାହିଁକି ଏଇଥିପାଇଁ ଅସମୟରେ ଜୀବନ ଅବସାନ ହୁଏ ? ରକ୍ତ ରକ୍ତ ଭିତରେ ମେଘନାଦ ପାଚେରୀ ଉଠେ ? କାହିଁକି ତେବେ ଏତେ ଅଶ୍ରୁ, ଏତେ ବିଷାଦ, ଏତେ ଜ୍ଵାଳାର ସୃଷ୍ଟି ? ମନେ ମନେ ମନେ ଚିନ୍ତା କରୁଥିଲେ ମଳୟ–ଯେଉଁ ପ୍ରେମଟା ଏକ ମୁହୂର୍ତ୍ତର ମାନସିକ ଭାବପ୍ରବଣତା, ଏକ ଖିଆଲ–ସେ ଖିଆଲ ଜୀବନରେ ଏଭଳି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏକଥା ଆଦ୍ୟ ପାହାଚରୁ ଆଶା କରିନଥିଲେ ମଳୟ ଦାସ ।

 

ଜୀବନରେ ଆଶା କରିନଥିବା ପରିଣତିକୁ ମଥାପାତି ସହିବାକୁ ପଡ଼ିଲା ।

 

ନିବେଦିତାଙ୍କ ଆଡ଼େ ଚାହିଁଲେ ମଳୟ ଦାସ । କ’ଣ ଗୋଟାଏ ପ୍ରଶ୍ନ ସେ ପଚାରିବାକୁ ଚାହୁଁଛନ୍ତି ଯେମିତି ।

 

ନିବେଦିତା ସୁଯୋଗ ପାଇଲେ । ଆରମ୍ଭ କଲେ–ଆପଣ ଭେଲୋର୍‍ ଯିବେ ପରା ଆମ ସହିତ ?

 

‘ହଁ’ । ମଳୟ ଦାସଙ୍କ ସଂକ୍ଷିପ୍ତ ଉତ୍ତର ।

 

ପୂର୍ଣ୍ଣପ୍ରଭାଦେବୀଙ୍କୁ ନେଇ ଚାଲନ୍ତୁ ତେବେ ! ହୁଏତ ତାଙ୍କ ଆଖି ସମ୍ପର୍କରେ ସେଠାରେ ଥିବା ଡାକ୍ତରମାନଙ୍କ ସହ ଆପଣ ପରାମର୍ଶ କରିପାରିବେ । ଏତେ ବଡ଼ ଦୈନ୍ୟରୁ ଜଣେ ନାରୀଙ୍କୁ ଉଦ୍ଧାର କରିବା କମ୍ ଗୌରବର କଥା ନୁହେଁ । ଏଥିରେ ତାଙ୍କ ପାଇଁ ଆପଣଙ୍କ ମମତା ପ୍ରଗାଢ଼ ହେବ ମଳୟବାବୁ !

 

ତା’ଛଡ଼ା ମୁଁ କ’ଣ ଆଉ ଆପଣଙ୍କୁ ଏଭଳି ଯୁଗ୍ମଭାବରେ ଦେଖିବାକୁ ପାଇବି ? ଯିଏ ଏଭଳି ରୋଗରେ ଭେଲୋର୍ ଯାଏ, ସେ ଆଉ ଫେରି ଆସେନି ମଳୟବାବୁ । ଭେଲୋର୍‍ ଯାତ୍ରା ହିଁ ମୋ ଜୀବନର ଶେଷ ଯାତ୍ରା ।

 

ଶେଷବେଳକୁ ନିବେଦିତାଙ୍କ କଣ୍ଠ ଥରୁଥିଲା ।

 

ମଳୟ ଦାସ ଶୁଣି ପାରୁନଥିଲେ ଏଇ କଥାଗୁଡ଼ାକ !!

 

ଚେୟାରରୁ ସେ ଉଠିଲେ । ଶେଷରେ ଆଜି ସେ ନିବେଦିତାଙ୍କ ଅନୁରୋଧ ରଖିବେ–ପୂର୍ଣ୍ଣପ୍ରଭାଦେବୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେବେ । ଯଦି ପୂର୍ଣ୍ଣପ୍ରଭା ରାଜି ହୁଅନ୍ତି ତେବେ ତାଙ୍କୁ ନେଇ ସେ ଭେଲୋର୍‍ ଯିବେ ।

 

ମଳୟ ଦାସ ନିଜେ ଅନୁରୋଧ କରିବେ ପୂର୍ଣ୍ଣପ୍ରଭାଙ୍କୁ । ପ୍ରଥମେ ହୁଏତ ପୂର୍ଣ୍ଣପ୍ରଭାଦେବୀ ଆଶ୍ଚର୍ଯ୍ୟ ହେବେ–ମଳୟ ଦାସଙ୍କର ଏ ସୁକୃତୀ ଅବିଶ୍ୱାସ କରିବେ । ଆଶା ନ କରିଥିବା ଜୀବନର ଏତେ ବଡ଼ ଭରସା ପାଇ ହୁଏତ ସେ ଆତ୍ମହରା ହୋଇଉଠିବେ । ହଁ, ସମଗ୍ର ଜୀବନ ତାଙ୍କର ଏମିତି ହା’ ହୁତାଶର ଜ୍ଵାଳା ନେଇ କଟିଗଲା.....ବାକି ଅଂଶତକ ସେ ପୂର୍ଣ୍ଣପ୍ରଭାଙ୍କ ଜୀବନ ସହିତ ମିଶେଇ ଦେବେ । କେତେ ଅତୀତର ଲିପି କ’ଣ ମଳୟଙ୍କ ଡାଏରୀକୁ ଛିନ୍ନ ବିଦୀର୍ଣ୍ଣ କରିନି !! କାହିଁକି ତେବେ ମଳୟ ଦାସ ଖୋଜିବେ ପୂର୍ଣ୍ଣପ୍ରଭାଙ୍କ ଅତୀତକୁ ?? ତା’ରି ଦୁଷ୍କର୍ମ ଉପରେ ସେ କାହିଁକି ବା ଦୋଷାରୋପ କରିବେ–ନା, ପୂର୍ଣ୍ଣପ୍ରଭା ଶାନ୍ତି ପାଆନ୍ତୁ–କେତେ ନାରୀଙ୍କୁ ଏଇଭଳି ପ୍ରବୋଧନା ଦେଖାଇ ପରିଶେଷରେ ସେ ହତାଶ କରିଛନ୍ତି–ପୂର୍ଣ୍ଣପ୍ରଭାଙ୍କୁ କିନ୍ତୁ ସେ ଏମିତି କରିପାରିବେନି । ଏମାନଙ୍କଠାରୁ ପୂର୍ଣ୍ଣପ୍ରଭାଙ୍କ ସ୍ଥିତି ତାଙ୍କ ଦେହରେ ଯେପରି ଅନ୍ୟ ଏକ ଭୂମିକା ନେଇଛି । ମଳୟ ଦାସ ମଧ୍ୟ ଦିନେ ତ ପୁଣି ପୂର୍ଣ୍ଣପ୍ରଭାଙ୍କୁ ବିବାହ କରିବାର ସ୍ୱପ୍ନ ଦେଖୁଥିଲେ । ଆଜି ସେ ସ୍ୱପ୍ନ ତାଙ୍କର ସାର୍ଥକ ହେଉ । ପୂର୍ଣ୍ଣପ୍ରଭା ତାଙ୍କର ସହଧର୍ମିଣୀ ବୋଲି ପରିଚିତ ହୁଅନ୍ତୁ । ଏ ଦୁର୍ଘଟଣା ପରେ ପୂର୍ଣ୍ଣପ୍ରଭାଙ୍କୁ ବିବାହ କଲେ ତାଙ୍କ ଉଦାର ହୃଦୟର ପ୍ରତିଛବି ଆହୁରି ସ୍ପଷ୍ଟ ହେବ–ଭଗବାନ ସେଥିରେ ଆଶୀର୍ବାଦ କରିବେ । ଆଶା ଦେଇ ନିରାଶ କରିଥିଲେ ମଧ୍ୟ ସାରା ଜୀବନ ସେ ଆତ୍ମଗ୍ଳାନିରେ ଜର୍ଜରିତ ହୋଇଥାନ୍ତେ–ଏ ସବୁଥିରୁ ସେ ମୁକ୍ତି ପାଇବେ ।

 

ବେଳକୁ ବେଳ ଛାତିଟା ତାଙ୍କର ଉତ୍‌ଫୁଲ୍ଲିତ ହୋଇଉଠୁଥିଲା । ପୂର୍ଣ୍ଣପ୍ରଭାଙ୍କୁ ସେ ଅନେକ ଦିନ ହେଲା ଦେଖିନାହାନ୍ତି । ଆଜି ତାଙ୍କୁ ଦେଖିବାର ବ୍ୟାକୁଳତା ବହୁତ । ପୂର୍ଣ୍ଣପ୍ରଭାଦେବୀଙ୍କ ଘରକୁ ଗଲାବେଳେ ସେ ଏଇଭଳି ଉତ୍ତେଜନା କେବେ ଅନୁଭବ କରିନଥିଲେ । ଆଜି ତାଙ୍କୁ ଅଧୀର ଲାଗୁଛି । ପ୍ରଥମେ କିଭଳି ସେ ଆରମ୍ଭ କରିବେ ଏଇ ଭାବନାକୁ !

 

ପୂର୍ଣ୍ଣପ୍ରଭାଙ୍କ ଘରଟା ପାଖେଇ ଆସିଲା । କାର୍‌ର ଗତି ଚଞ୍ଚଳ ହେଲା । କିନ୍ତୁ, ଏ କ’ଣ-?

 

ପୂର୍ଣ୍ଣପ୍ରଭାଙ୍କ ଗେଟରେ ଝୁଲୁଥିବା ତାଲା ଦେଖି ମଳୟ ଦାସ ଆଶ୍ଚର୍ଯ୍ୟ ହେଲେ । ସବୁ ଭାବପ୍ରବଣତା ତାଙ୍କର ହଠାତ୍‍ ଦବି ଆସିଲା ।

 

ନା, ନା; ସେ ଏମିତି କାହିଁକି ଭାବୁଛନ୍ତି ? ହୁଏତ ପୂର୍ଣ୍ଣପ୍ରଭା ବଜାର ଆଡ଼େ ବୁଲି ଯାଇଥିବେ । ଛାତ୍ରଛାତ୍ରୀଙ୍କ ଗହଣରେ ଯାଇଥିବେ । ହୁଏତ ବଣଭୋଜି କିମ୍ବା ଅନ୍ୟ କେଉଁଆଡ଼େ । ନୀରବରେ ଗାଡ଼ିର ମୋଡ଼ ବୁଲେଇଲେ ସେ ତାଙ୍କର ଘରଆଡ଼େ ।

 

ଘରେ ପହଞ୍ଚୁ ପହଞ୍ଚୁ ତାଙ୍କ ଚାକର ସନାତନ ଆଣି ଚିଠି ଖଣ୍ଡିଏ ମଳୟ ଦାସଙ୍କୁ ଦେଇ ପଚାରିଲା–ବାବୁ, ଆପଣ ଏତେ ଡେରିଯାଏ କୋଉଠି ଥିଲେ ! ଦିଦି ଆସି ଏଇଠି କେତେବେଳ ପର୍ଯ୍ୟନ୍ତ ଅପେକ୍ଷା କଲେ, ତା’ପରେ ଏ ଚିଠି ଲେଖି ଦେଇଛନ୍ତି । ଚିଠିଟାକୁ ଆଣି ଉଦ୍‌ବିଘ୍ନ ସହ ପଢ଼ିବାକୁ ଲାଗିଲେ ମଳୟ ।

 

ପୂର୍ଣ୍ଣପ୍ରଭା ଲେଖିଥିଲେ–

 

ମଳୟବାବୁ;

 

ମୋର ଆଭୂମ ପ୍ରଣତି ନେବେ । ଆପଣା ମୋତେ ସାରା ଜୀବନର ସାଥୀ କରିନେବାରେ ଅସମ୍ମତି ପ୍ରକାଶ କଲେ ବୋଲି ମୋର ଆପଣଙ୍କ ପ୍ରତି କୌଣସି ଅଶ୍ରଦ୍ଧା ଆସିନି । ଯେଉଁଟା ସତ୍ୟ ଓ ସ୍ଵାଭାବିକ, ସେଇ ଭାଗ୍ୟର ବିଡ଼ମ୍ବନାକୁ ଅଭିମାନ କରି କିଛି ଲାଭ ନାହିଁ ମଳୟବାବୁ ! ମୁଁ ମୋର ପଥରେ ଯାଉଛି–ଶେଷ ଦେଖା କରି ଯିବି ବୋଲି ଆସିଥିଲି, ହେଲେ ସେତିକି ମଧ୍ୟ ମୋ ଭାଗ୍ୟରେ ନାହିଁ । ଶୁଣିଲି, ନିବେଦିତା ଭେଲୋର୍ ଯାଉଛନ୍ତି, ଆପଣ ମଧ୍ୟ । ଦେଖା କରିବାକୁ ଯାଇଥାନ୍ତି, ମୋର ସାହସ ହେଲାନି । ମୁଁ ତାଙ୍କ ସ୍ୱାସ୍ଥ୍ୟର ଶୁଭକାମନା କରୁଛି । ଭଗବାନ ତାଙ୍କୁ ଆରୋଗ୍ୟ କରନ୍ତୁ । ମୋ ଚଲାବାଟ ମୋତେ ଦିଶୁନି–ଚାରିଆଡ଼ ଅନ୍ଧକାର–ସେଥିରେ ମୋ ଆଖିର ଜ୍ୟୋତି ନିଷ୍ପ୍ରଭ । ଯେତିକି ଦିନ ବଞ୍ଚିବି, ସେଇ ବଞ୍ଚିବାର ଜ୍ଵାଳା ମୋର ଅସହ୍ୟ । ତଥାପି ମୁଁ ଯାଉଛି ମଳୟବାବୁ, ଆପଣ ସୁଖୀ ହୁଅନ୍ତୁ । ମୋ’ଭଳି ଭାଗ୍ୟହୀନା କେବେ ଆପଣଙ୍କ ଜୀବନ ସାଥି ହୋଇପାରିନଥାନ୍ତା । ବିଦାୟ ମଳୟବାବୁ–

 

। ଇତି ।

ପୂର୍ଣ୍ଣପ୍ରଭା–

 

ଚିଠିଟା ପଢ଼ିସାରି ମଳୟ ଦାସ ନିର୍ବାକ ହେଲେ । ଆଖିରୁ ଲୁହ ଦୁଇଟୋପା ଚିଠି ଉପରେ ଝରିପଡ଼ିଲା ସମସ୍ତଙ୍କ ଅଲକ୍ଷ୍ୟରେ । ନା, ସେ ଭେଲୋର୍‍ ଯିବେନି–ନିବେଦିତାଙ୍କ ସହ ଭେଲୋର୍‍ ଗଲେ ପୂର୍ଣ୍ଣପ୍ରଭାଙ୍କ ଆତ୍ମା ଶାନ୍ତି ପାଇପାରିବନି ।

 

କାଲି ଭେଲୋର୍‍ ଯିବେ ନିବେଦିତା ।

 

ସୁଦୂର ଭେଲୋର୍ । ଅସହାୟ କାରୁଣ୍ୟ ବିଳପି ଉଠୁଥିଲା ତୀବ୍ର ଭାବରେ । ଅନାଗତ ବିପଦର ଅନ୍ଧକୂପ ଭିତରୁ କେହି କେବେ କ’ଣ ଜୀବନକୁ ମୁକ୍ତ କରି ପାରିଛି ?

 

ଜଣେ କିଏ ଯେପରି ନିବେଦିତାଙ୍କୁ ହାତଠାରି ଡାକୁଛି ନିବେଦିତା ଅସ୍ଥିର ହେଲେ ।

 

ମଳୟ ଦାସ ଭେଲୋର୍‍ ଯିବେନି ଶୁଣି ଶଚୀକାନ୍ତ ବିବ୍ରତ ହୋଇ ଉଠିଛନ୍ତି । ମଳୟ ଦାସ ତାଙ୍କ ସହିତ ଭେଲୋର୍‍ ଯିବା ପାଇଁ ମନା କରିଦେବାଟା ତାଙ୍କୁ ମନେହେଉଛି, ନୀୟତିର ଏକ ଅଭିଶାପ ଭଳି । ହୁଏତ ପ୍ରଫେସର ସାମନ୍ତରାୟଙ୍କ ପାଖକୁ ଗଲେ ଏହାର କିଛି ସଦୁପଦେଶ ସେ ଦେଇ ପାରିବେ ।

 

ଶଚୀକାନ୍ତଙ୍କ ମନ ଅଥୟ ହୋଇଉଠୁଛି ।

 

ପରିଶେଷରେ ସେ ପ୍ରଫେସର ସାମନ୍ତରାୟଙ୍କୁ ବାଧ୍ୟ କରିବେ । ଯେତେ ଟଙ୍କା ପଡ଼ୁ ପଛେ ତାଙ୍କ ଯିବା ଆସିବାର ଖର୍ଚ୍ଚ ବହନ କରିବେ, ତଥାପି ଜଣେ ସୁଦକ୍ଷ ପରିଚିତ ଡାକ୍ତର ତାଙ୍କର ପାଖେ ପାଖେ ଥାଆନ୍ତୁ । ଏତେ ଦୀର୍ଘ ରାସ୍ତା ନିବେଦିତାଙ୍କୁ ନେଇକରି ଯିବାବେଳେ ବାଟରେ କୌଣସି ବିପଦ ପଡ଼ିଲେ ଡାକ୍ତର ବନ୍ଧୁ ହିଁ ତାଙ୍କର ଏକମାତ୍ର ଭରସା ।

 

ପ୍ରଫେସର ସାମନ୍ତରାୟ କ’ଣ ଯିବା ପାଇଁ ରାଜି ହେବେନି ?

 

ମନକୁ ମନ ପ୍ରଶ୍ନ ପଚାରି ନିଜେ ନିଜେ ହିଁ ତା’ର ଉତ୍ତର ଦେଉଥିଲେ ଶଚୀକାନ୍ତ ।

 

ଆଜି କାହିଁକି ଛାତି ଭିତରଟା ଥରୁଛି ତାଙ୍କର । ମନ କହୁଛି, ନିବେଦିତାଙ୍କ ପାଖ ଛାଡ଼ି ଗୋଟାଏ ମୁହୂର୍ତ୍ତ ମଧ୍ୟ ସେ କୁଆଡ଼େ ଯାଆନ୍ତେନି । ନିବିଡ଼ ଆଲିଙ୍ଗନ ଭିତରେ ସେ ନିବେଦିତାଙ୍କୁ ବାନ୍ଧି ରଖନ୍ତେ ।

 

ନିବେଦିତା ପ୍ରଳାପ କଲେ–‘‘ନା, ନା; ମୁଁ ମୋଟେ ସେଠିକି ଯିବିନି–ମୋତେ ଏଇଠି ରହିବାକୁ ଦିଅ…”

 

ଶଚୀକାନ୍ତ ଛାତି ଉପରକୁ ଆଉଜାଇ ଆଣିଲେ ନିବେଦିତାଙ୍କୁ । ତାଙ୍କ ଛାତିରେ ମୁଣ୍ଡ ରଖି ନିବେଦିତା କାନ୍ଦୁଥିଲେ ।

 

“ଏସବୁ କ’ଣ କହୁଛ ତମେ ନିବେଦିତା, ଭେଲୋର୍ ଯିବନି ତମେ ?”

 

ନା, ମୋଟେ ମୁଁ ସେଠିକି ଯିବିନି । ସେଠିକି ଗଲେ ଆଉ ତମେ ମୋତେ ଫେରି ପାଇବନି । ଏଇ ଦେଖ, କିଏ ଯେମିତି ମୋତେ ହାତଠାରି ଡାକୁଛି ସବୁବେଳେ । ନା, ନା; ତାକୁ ମନା କରିଦିଅ ତମେ; ତୁମକୁ ଛାଡ଼ି ମୁଁ ଯାଇ ପାରିବିନି ।

 

ରାତି ପାହିଲେ ଭେଲୋର୍ ଯିବେ ନିବେଦିତା, ଏକ ନୂଆ ଜୀବନର ସ୍ଵପ୍ନ ନେଇ…ଦେହ ତାଙ୍କର ଭଲ ହୋଇଯିବ । ଡାକ୍ତର କହୁଛନ୍ତି, ରୋଗର ଆରମ୍ଭ ହେଉଛି, ଭେଲୋର୍ ଚାଲିଗଲେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯିବେ ନିବେଦିତା । କିନ୍ତୁ ଏ କ’ଣ, ଏ ସବୁ କ’ଣ କହୁଛନ୍ତି ନିବେଦିତା ? ଦୁର୍ବଳ ମନକୁ ସଜାଡ଼ିବାକୁ ଚେଷ୍ଟା କରୁଥିଲେ ଶଚୀକାନ୍ତ ।

 

ନିବେଦିତାଙ୍କ ଶୁଖିଲା ମହଁରୁ ଲୁହର ଦାଗ ପୋଛୁଥିଲେ ଶଚୀକାନ୍ତ । ଆହୁରି ନିବିଡ଼ କଲେ ତାଙ୍କର ଆଶ୍ଳେଷ; କଣ୍ଠଲଗ୍ନା ନିବେଦିତାଙ୍କ ଦେହଟା ବେଳକୁ ବେଳ ଶିଥିଳ ହୋଇ ଆସୁଥିଲା ।

 

ମଧ୍ୟ-ଯାମିନୀର ମାୟା ସମଗ୍ର ଧରଣୀକୁ ଆଚ୍ଛନ୍ନକରି ରଖିଛି । ଏ ରାତ୍ରିର ପରିଧି ଭିତରେ, ତାଙ୍କ ବାହୁ ବଳୟ ଭିତରେ ଆବଦ୍ଧ ରଖି ଶଚୀକାନ୍ତ ତାଙ୍କ ଛାତିର ସ୍ପନ୍ଦନ ମାପୁଥିଲେ ।

 

ଟୁକୁନିକୁ ଆଉ ଦେଖି ପାରିବିନି….ଦୁଇବାହୁ ପ୍ରସାରିତ କଲେ ନିବେଦିତା । ଟୁକୁନିକୁ କୋଳକୁ ନେବାର ଆକୁଳତା ତାଙ୍କ ତନୁରେ । ନିବେଦିତାଙ୍କ କଣ୍ଠସ୍ଵର ବେଳକୁ ବେଳ ଗମ୍ଭୀର ଶୁଭୁଥିଲା–ଟୁକୁନିକୁ କାଲି ଆଣିବ ତମେ । ମୁଁ ଯିବା ପୂର୍ବରୁ ତାକୁ ଦେଖିକରି ଯିବି । ଯଦି ମୁଁ ଆଉ ଭେଲୋର୍‌ରୁ ନ ଫେରେ… ?? ନା, ନା, ମୋ ଆଶା ତମେ ପୂରଣ କରିବ । ଟୁକୁନିକୁ ଖୁବ୍ ବଡ଼ ମଣିଷକରି ଗଢ଼ିବ । ତା’ ମନରେ ଆଘାତ ଦେବନି । ମୋ ଆତ୍ମା ଶାନ୍ତି ପାଇବ, ମୁଁ ଶାନ୍ତି ପାଇବି । କୁହ, କାହିଁକି ଚୁପ୍ ହେଲ ଯେ–

 

ଶଚୀକାନ୍ତ କାନ୍ଦୁଥିଲେ । ଛି ନିବେଦିତା, କ’ଣ ଏସବୁ କହୁଛ ତମେ ? ଏ କି ଅକାଳ କଥା ସବୁ ପାଟିରେ ଧରୁଛ ? ତମେ ଯେତିକି ଏଇ ସବୁ କଥା ବାରମ୍ବାର ଉଚ୍ଚାରଣ କରୁଛ ମୋ ଛାତି ଭିତରଟା ଖାଲି ଥରୁଛି । ନା, ତୁମେ କିଛି କୁହନି ।

 

ଶୁଭରେ ଶୁଭରେ ଆଜିର ରାତି ପାହି ଯାଉ ନିବେଦିତା, କାଲିର ପ୍ରଭାତରେ ଆମ ପାଇଁ ଆଶାର ସୂର୍ଯ୍ୟ ଉଇଁବ । ଆମେ ଭେଲୋର୍ ଯିବା । ତମେ ଭଲ ହୋଇଯିବ–ପୁଣି ଆମେ ଫେରି ଆସିବା କଟକ, ଟୁକୁନି ପାଖକୁ । ପୁଣି ଗଢ଼ିବା ଆମେ ଆମର ନୂତନ ସଂସାର । ତୁମ ଲୁହ ଆଉ ମୋ ଲୁହ ମିଶାଇ ଆମେ ସୃଷ୍ଟି ।

Image